ଯାଜପୁର,୨୬।୨(ଆପ୍ର): ସାଇବର କବଚ ଅପରେସନରେ ଯାଜପୁର ପୁଲିସ ଜଣେ  ସାଇବର ଠକକୁ ଗିରଫ କରିଛି। ଏହି ସାଇବର କବଚ ଅପରେସନ ବେଳେ ୨୫ଟି ମାମଲା  ପଞ୍ଜୀକୃତ କରାଯିବା ସହ  ବିଭିନ୍ନ ବ୍ୟାଙ୍କ ଖାତାରୁ ୭୫ ଲକ୍ଷ ଟଙ୍କାରୁ ଅଧିକ ରାଶି ପୁଲିସ  ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ  ମୋକେଇପୁର ଗ୍ରାମର ଦେବାଶିଷ ରାଉତ।

ଅଭିଯୁକ୍ତ ନିଜକୁ ଆର୍ ଏଣ୍ଡ ଡି ବିଭାଗ ଟେକ୍ନିକାଲ୍ ଆସିଷ୍ଟାଣ୍ଟ ବୋଲି ମିଛ ପରିଚୟ ଦେଇ ନକଲ ନିଯୁକ୍ତି ପତ୍ର ବ୍ୟବହାର କରି ନିର୍ଦୋଷ ଲୋକମାନଙ୍କୁ ଠକୁଥିଲା। ଏ ନେଇ ଜଣାପଡିବା ପରେ ଯାଜପୁର ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ  ଗୋପାଳପୁର ଗ୍ରାମର ସଞ୍ଜିବ ଜେନା ଓ ରାଜିବ ଜେନାଙ୍କ ନାମରେ ଅଭିଯୁକ୍ତ ଅନେକ ବ୍ୟାଙ୍କ ଖାତା ଖୋଲିଛି । ସଞ୍ଜିବ ଓ ରାଜୀବ ଦିନମଜୁରିଆ ହୋଇ ଅଭିଯୁକ୍ତଙ୍କ ଅଧୀନରେ କାମ କରୁଥିଲେ। ସେହି ବ୍ୟାଙ୍କ ଖାତାଗୁଡ଼ିକର ଯାଞ୍ଚ ବେଳେ ଆଇଏମପିଏସ ଓ ୟୁପିଆଇ ମାଧ୍ୟମରେ ଅଜଣା ଉତ୍ସରୁ କୋଟି କୋଟି ଟଙ୍କାର ଲେନଦେନ ହୋଇଥିବା ପ୍ରମାଣ ମିଳିଥିଲା।