ଭୁବନେଶ୍ୱର,୨୩/୧୦ : ବଙ୍ଗୋପସାଗରରେ ଘନି ଭୂତ ହୋଇଥିବା ଗଭୀର ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇସାରିଥିବାବେଳେ ଏହା ଏବେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ସକାଳେ ଏହି ଘୂର୍ଣ୍ଣିବାତ୍ୟା ପାରାଦ୍ୱୀପର ଦକ୍ଷିଣ ପୂର୍ବରେ ୫୩୦କିମି ଦୂରରେ ଥିବାବେଳେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଗୁରୁବାର ଅପରାହ୍ନ କିମ୍ବା ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳରେ ରାଜନଗର ନିକଟରେ ଅତିକ୍ରମ କରିବ ବୋଲି ସିଇସି ପକ୍ଷରୁ ଏକ ବୁଲେଟିନ୍ରେ କୁହାଯାଇଛି ।
ଏହି ବାତ୍ୟାର ପ୍ରଭାବ ଅଧିକ ମାତ୍ରାରେ ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଅନୁଭୂତ ହେବା ସମ୍ଭାବନା ଥିବାବେଳେ ଏହି ସମୟରେ ପବନର ବେଗ ଘଂଟା ପ୍ରତି ୮୦କିମି ରହିବ । ବୁଧବାର ରାତି ୧୧ଟାରୁ ଏହି ସବୁ ଜିଲ୍ଲା ଗୁଡ଼ିକରେ ତୀବ୍ର ପବନ ବହିବା ଆରମ୍ଭ ହୋଇପାରେ । ପବନର ବେଗ ଗୁରୁବାର ପୂର୍ବାହ୍ନ ସୁଦ୍ଧା ଘଂଟା ପ୍ରତି ୧୦୦ରୁ ୧୨୦ କିମି ହେବାର ସମ୍ଭାବନା ରହିଛି ।
ଘୂର୍ଣ୍ଣିବାତ୍ୟା ‘ଦାନା’ ସ୍ଥଳ ଭାଗ ଛୁଇଁବା ସମୟରେ ଭୁବନେଶ୍ୱର ସହର ଏବଂ ଏହାର ଆଖପାଖ ଅଂଚଳରେ ପବନର ବେଗ ଘଂଟା ପ୍ରତି ୪୫ରୁ ୬୦କିମି ରହିବାର ସମ୍ଭାବନା ଥିବାବେଳେ ଯାଜପୁର ଏବଂ ମୟୁରଭଞ୍ଜ ଜିଲ୍ଲା ଗୁଡ଼ିକରେ ୭୫ ରୁ ୯୦କିମି ଏବଂ ଗଞ୍ଜାମ ଜିଲ୍ଲାରେ ୩୫ରୁ ୪୫ କିମି ରହିବାର ସମ୍ଭାବନା ରହିଛି । ଉପକୂଳବର୍ତ୍ତି ଅଂଚଳରେ ବୁଧବାର ରାତିରୁ ସାମାନ୍ୟ ବର୍ଷା ହେବାର ସମ୍ଭାବନା ଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ମୟୁରଭଞ୍ଜ, ଖୋର୍ଦ୍ଧା ଏବଂ ଢ଼େଙ୍କାନାଳ ଜିଲ୍ଲାଗୁଡ଼ିକରେ ଗୁରୁବାର ସକାଳୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସିଇସି ପକ୍ଷରୁ କୁହାଯାଇଛି ।