ଯେଉଁଠି ନାରୀମାନେ ପୂଜା ପାଆନ୍ତି ସେଠାରେ ଦେବତାମାନେ ରୁହନ୍ତି ବୋଲି ଆମ ଶାସ୍ତ୍ରରେ କୁହାଯାଇଛି । ଦୁର୍ଗାପୂଜା ଅବସରରେ ୯ଜଣ କରି କୁମାରୀ କନ୍ୟାଙ୍କୁ ପୂଜନ କରିବାର ବିଧି ରହିଛି । ଶିଶୁମାନଙ୍କ ସରଳ ଓ ନିଷ୍କପଟ ହୃଦୟ ଭିତରେ ଦେବତାମାନେ ରହିଥାନ୍ତି ବୋଲି ବିଶ୍ୱାସ କରାଯାଏ । ମହାଲକ୍ଷ୍ମୀ, ସରସ୍ୱତୀ ଓ ମହାକାଳୀଙ୍କୁ ଶକ୍ତିର ଆଧାର ଭାବେ ପୂଜା କରାଯାଏ । ଏହା ସତ୍ତେ୍ୱ ନାରୀ ପୂଜିତା ହେବା ପରିବର୍ତ୍ତେ ନିର୍ଯାତିତା କାହିଁକି?
କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ବିଭିନ୍ନ ବର୍ଷ ପାଇଁ "କ୍ରାଇମ୍ ଇନ୍ ଇଣ୍ଡିଆ' ଶୀର୍ଷକ ରିପୋର୍ଟ ପ୍ରକାଶ କରିଥାଏ । ରାଜ୍ୟମାନଙ୍କରୁ ସଂଗୃହୀତ ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥାଏ । ୨୦୨୪ ବର୍ଷର ଅପରାଧ ସ୍ଥିତି ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଛି ୨୦୨୬ ମଇ ମାସରେ । ଏହି ରିପୋର୍ଟରେ ବିଭିନ୍ନ କିସମର ଅପରାଧ, ସେଗୁଡ଼ି କର ତଦନ୍ତ, ବିଚାର ଓ ଦଣ୍ଡବିଧାନ ସଂକ୍ରାନ୍ତରେ ଯେଉଁ ପରିସଂଖ୍ୟାନ ସ୍ଥାନିତ ହୋଇଛି ସେଥିରୁ ଆମେ ନିଜକୁ ସଭ୍ୟ, ମାଜି ର୍ତ ଓ ସଂସ୍କୃତିସଂପନ୍ନ ବୋଲି ଦାବି କରିପାରିବା ନାହିଁ। ନାରୀ ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ, ନିର୍ଯାତନା, ଶୋଷଣ ଆଦି କାରଣରୁ ସେମାନଙ୍କ ମନର କୋହ ଓ ଆଖିର ଲୁହ ସତେଯେମିତି ଆମ ବ୍ୟବସ୍ଥାକୁ ଅଭିଶାପ ଦେଇଚାଲୁଛି ।
ଦେଶର ଆଇନ ଅଦାଲତଗୁଡ଼ିକରେ ୫କୋଟିରୁ ଅଧିକ ମାମଲା ବିଚାରାଧୀନ ଥିବାବେଳେ ସେଥିମଧ୍ୟରୁ ୩କୋଟି ୭୭ଲକ୍ଷରୁ ଅଧିକ ହେଉଛି ଅପରାଧିକ ମାମଲା । ସେହିଭଳି ଓଡ଼ିଶାରେ ୨୨ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ଥିବାବେଳେ ସେଥିରୁ ବି ପ୍ରାୟ ୧୫ଲକ୍ଷ ହେଉଛି ଅପରାଧିକ ମାମଲା । ଏହି ମାମଲାଗୁଡ଼ିକ ଭିତରୁ କିଏ ୨୫/୩୦ ବର୍ଷ ଧରି ଗଡୁଛି ତ ଆଉ କେଉଁ ମାମଲା ୧୫/୨୦ ବର୍ଷ ଧରି ବିଚାର ପ୍ରତୀକ୍ଷାରେ ରହିଛି । ଏଥିରୁ ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରୁନଥିବା ଏକପ୍ରକାର ସ୍ପଷ୍ଟ । କୁହାଯାଏ, ବିଳମ୍ବିତ ବିଚାର ବିଡମ୍ବିତ ବିଚାର । ମାମଲାର ଯନ୍ତ୍ରଣା ସତେଯେମିତି ମା' ମଲା ଦୁଃଖଠାରୁ ବଳି ପଡୁଛି ।
"ବାଲେଶ୍ୱର ସେକ୍ସ ସ୍କାଣ୍ଡାଲ' ମାମଲାର ବିଚାର ପାଇଁ ୨୬ବର୍ଷ ପରେ ବାଟ ଫିଟିଛି ଓ ଭୁବନେଶ୍ୱରର ସ୍ୱତନ୍ତ୍ର କୋର୍ଟରେ ସାକ୍ଷ୍ୟ ଗ୍ରହଣ କରାଯାଉଥିବା ଘେନି ଏବେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ୧୯୯୯ରୁ ଏହି ମାମଲା ଗଡୁଛି । ହଜାର ହଜାର ଘଟଣା ଭିତରୁ ଏହା କେବଳ ଉଦାହରଣଟିଏ ମାତ୍ର । ବହୁଚଚ୍ଚି ର୍ତ ଛବିରାଣୀ ହତ୍ୟାକାଣ୍ଡ ମାମଲାର ପରିସମାପ୍ତି ଘଟିବାକୁ ୨୦ବର୍ଷରୁ ଅଧିକ ସମୟ ଲାଗିଯାଇଥିବାବେଳେ ବଲାଙ୍ଗୀରର ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡର ବିଚାର ସରିବା ପାଇଁ ୪୦ବର୍ଷରୁ ଅଧିକ ସମୟ ଲାଗିଥିଲା ।
ଏବେ ଖବର ପ୍ରକାଶ ପାଇଛି ଯେ, ବ୍ରହ୍ମଗିରି ଥାନା ଅଞ୍ଚଳରେ ଜଣେ ୫ବର୍ଷୀୟ ଶିଶୁକନ୍ୟା ବଳାତ୍କାରର ଶିକାର ହୋଇଛି । ଏହା ପୂର୍ବରୁ ବ୍ରହ୍ମଗିରି ଅଞ୍ଚଳରେ ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ଜଣେ ଶିକ୍ଷକ ବଳାତ୍କାର କରିଥିବା ଏବଂ ସାତପଡ଼ା ଫାଣ୍ଡି ଅଞ୍ଚଳରେ ଅନ୍ୟ ଜଣେ ୬ ବର୍ଷୀୟା ଶିଶୁକନ୍ୟାର ହାତବାନ୍ଧି ବଳାତ୍କାର କରାଯିବା ଘେନି ପୁଲିସ ନିକଟରେ ଅଭିଯୋଗ ହୋଇଛି । କିଛିବର୍ଷ ତଳେ ମୟୂରଭଞ୍ଜ ଜିଲ୍ଲାରେ ଜଣେ ନିଶାଗ୍ରସ୍ତ ଯୁବକ ନିଜର ୯ବର୍ଷୀୟା ଝିଆରୀକୁ ବଳାତ୍କାର କରି ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଖୁଣ୍ଟରେ ଝୁଲିବାର ନଜିର ରହିଛି । ନିଶାସକ୍ତ ଅବସ୍ଥାରେ ବାପା, ଦାଦା ଓ ଭାଇଙ୍କ ଦ୍ୱାରା ବଳାତ୍କାରର ଶିକାର ହୋଇ ଝିଅମାନେ ଥାନାକୁ ଆସୁଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଏଭଳି ଜଣେ ବାପା ଓ ଅନ୍ୟ ଜଣେ ଦାଦାଙ୍କୁ ଅଦାଲତ ଦଣ୍ଡବିଧାନ କରିଛନ୍ତି । ବିଦ୍ୟାଳୟର କୋମଳମତି ଛାତ୍ରୀ ପ୍ରତାରଣା ଓ ଚାପର ଶିକାର ହୋଇ ଗର୍ଭବତୀ ହେଉଥିବା ଖବର ବାରମ୍ବାର ଗଣମାଧ୍ୟମରେ ପ୍ରକାଶ ପାଉଛି । କିଛିବର୍ଷ ଭିତରେ ପୀହୁ, ପରୀ, ବେବିନା ଠାରୁ କୁନ୍ଦୁଲି ପୀଡ଼ିତା ପର୍ଯ୍ୟନ୍ତ କେତେ ଅଘଟଣକୁ ନେଇ ରାଜନୈତିକ ଦଳମାନେ ରୁଟି ସେକିଛନ୍ତି । ଏସବୁ ସତ୍ତେ୍ୱ ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ କମିବା ପରିବର୍ତ୍ତେ ବଢ଼ିବଢ଼ି ଚାଲିଛି ।
ସାମାଜିକ ସ୍ଥିତି, ଲୋକଲଜ୍ୟା, ଚାପ ଓ ଅନ୍ୟାନ୍ୟ କାରଣରୁ ବହୁ ଶିଶୁ ଓ ନାରୀ ନିର୍ଯାତନା ଅପରାଧ ସଂକ୍ରାନ୍ତରେ ପୁଲିସ ନିକଟରେ ଅଭିଯୋଗ ହୁଏନାହିଁ । ଯେତେ ସଂଖ୍ୟକ ଅପରାଧିକ ମାମଲା ପୁଲିସ ନିକଟରେ ଦରଜ ହେଉଛି ସେଥିରୁ ବର୍ଷରେ ଅତି ବେଶିରେ ୪୦ ପ୍ରତିଶତରେ ଅଭିଯୋଗ ଫର୍ଦ୍ଦ ଅଦାଲତରେ ଦାଖଲ ହୋଇପାରୁଛି । ବର୍ଷ ବର୍ଷ ଧରି ମାମଲା ଗଡ଼ିଚାଲିବା ପରେ ଅନେକ କ୍ଷେତ୍ରରେ ପୀଡ଼ିତା, ତଦନ୍ତକାରୀ ଅଧିକାରୀ ଏବଂ ସାକ୍ଷୀମାନେ ବୟାନ ଦେବାକୁ ଠିକଣା ସମୟରେ ଅଦାଲତରେ ହାଜର ହୋଇପାରୁ ନାହାଁନ୍ତି । ସ୍ଥଳବିଶେଷରେ ଅଭିଯୁକ୍ତ ଓ ପୀଡ଼ିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ବିଚାର ସରୁନାହିଁ । ସାକ୍ଷ୍ୟ ପ୍ରମାଣ ଦୁର୍ବଳ ହେବାରୁ ଦଣ୍ଡବିଧାନ ହାର କମୁଛି ।
୨୦୨୬ ମଇ ମାସରେ ପ୍ରକାଶିତ ଭାରତ ସରକାରଙ୍କ "କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୪' ରିପୋର୍ଟରେ ଓଡ଼ ିଶା ସମେତ ଦେଶର ବିଭିନ୍ନ ରାଜ୍ୟ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ରହିଛି । ଏହି ରିପୋର୍ଟ ମୁତାବକ ମହିଳାମାନଙ୍କ ପ୍ରତି ଅପରାଧିକ ମାମଲାରୁ ୧,୯୫,୫୪୫ଟି ୨୦୨୪ ବର୍ଷରେ ବିଚାର ପାଇଁ ଓଡ଼ିଶାରେ ରହିଥିଲା । ଏଥିରୁ ମାତ୍ର ୧୦,୩୬୧ଟି ମାମଲା ଫଇସଲା ହେଲା । ସେଥିରୁ ୯,୪୮୦ଟିରେ ଅଭିଯୁକ୍ତମାନେ ଖଲାସ ହୋଇଯାଇଥିବାବେଳେ ୬୩୮ଟିରେ ଦଣ୍ଡବିଧାନ ହୋଇଥିଲା । ଆଉ କେତେକ ମାମଲାର ବିନା ବିଚାରରେ ପରିସମାପ୍ତ ଘଟିଲା ।
ଏହି ସରକାରୀ ତଥ୍ୟ ମୁତାବକ, ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଓଡ଼ିଶାରେ ଉକ୍ତ ବର୍ଷରେ ଫଇସଲା ହାର ମାତ୍ର ୫.୩ ପ୍ରତିଶତ ଥିବାବେଳେ ଦଣ୍ଡବିଧାନ ହାର ଥିଲା ୬.୩ ପ୍ରତିଶତ । ସାରା ଦେଶରେ ମହିଳାମାନଙ୍କ ପ୍ରତି ଅପରାଧିକ ମାମଲାରୁ ୨୬,୪୦,୬୯୮ଟି ୨୦୨୪ ବର୍ଷରେ ବିଚାର ପାଇଁ ଥିବାବେଳେ ସେଥିରୁ ୨,୦୮,୧୭୧ଟିର ଫଇସଲା ହୋଇଥିଲା । ଯେଉଁଥିରେ ୧,୨୩,୩୪୦ରେ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇଥିବାବେଳେ ୪୫,୮୩୨ଟିରେ ଦଣ୍ଡିତ ହୋଇଥିଲେ । ମୋଟାମୋଟି ଭାବେ ଉକ୍ତ ବର୍ଷରେ ଏଭଳି ସମ୍ବେଦନଶୀଳ ମାମଲାରେ ସାରା ଦେଶରେ ୭.୯ ପ୍ରତିଶତ ମାମଲା ଫଇସଲା ହୋଇଥିବାବେଳେ ଦଣ୍ଡବିଧାନ ହାର ଥିଲା ୨୫.୭ ପ୍ରତିଶତ । କେନ୍ଦ୍ର ସରକାରଙ୍କ ଏହି ରିପୋର୍ଟରୁ ଜଣାପଡୁଛି ଯେ ମହିଳାଙ୍କ ପ୍ରତି ଅପରାଧିକ ମାମଲାରେ ଓଡ଼ ିଶାରେ ଦଣ୍ଡବିଧାନ ଓ ଫଇସଲା ହାର ଜାତୀୟ ସ୍ତରଠାରୁ ଢେର କମ୍ ।
ସେହିଭଳି ଶିଶୁମାନଙ୍କ ପ୍ରତି ଅପରାଧିକ ମାମଲା ସଂକ୍ରାନ୍ତରେ ଏହି ରିପୋର୍ଟରେ ଯେଉଁ ପରିସଂଖ୍ୟାନ ରହିଛି ତାହାବି ଉଦ୍ବେଗଜନକ । ଶିଶୁମାନଙ୍କ ପ୍ରତି ଅପରାଧ ମାମଲାଗୁଡ଼ିକ ଭିତରୁ ଆମ ରାଜ୍ୟରେ ୨୦୨୪ ବର୍ଷରେ ବିଚାର ପାଇଁ ରହିଥିଲା ୨୫,୫୧୯ଟି । ଏଥିରୁ ୨୦୦୩ଟି ଫଇସଲା ହୋଇଥିବାବଳେ ଦଣ୍ଡବିଧାନ କରାଯାଇପାରିଥିଲା ମାତ୍ର ୨୨୦ଟିରେ ଓ ଅଭିଯୁକ୍ତମାନେ ଖସିଯାଇଥିଲେ ୧୭୭୨ଟିରେ । ଆଉ କେତେକ ମାମଲାର ବିନା ବିଚାରରେ ପରିସମାପ୍ତି ଘଟିଥିଲା । ମୋଟାମୋଟି ଭାବେ ଉକ୍ତ ବର୍ଷରେ ଏଭଳି ସମ୍ବେଦନଶୀଳ ମାମଲାରେ ଆମ ରାଜ୍ୟରେ ଦଣ୍ଡବିଧାନ ହାର ୧୧ ପ୍ରତିଶତ ଥିବାବେଳେ ଫଇସଲା ହୋଇଥିଲା ମାତ୍ର ୭.୮ ପ୍ରତିଶତ ମାମଲା । ସାରା ଦେଶରେ ଶିଶୁମାନଙ୍କ ପ୍ରତି ଅପରାଧ ସଂକ୍ରାନ୍ତୀୟ ୭,୦୭,୫୨୩ଟି ମାମଲା ୨୦୨୪ ବର୍ଷରେ ବିଚାର ପାଇଁ ଥିବାବେଳେ ସେଥିରୁ ମାତ୍ର ୬୨,୬୩୬ଟି ଫଇସଲା ହୋଇଥିଲା । ଏଥିରୁ ୩୭,୪୩୩ରେ ଅଭିଯୁକ୍ତମାନେ ଦୋଷମୁକ୍ତ ହୋଇଥିବାବେଳେ ୨୦,୫୧୩ଟିରେ ଦଣ୍ଡବିଧାନ ହୋଇଥିଲା । ମୋଟାମୋଟି ଭାବେ ଉକ୍ତ ବର୍ଷରେ ଏଭଳି ସମ୍ବେଦନଶୀଳ ମାମଲାରେ ସାରା ଭାରତରେ ଦଣ୍ଡବିଧାନ ହାର ୩୩.୯ ପ୍ରତିଶତ ଥିବାବେଳେ ଫଇସଲା ହାର ଥିଲା ୮.୯ ପ୍ରତିଶତ । ଏଥିରୁ ଏହି କିସମର ମାମଲାରେ ଓଡ଼ ିଶାରେ ଦଣ୍ଡବିଧାନ ହାର ଜାତୀୟ ସ୍ତର ତୁଳନାରେ ଅତି ନଗଣ୍ୟ ବୋଲି କୁହାଯାଇପାରେ ।
ମହିଳା ଓ ଶିଶୁମାନଙ୍କ ପ୍ରତି ଅପରାଧ ସଂକ୍ରାନ୍ତୀୟ ଯେତେ ମାମଲାରେ ଦଣ୍ଡବିଧାନ ହୋଇଥାଏ ସେଥିରୁ ଅଧିକାଂଶରେ ଅଭିଯୁକ୍ତମାନେ ଉପର ଅଦାଲତକୁ ଅପିଲରେ ଯାଇଥାନ୍ତି। ଅଭିଯୁକ୍ତ ଯଦି ବିତ୍ତଶାଳୀ ହୋଇଥାଏ ତେବେ ସେ ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଏହି ମାମଲା ଟାଣନ୍ତି । ଉତ୍ତରପ୍ରଦେଶର ଉନ୍ନାଓରେ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ କୁଲଦୀପ ସିଂ ସେଙ୍ଗର ନାମକ ଜଣେ ବିଧାୟକ ଜେଲ୍ ଯିବା ଘଟଣା ଦୀର୍ଘବର୍ଷ ଧରି ଚର୍ଚ୍ଚାରେ ରହିଛି । ଓଡ଼ିଶାର ଦୁଇଜଣ ପୂର୍ବତନ ବିଧାୟକ ନାରୀ ଓ ଶିଶୁ ହତ୍ୟା ଅଭିଯୋଗରେ ଜେଲ୍ ଖଟିବା ନଜିର ରହିଛି । ଜାମ୍ମୁ କାଶ୍ମୀରର କାଠୁଆରେ ଜଣେ ନାବାଳିକାକୁ ବଳାତ୍କାର କରାଯିବା ଘଟଣା ଗୋଟିଏ ସମୟରେ ସାରାଦେଶରେ ଚହଳ ସୃଷ୍ଟି କରିଥିଲା । ଗୁଜରାଟର ବିଲ୍କିସ୍ ବାନୋ ମାମଲା ଠାରୁ ଦିଲ୍ଲୀର ନୈନା ସାହାଣୀ, ନିର୍ଭୟା ଓ କଲିକତାର ଅଭୟା ଘଟଣା ଏବେ ବି ଜନମାନସରେ ତାଜା ହୋଇ ରହିଛି । ବାଲେଶ୍ୱରର ଫକୀର ମୋହନ କଲେଜରେ ଅଧ୍ୟାପକ ଦେଉଥିବା ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ଛାତ୍ରୀ ଆତ୍ମାହୁତି ଦେବା ଜନମାନସକୁ ସ୍ତବ୍ଧ କରିଦେଇଥିଲା । ଏହାସତ୍ତେ୍ୱ ବି ପ୍ରାୟ ପ୍ରତିଦିନ ଗଣମାଧ୍ୟମରେ ମହିଳା ଓ ଶିଶୁମାନଙ୍କ ପ୍ରତି ବର୍ବରୋଚିତ ଅପରାଧ ସଂକ୍ରାନ୍ତୀୟ ଦୁଃସମ୍ବାଦମାନ ପ୍ରକାଶ ପାଉଛି ।
କ୍ରାଇମ୍ ଇନ୍ ଇଣ୍ଡିଆର ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୨ ଓ ୨୦୨୩ ବର୍ଷରେ ମିଶି ଓଡ଼ିଶାରେ ଯେତେ ହିଂସ୍ର/ଜଘନ୍ୟ ଅପରାଧ ଘଟିଥିଲା ୨୦୨୪ରେ ତାହାର ପରିମାଣ ଅଧିକ ହୋଇଥିଲା । କେବଳ ୨୦୨୪ ବର୍ଷରେ ଓଡ଼ିଶାରେ ୭୫,୪୦୩ଟି ଜଘନ୍ୟ ଅପରାଧ ଘଟିଥିଲା । ଏଥିମଧ୍ୟରେ ୧୨୬୮ଟି ବଳାତ୍କାର, ୧୧୮ଟି ଦୁଷ୍କର୍ମ ଉଦ୍ୟମ, ୧୨୫୮ଟି ହତ୍ୟା, ୬୮୧୫ଟି ଶିଶୁ ଅପହରଣ ମାମଲା ଅନ୍ତର୍ଭୁକ୍ତ । କେନ୍ଦ୍ର ଓ ରାଜ୍ୟ ସରକାରମାନେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଖୋଲିଛନ୍ତି । ଜାତୀୟ ଓ ରାଜ୍ୟସ୍ତରରେ ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା କମିଶନ ଆଦି ରହିଛି । ପକ୍ସୋ ଆଇନ ବି ଶିଶୁ ନିର୍ଯାତନା ନିବାରଣ ପାଇଁ ଅଛି । ମା'ପେଟରୁ ଭ୍ରୂଣହତ୍ୟା ରୋକିବା ଲାଗି ଆଇନ ଅଛି। ସତେଯେମିତି ଜନ୍ମରୁ ଜୁଇ ପର୍ଯ୍ୟନ୍ତ ଏ ସମସ୍ୟା ଲାଗିରହିଛି । ସୁପ୍ରିମକୋର୍ଟ ବିଶାଖା ମାର୍ଗ ନିର୍ଦ୍ଦେଶିକା ଜାରି କରିବା ପରେ ସରକାର ବି ଆଇନ କରିଛନ୍ତି । ପୀଡ଼ିତାମାନଙ୍କୁ ସହାୟତା ଦେବା ଲାଗି ସ୍ୱତନ୍ତ୍ର ପାଣ୍ଠିର ବ୍ୟବସ୍ଥା ଅଛି । ବହୁ ଆଇନ ଥିବା ସତ୍ତେ୍ୱ ଅନ୍ୟାନ୍ୟ ଅପରାଧ ସହ ତାଳଦେଇ ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ବଢ଼ିଚାଲିବା ଆମ ସମସ୍ତଙ୍କ ପାଇଁ ଲଜ୍ୟାର ବିଷୟ । ସରକାରୀ ଓ ସାମାଜିକ ସ୍ତରରେ ଏହାର ନିୟନ୍ତ୍ରଣ କରାଯିବା ପରିବର୍ତ୍ତେ ନିଶାର ଭୟଙ୍କର ପ୍ରସାର ସହିତ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ମାଳମାଳ ଅସାମାଜିକ ବାର୍ତ୍ତା ଓ ଛବି ଅପରାଧ ବୃଦ୍ଧିର କାରଣ ହେଉଛି । କେବଳ ସରକାର ଓ ବିଚାରାଳୟ ଉପରେ ନିରାପତ୍ତା ପାଇଁ ନିର୍ଭର ନକରି ପ୍ରତି ପରିବାରରେ ଏ ସଂକ୍ରାନ୍ତରେ ଜାଗରଣ ସୃଷ୍ଟି ହେବା ଆବଶ୍ୟକ । ଶିଶୁ ହସିଲେ ଦେଶ ହସିବ-ନାରୀର ଲୁହରେ ବ୍ୟବସ୍ଥା ଭାସିଯିବ । ଏହାକୁ ଆଖିଆଗରେ ରଖି ପ୍ରତିକାରାତ୍ମକ ପଦକ୍ଷେପ ବ୍ୟକ୍ତି, ସମାଜ ଓ ରାଷ୍ଟ୍ର ସ୍ତରରେ ବ୍ୟାପକ ହେବା ଉଚିତ।