ନୂଆଦିଲ୍ଲୀ ୨୯/୦୪: ଲୋକଙ୍କୁ ବୋକା ବନାଇ ଟଙ୍କା ଲୁଟୁଥିବା ସାଇବର ଅପରାଧୀମାନେ ଏବେ ଠକିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି । ସାଇବର ଦୋସ୍ତ ନାମରେ ଏକ ଏକ୍ସ ଆକାଉଣ୍ଟ ଏଭଳି ସ୍କାମ୍‌ଠାରୁ ସାବଧାନ ରହିବା ପାଇଁ ପରାମର୍ଶ ଦେଇଛି । କେଦାରନାଥ ଏବଂ ସୋମନାଥ ଯାତ୍ରାରେ ଯିବାକୁ ଥିବା ଶ୍ରଦ୍ଧାଳୁଙ୍କୁ ନକଲି ପୋର୍ଟାଲ ଏବଂ ବିଜ୍ଞାପନଠାରୁ ଦୂରେଇ ରହିବାକୁ ଏହା କହିଛି । 

ନକଲି ୱେବ୍‌ସାଇଟ୍‌ ଏବଂ ବିଜ୍ଞାପନ ଜାଲରେ ନ ପଡ଼ିବା ପାଇଁ ସରକାରୀ ଏଜେନ୍ସି ଦ୍ୱାରା ଅପରେଟ୍‌ କରାଯାଉଥିବା ‘ସାଇବର ଦୋସ୍ତ ୧୪ସି’ର ଏକ୍ସ ଆକାଉଣ୍ଟ ପ୍ରକାଶ କରିଛି । ଅନେକ ନକଲି ୱେବ୍‌ସାଇଟ୍‌ ଏବଂ ବିଜ୍ଞାପନ ସୋମନାଥ ଓ କେଦାରନାଥ ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କୁ ଧାର୍ମିକ ସ୍ଥଳ ଯିବା ଲାଗି ଲୋଭନୀୟ ଟୁର୍‌ ପ୍ୟାକେଜ୍‌ ଅଫର୍‌ କରୁଛନ୍ତି । ଏହା ଲୋକଙ୍କୁ ଆର୍ଥିକ କ୍ଷତି ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ । ସର୍ବଦା ଅଫିସିଆଲ ୱେବ୍‌ସାଇଟ୍‌ ଜରିଆରେ ବୁକିଂ କରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । 

ସାଇବର ଠକ ସାଧାରଣତଃ ଲୋକଙ୍କୁ ଠକିବା ପାଇଁ ଏକ ନକଲି ୱେବ୍‌ସାଇଟ୍‌ କିମ୍ବା ବୈଧ ମନେ ହେଉଥିବା ୱେବ୍‌ସାଇଟ୍‌ ପ୍ରସ୍ତୁତ କରିଥାନ୍ତି । ଏଠାରେ ସ୍କାମର୍ସ ବ୍ୟାଙ୍କ୍‌ ବିବରଣୀ ଦେବାକୁ କିମ୍ବା ପେମେଣ୍ଟ କରିବାକୁ କହିଥାନ୍ତି । ଏହାପରେ ଖେଳ ଶେଷ । ଲୋକଙ୍କ ଆକାଉଣ୍ଟକୁ ଏକ୍‌ଦମ୍‌ ଖୋଳ କରିଦିଅନ୍ତି ଏମାନେ । ଏଭଳି ୱେବସାଇଟ୍‌ ଏବଂ ସ୍କାମରମାନଙ୍କଠାରୁ ବର୍ତ୍ତିବା ପାଇଁ ଲୋକେ ୟୁଆର୍‌ଏଲ୍‌ର ବନାନ ଚେକ୍‌ କରିପାରିବେ । ସ୍କାମର୍ସ ସାଧାରଣତଃ ଏଭଳି ୟୁଆର୍‌ଏଲ୍‌ ଉପଯୋଗ କରନ୍ତି, ଯାହା ବୈଧ ୱେବ୍‌ସାଇଟ୍‌ ଅବିକଳ ଲାଗିଥାଏ ଏବଂ ଏଥିରେ ସାମାନ୍ୟ ପରିବର୍ତ୍ତନ କରିଥାନ୍ତି ।