ଏଣ୍ଟେବେରୁ କିନ୍ଶାସା ତିନି ଘଣ୍ଟାର ଉଡାଣ । ବିମାନ ଭିତରେ ଆଡାମ ହକ୍ସଚାଇଲ୍ଡଙ୍କ ଲିଖିତ "ରାଜା ଲିଓପୋଲ୍ଡଙ୍କ ଭୂତ: ଔପନିବେଶିକ ଆଫ୍ରିକାରେ ଲାଭ, ନିର୍ମମତା ଓ ବୀରତ୍ୱର କାହାଣୀ'କୁ ପଢ଼ି ମନେ ମନେ ଆଙ୍କୁଥିଲି "ଆଫ୍ରିକାର ହୃଦୟ' (ଆଫ୍ରିକାର ମଧ୍ୟଭାଗରେ ଅବସ୍ଥିତି ଯୋଗୁଁ) କଙ୍ଗୋର ଛବିକୁ । ଏନ୍ଜିଲି ଆନ୍ତର୍ଜାତିକ ବିମାନବନ୍ଦରରେ ଓହ୍ଲାଇ ଟାକ୍ସି ଧରିବାକୁ ଗଲି ଷ୍ଟାଣ୍ଡକୁ । ଟାକ୍ସିଷ୍ଟାଣ୍ଡ ଉଛୁଳି ପଡୁଥିଲା ଫରାସୀ ଭାଷାରେ । ପୃଥିବୀର ବୃହତ୍ତମ ଫରାସୀ ଭାଷୀ ସହର କିନ୍ଶାସା । ଖଣ୍ଡିଆ ଫରାସୀରେ ପଚାରିଲି "ବୋଁଜୁର୍, ଭୁ ପୁଭେଜାଲେ ଆ ଗୋମ୍ବେ (ନମସ୍କାର, ଆପଣ ଗୋମ୍ବେକୁ ଯାଇପାରିବେ କି)?'
ଗୋମ୍ବେ ସ୍ଥିତ ହୋଟେଲ ପାଖାପାଖି ଘଣ୍ଟାକର ରାସ୍ତା । ଏଫ୍ଏମ୍ ରେଡିଓରୁ ଭାସିଆସୁଥିଲା ଲିଙ୍ଗାଲା ରୁମ୍ବା ଗୀତ "ୟୋ କାକା' (ସ୍ଥାନୀୟ ଲିଙ୍ଗାଲା ଭାଷାରେ "ୟା' ଅର୍ଥ "ତୁମେ' ଓ "କାକା' ମାନେ "କେବଳ') । "ୟା କାକା' ହେଉଛି ଭକ୍ତି, ମନର ପ୍ରଶାନ୍ତି ଏବଂ ସମସ୍ତଙ୍କ ମଧ୍ୟରୁ କେବଳ ଜଣକୁ ବାଛିନେବାର ଭାବନାକୁ କେନ୍ଦ୍ରକରି ଗଢ଼ା ଏକ ଆତ୍ମସ୍ପର୍ଶୀ ଆଫ୍ରିକୀୟ ପ୍ରେମ କାହାଣୀ । ଏହି ରୋମାଣ୍ଟିକ ରୁମ୍ବାରୁ ହୃଦୟ ଅବଶେଷରେ ବୁଝିପାରେ ଯେ ପ୍ରକୃତ ସୁଖ ନିହିତ କେବଳ ଜଣକର ମିତ୍ରତାରେ, ଅର୍ଥାତ୍ ୟା କାକା (କେବଳ ତୁମେ) ରେ । ମାୟାଧର ମାନସିଂହଙ୍କ "ପ୍ରେମ ନୁହେଁ ଦେହୁଁ ଦେହ ଭାଗ ଅନ୍ୱେଷଣ, ପ୍ରେମ ଏକ ଆତ୍ମା ପ୍ରତି ଅନ୍ୟର ବନ୍ଦନ’ ଏବଂ "ସକଳେ ଡାକନ୍ତି "ତମେ' "ତମେ' ବୋଲି ସେ "ତମେ'ର ମୂଲ ନାହିଁ, ତମେ ଯେବେ ମୋତେ "ତମେ' ବୋଲି କହ, ଏତେ ମିଠା କାହିଁ ପାଇଁ?' ବାସ୍ତବିକ, ଲିଙ୍ଗାଲା ରୁମ୍ବାର ଆତ୍ମାକୁ ବଖାଣେ । କଙ୍ଗୋଲୀୟ ରୁମ୍ବାକୁ ବିଶ୍ୱ ଐତିହ୍ୟ ତାଲିକାରେ ସମ୍ମିଳିତ କରି କିନ୍ଶାସାକୁ "ସୃଜନଶୀଳ ସଙ୍ଗୀତ ସହର'ର ମାନ୍ୟତା ଦେଇଛି ୟୁନେସ୍କୋ । ଲାଇଭ୍ ରୁମ୍ବା ବିନା କଙ୍ଗୋ ବୁଲା ଅଲଣା ତରକାରି ସଦୃଶ!
ଆଫ୍ରିକାର ଦ୍ୱିତୀୟ ବୃହତ୍ତମ (କ୍ଷେତ୍ରଫଳ ଅନୁସାରେ) ଓ ଚତୁର୍ଥ ସର୍ବାଧିକ ଜନବହୁଳ ଦେଶ ଡି.ଆର୍. କଙ୍ଗୋ (ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ସଂକ୍ଷେପରେ ଡିଆର୍ସି)ର ରାଜଧାନୀ କିନ୍ଶାସା । ସହର ଉପକଣ୍ଠର ଘନ ବସତି ଚିରି ଟାକ୍ସି ଯେତେବେଳେ ଭିଡ଼ଭାଡ଼ ରାସ୍ତାକଡ଼ର ଛୋଟ ବଡ଼ ଦୋକାନବଜାର ଟପି ଅବଶେଷରେ ଗୋମ୍ବେ ନିକଟରେ ପହଞ୍ଚିଲା, ବିଶେଷକରି ବୁଲଭାର୍ ଦୁ ଥର୍ଟି ଜୁଆଁ (ରାସ୍ତାର ନାଁ) ପାଖରେ ସମୁଦ୍ରସମ ଏକ ବିଶାଳ ଧୂସର-ନୀଳ ଜଳରାଶିଠିଁ ଆଖି ମୋର ଲାଖିଗଲା । ଇଏ ତାହାହେଲେ ସେ ଭୀମସୁନ୍ଦର କଙ୍ଗୋ ନଦୀ!
ଆମାଜନ ପରେ ପୃଥିବୀର ଦ୍ୱିତୀୟ ବୃହତ୍ତମ ଏବଂ ନୀଳନଦୀ ପଛକୁ ଆଫ୍ରିକାର ଦ୍ୱିତୀୟ ଦୀର୍ଘତମ ନଦୀ । ପାଖାପାଖି ୭୦ରୁ ୭୫ଟି ଭାରତୀୟ ହାତୀକୁ ଗୋଟିଏ ଉପରେ ଗୋଟିଏ ଠିଆ କରାଇ ଯେଉଁ "ହାତୀର ମୀନାର' ଗଠିତ ହେବ, ତାକୁ ଅଚିରେ ଡୁବାଇଦେବ ପୃଥିବୀର ଏହି ଗଭୀରତମ ନଦୀ କଙ୍ଗୋ! ଡିଆରସିର ଧମନୀ ବୋଲାଉଥିବା କଙ୍ଗୋ ନଦୀ ବିଷୁବରେଖାକୁ ଦୁଇଥର ଅତିକ୍ରମ କରେ, ଥରେ ଦକ୍ଷିଣ ଗୋଲାର୍ଦ୍ଧରୁ ଉତ୍ତର ଗୋଲାର୍ଦ୍ଧକୁ ପ୍ରବେଶ କଲାବେଳେ ମ୍ବାନ୍ଦାକା ନିକଟରେ ଏବଂ ଆଉଥରେ ଦକ୍ଷିଣ-ପଶ୍ଚିମ ଦିଗକୁ ବଙ୍କାଇ ଦକ୍ଷିଣ ଗୋଲାର୍ଦ୍ଧକୁ ଫେରିବାବେଳେ ଲିରାଙ୍ଗା ନିକଟରେ । ଏହି ଅଦ୍ଭୁତ ପଥର କାରଣରୁ କଙ୍ଗୋ ନଦୀକୁ ଦୁଇ ଗୋଲାର୍ଦ୍ଧରୁ ବର୍ଷାଜଳ ମିଳି ବର୍ଷସାରା ଜଳପ୍ରବାହକୁ ସ୍ଥିର ରଖେ ।
ନଦୀର ଏ କୂଳରେ କିନ୍ଶାସା, ଆର କୂଳରେ ବ୍ରାଜାଭିଲ୍ (କଙ୍ଗୋ ଗଣରାଜ୍ୟର ରାଜଧାନୀ), ମୁହାଁମୁହିଁ ବିଶ୍ୱର ନିକଟତମ ଦୁଇଟି ରାଜଧାନୀ! ପରସ୍ପର ଭିତରେ ହାରାହାରି ପାଞ୍ଚ କିଲୋମିଟରର ତଫାତ୍ । ଡିଆରସି ଓ କଙ୍ଗୋ ଗଣରାଜ୍ୟ ଉଭୟ ୧୯୬୦ ମସିହାରେ ସ୍ୱାଧୀନ ହୋଇଥିଲେ, ଡିଆରସି ବେଲଜିୟମ୍ ଠାରୁ ୩୦ ଜୁନ୍ ୧୯୬୦ରେ ଏବଂ କଙ୍ଗୋ ଗଣରାଜ୍ୟ ଫ୍ରାନ୍ସ ଠାରୁ ୧୫ ଅଗଷ୍ଟ ୧୯୬୦ରେ । ହ୍ରଦର ଭ୍ରମ ସୃଷ୍ଟି କରୁଥିବା "ପୁଲ୍ ମାଲେବୋ' ଠାରେ ନଦୀଟି ଅଚାନକ ଚଉଡ଼ା ହୋଇ ପ୍ରସାରିତ ହୋଇଯାଏ ୨୪ କିଲୋମିଟର ଯାଏଁ ।
କଙ୍ଗୋନଦୀ ଏକ ଭୌଗୋଳିକ ବିସ୍ମୟ । ଏଥିରୁ ପ୍ରତିବର୍ଷ ପଚାଶ କୋଟି ଅଲିମ୍ପିକ ସ୍ୱିମିଂ ପୁଲ୍ ପରିମାଣର ପାଣି ଆଟଲାଣ୍ଟିକ ମହାସାଗରକୁ ବହିଥାଏ, ଯାହା ପ୍ରାୟ ସାରା ଭାରତକୁ ଅଧମିଟର ଗଭୀରତାର ପାଣିରେ ଢାଙ୍କିଦେବା ପାଇଁ ଯଥେଷ୍ଟ । ପ୍ରଥମ ୩୫୦ କିଲୋମିଟରର ଯାତ୍ରାକାଳରେ କଙ୍ଗୋନଦୀ ସଙ୍କୁଚିତ ଖାଇ ଦେଇ ପ୍ରବାହିତ ହୋଇ ବତିଶଟି ପୃଥକ୍ ପ୍ରପାତ ମାଧ୍ୟମରେ ଏମିତି ଜୋରରେ କଚାଡ଼ି (ଏଇ ଲମ୍ଫ ଚାଳିଶ ମହଲା ଘର ଉଚ୍ଚର ଢେଉ ସୃଷ୍ଟିକରେ) ହୋଇପଡ଼େ ଯେ ତହିଁରୁ ଯେତିକି ଜଳବିଦ୍ୟୁତ୍ ଉତ୍ପାଦନ ହୋଇପାରିବ ତାହା ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ସମସ୍ତ ହ୍ରଦ ଓ ନଦୀର ସମ୍ଭାବ୍ୟ ଜଳବିଦ୍ୟୁତ୍ ଉତ୍ପାଦନ କ୍ଷମତା ସହିତ ସମାନ ହେବ ।
ଅଙ୍ଗାରକାମ୍ଳ ଶୋଷଣ କରିବାରେ ଅକ୍ଷମ ମଣିଷର ଫୁସଫୁସ ଦିନକୁ ପ୍ରାୟ ୮୦୦ରୁ ୧୦୦୦ ଗ୍ରାମ୍ ଅଙ୍ଗାରକାମ୍ଳ (କାର୍ବନ ଡାଇଅକ୍ସାଇଡ) ନିଃଶ୍ୱାସରେ ଛାଡ଼ିଥାଏ । କିନ୍ତୁ ଉଦ୍ଭିଦ ଅଙ୍ଗାରକାମ୍ଳ ଓ ପାଣିକୁ ବ୍ୟବହାର କରି ଖାଦ୍ୟ (ଗ୍ଲୁକୋଜ) ତିଆରି କରେ ଏବଂ ଅମ୍ଳଜାନ (ଅକ୍ସିଜେନ୍) ଛାଡ଼େ । ଏହାକୁ ଆଲୋକସଂଶ୍ଳେଷଣ (ଫୋଟୋସିନ୍ଥେସିସ୍) କୁହାଯାଏ । ଜୀବ ଓ ଭଦ୍ଭିଦ ଜଗତର ଏହି ସୂକ୍ଷ୍ମ ସନ୍ତୁଳନ ସେତେବେଳେ ବିଗିଡିଯାଏ, ଯେତେବେଳେ ମଣିଷ କୋଇଲା, ପେଟ୍ରୋଲିୟମ୍ ଓ ଗ୍ୟାସ୍ ପରି ଜୀବାଶ୍ମ ଇନ୍ଧନକୁ ମନଇଚ୍ଛା ଜଳାଇ ନୂତନ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛାଡ଼େ । ଅଙ୍ଗାରକାମ୍ଳ ବୃଦ୍ଧି ବିଶ୍ୱ ଉଷ୍ମାୟନ (ଗ୍ଲୋବାଲ ୱାର୍ମିଂ) ଓ ଜଳବାୟୁ ପରିବର୍ତ୍ତନ ଘଟାଏ । କଙ୍ଗୋନଦୀ ଅବବାହିକାରେ ଥିବା ଅରଣ୍ୟ, ଯାହା ପାଖାପାଖି ୨୪ଟି ଓଡ଼ିଶା ସହିତ ସମାନ, ତାହା ପୃଥିବୀର ଦ୍ୱିତୀୟ ବୃହତ କାର୍ବନ ସଂଗ୍ରହ କେନ୍ଦ୍ର ଭାବରେ ବର୍ଷକୁ ପ୍ରାୟ ୧୩୦୦୦ ଲକ୍ଷ ଟନ୍ ଅଙ୍ଗାରକାମ୍ଳ ଶୋଷଣ କରିପାରେ । ଏକ ସାଧାରଣ ପ୍ରାପ୍ତବୟସ୍କ ଗଛର ବାର୍ଷିକ ଅଙ୍ଗାରକାମ୍ଳ ଶୋଷଣ କ୍ଷମତାକୁ ୨୦ରୁ ୨୫ କିଲୋଗ୍ରାମ୍ ମନେକରି କଙ୍ଗୋ ଜଙ୍ଗଲରେ ମୋଟାମୋଟି ୫୦୦୦ରୁ ୬୦୦୦ କୋଟି ଗଛ (୮୨୦କୋଟି ଜନସଂଖ୍ୟା ବିଶିଷ୍ଟ ପୃଥିବୀରେ ପ୍ରତି ଜଣେ ମଣିଷ ପିଛା ୬ରୁ ୭ଟି ଗଛ) ଥିବାର ଆକଳନ କରିପାରିବା । ପୃଥିବୀର ଜଳବାୟୁ ସନ୍ତୁଳନକୁ ଧରି ରଖୁଥିବାରୁ "ପୃଥିବୀର ଦ୍ୱିତୀୟ ଫୁସଫୁସ' (ପ୍ରଥମ, ଆମାଜନ ଜଙ୍ଗଲ) କୁହାଯାଉଥିବା କଙ୍ଗୋ ଜଙ୍ଗଲ ମଲେ ଆମେ ମରିବା ଥୟ!
କଙ୍ଗୋ ଏକ ଭୂତାତ୍ତ୍ୱିକ ଚମତ୍କାର । ଏଠାରେ ତମ୍ବା, କୋବାଲ୍ଟ, କୋଲଟାନ୍, ହୀରା, ସୁନା ଓ ୟୁରାନିୟମର ବିପୁଳ ଭଣ୍ଡାର ରହିଛି । କୋବାଲ୍ଟ ଦରକାର ମୋବାଇଲ୍, ଲ୍ୟାପଟପ୍, ଇଲେକଟ୍ରିକ୍ ଗାଡ଼ି(ଇଭି)ର ବ୍ୟାଟେରୀ ପାଇଁ, ଇଲେକଟ୍ରୋନିକ୍ସର କାପାସିଟର୍ ତିଆରିରେ ବ୍ୟବହୃତ ଟାଣ୍ଟାଲମ୍ ଆସେ କୋଲଟାନରୁ ଏବଂ ବିଦ୍ୟୁତ ପରିବହନ, ସର୍କିଟ୍, ଗ୍ରିଡ୍, ମୋଟର ଇତ୍ୟାଦିରେ ଲାଗେ ତମ୍ବା । ଏସବୁ ଆସେ କଙ୍ଗୋର ଖଣିରୁ । ସେଥିପାଇଁ କଙ୍ଗୋର ଅନ୍ୟ ନାମ "ଆଧୁନିକ ପ୍ରଯୁକ୍ତିର ଖଣିଜ ହୃଦୟ' ।
ଊନବିଂଶ ଶତାବ୍ଦୀର ଶେଷଭାଗରେ ଆଫ୍ରିକାରେ ଉପନିବେଶ ହାତେଇବା ଦଉଡ଼ରେ ୟୁରୋପର ମହାଶକ୍ତିଗୁଡ଼ିକ ମାତିଥିଲାବେଳେ ବେଲଜିୟମର ରାଜା ଲିଓପୋଲ୍ଡ ଦ୍ୱିତୀୟ (୧୮୮୫-୧୯୦୮) ଚୁପ୍ କିନା କଙ୍ଗୋକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି କରିନେଇ ଯେଉଁ ବର୍ବର ଔପନିବେଶିକ ଶାସନର ମୂଳଦୁଆ ରଖିଲେ, ତାହା ବର୍ଷ କେଇଟାରେ କଙ୍ଗୋର ଅର୍ଦ୍ଧେକ ଜନସଂଖ୍ୟା (ପାଖାପାଖି ଶହେ ଲକ୍ଷ)କୁ ମୂଳପୋଛ କରିବାରେ ସମର୍ଥ ହୋଇଥିଲା! ରବର ଓ ହାତୀଦାନ୍ତର ନିର୍ଦ୍ଧାରିତ କୋଟା ପୂରଣ ହେଉନଥିଲେ ଗାଁମାନଙ୍କୁ ଜାଳି ଦିଆଯାଉଥିଲା, ହାତପାପୁଲି କାଟି ଦିଆଯାଉଥିଲା, ସ୍ତ୍ରୀମାନଙ୍କୁ ବନ୍ଧକ ବନାଯାଉଥିଲା । ବେଲଜିୟମ କଙ୍ଗୋ ଥିଲା ଔପନିବେଶିକ ଶୋଷଣର ନିଷ୍ଠୁରତମ ନିଦର୍ଶନ ।
କିନ୍ଶାସାର ରାସ୍ତାରେ ଛାତ୍ରଛାତ୍ରୀଙ୍କ କଥାବାର୍ତ୍ତାରେ ପାଟ୍ରିସ ଲୁମୁମ୍ବା (୧୯୨୫–୧୯୬୧) ଏକ ସଶ୍ରଦ୍ଧ ଉଚ୍ଚାରଣ । ସ୍ୱାଧୀନ କଙ୍ଗୋର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଲୁମୁମ୍ବାଙ୍କ ଦୃଷ୍ଟିକୋଣ କେବଳ ରାଜନୈତିକ ସ୍ୱାଧୀନତା ପର୍ଯ୍ୟନ୍ତ ସୀମିତ ନଥିଲା । ସେ ଚାହୁଁଥିଲେ ପ୍ରକୃତ ଅର୍ଥନୈତିକ ସ୍ୱାଧୀନତା, ଅର୍ଥାତ୍ କଙ୍ଗାବାସୀଙ୍କର ନିଜ ଭୂମି ଓ ସମ୍ପଦ ଉପରେ ସମ୍ପୂର୍ଣ୍ଣ ଅଧିକାର । ତେଣୁ, କଙ୍ଗୋକୁ ଲୁଟିବାରେ ଅଭ୍ୟସ୍ତ ଉପନିବେଶୀ ତାକତ୍ ଲୁମୁମ୍ବାଙ୍କୁ ରାସ୍ତାରୁ ହଟାଇବା ପାଇଁ ଚକ୍ରାନ୍ତ ରଚି ଶେଷରେ ୧୯୬୧ରେ ତାଙ୍କୁ ହତ୍ୟା (ଷ୍ଟୁଆର୍ଟ ଏ. ରିଡ୍ଙ୍କ ଦ୍ୱାରା ରଚିତ "ଦି ଲୁମୁମ୍ବା ପ୍ଲଟ୍: ଦି ସିକ୍ରେଟ୍ ହିଷ୍ଟ୍ରି ଅଫ୍ ଦି ସିଆଇଏ ଆଣ୍ଡ ଏ କୋଲ୍ଡ ୱାର୍ ଆସୋସିନେସନ୍' ପଢ଼ନ୍ତୁ) କରିବାରେ ସଫଳ ହେଲେ । କଙ୍ଗୋବାସୀଙ୍କ ପାଇଁ ଯେଉଁ ଲୁମୁମ୍ବା ଆଜି ବି ଅସମାପ୍ତ ସ୍ୱାଧୀନତାର ପ୍ରତୀକ, କିନ୍ଶାସାର କେନ୍ଦ୍ରୀୟ ଅଞ୍ଚଳ ନିକଟସ୍ଥ ଲିମେଟେ ଜିଲ୍ଲାରେ ଅବସ୍ଥିତ ତାଙ୍କ ସ୍ମୃତି ପୀଠରେ ବସିରହିଲି ଘଡ଼ିଏ ।
ଅସ୍ତିତ୍ୱ ଭଳି କଙ୍ଗୋ ମଧ୍ୟ ଏକ ରହସ୍ୟଘନ ବିରୋଧାଭାସ, ଯିଏ ପକ୍ଷ ବାଛିବାର ବିଳାସ ଦିଏନା, ଦିଏ ନିଷ୍ପକ୍ଷ ସ୍ୱୀକାର କରିବାର ଆହ୍ୱାନ । କାନପାତିଲେ ଶୁଭେ ସମୁଦ୍ର ପରି ପ୍ରସାରିତ ନଦୀ, ପୌରାଣିକ କାହାଣୀ ପରି ନିଘଞ୍ଚ ଜଙ୍ଗଲ, ସଞ୍ଚିତ ଧନ ଭଳି ମାଟି ତଳେ ପୋତା ଖଣିଜ ଏବଂ ଲିଓପୋଲ୍ଡର ଭୂତ-ଭାରୀ ଇତିହାସର ଗୁଞ୍ଜନ: "ସେ ଯେ ସତ୍ୟ, ଶିବ ସେହି ଏକା ସେ ସୁନ୍ଦର, ଭୂମା ସେ ରହିଛି ପୂରି ରେଣୁ ରେଣୁ ଭେଦି' ।