ପ୍ରସିଦ୍ଧ ଅର୍ଥନୀତିଜ୍ଞ ଏବଂ ସାମାଜିକ ସମାଲୋଚକ ଜନ୍ କେନେଥ୍ ଗାଲବ୍ରେଥ ତାଙ୍କର ଐତିହାସିକ କୃତି "ଦି ଆଫ୍ଲୁଏଣ୍ଟ ସୋସାଇଟି' (The Affluent Society)ରେ ଆଧୁନିକ ପୁଞ୍ଜିବାଦୀ ସମାଜ ଏବଂ ଭୌତିକ ବା ବସ୍ତୁଗତ ସମୃଦ୍ଧି material prosperity)ତଳେ ଲୁଚି ରହିଥିବା ବିରୋଧାଭାସଗୁଡ଼ିକୁ କଠୋର ଭାବେ ସମାଲୋଚନା କରିଥିଲେ । ପାଶ୍ଚାତ୍ୟ ଦେଶରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ବିକାଶ ସମୟରେ ଉତ୍ପାଦନ ଏବଂ ଆର୍ଥିକ ଅଭିବୃଦ୍ଧି ଆପେ ଆପେ ସାମାଜିକ ପ୍ରଗତି ଏବଂ ମାନବ କଲ୍ୟାଣ ହାସଲ କରେ ବୋଲି ଯେଉଁ ଦୃଢ଼ ଧାରଣା ସୃଷ୍ଟି କରାଯାଇଥିଲା, ଏହି ପୁସ୍ତକରେ ସେ ତାହାକୁ ବ୍ୟାପକ ଭାବରେ ଚ୍ୟାଲେଞ୍ଜ କରିଥିଲେ ।

​​​​​​​

ଗାଲବ୍ରେଥ ଯୁକ୍ତି ଦେଇଥିଲେ ଯେ ଧନୀ, ପୁଞ୍ଜିପତିମାନେ ଗୋଟିଏପଟେ ପ୍ରାୟତଃ ପ୍ରଚୁର ବ୍ୟକ୍ତିଗତ ସମ୍ପଦ ସୃଷ୍ଟି କରନ୍ତି ଏବଂ ଅତ୍ୟଧିକ ଉପଭୋକ୍ତାବାଦକୁ ପ୍ରୋତ୍ସାହିତ କରନ୍ତି ଏବଂ ଅନ୍ୟପଟରେ ସାର୍ବଜନୀନ କଲ୍ୟାଣ ଏବଂ ଅତ୍ୟାବଶ୍ୟକ ସାମାଜିକ ଭିତ୍ତିଭୂମିକୁ ଅବହେଳା କରନ୍ତି । ବିଳାସପୂର୍ଣ୍ଣ ଘର, ମହଙ୍ଗା ଅଟୋମୋବାଇଲ ଏବଂ ପ୍ରଚୁର ଉପଭୋକ୍ତା ସାମଗ୍ରୀ ହାସଲ କରିବାବେଳେ ସରକାରୀ ବିଦ୍ୟାଳୟ, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା, ଗୃହ, ପରିବହନ, ପରିବେଶ ସୁରକ୍ଷା ପ୍ରାୟତଃ ଦୁର୍ବଳ, ଅନୁପଯୁକ୍ତ କିମ୍ବା ଅପର୍ଯ୍ୟାପ୍ତ ରହିଥାଏ । ଗାଲବ୍ରେଥଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୁକ୍ତି ମଧ୍ୟରୁ ଗୋଟିଏ ଥିଲା ଯେ ଆଧୁନିକ ପୁଞ୍ଜିବାଦ ଉଗ୍ର ବିଜ୍ଞାପନ ଏବଂ କର୍ପୋରେଟ୍‌ଙ୍କ ପ୍ରଭାବ ମାଧ୍ୟମରେ କୃତ୍ରିମ ଚାହିଦା ସୃଷ୍ଟିକରେ । ବଜାର ଶକ୍ତି ଓ ଉପଭୋକ୍ତାବାଦ ସଂସ୍କୃତି ଯୋଗୁଁ ଲୋକମାନେ ଆବଶ୍ୟକତାଠାରୁ ବହୁ ଅଧିକ ବ୍ୟୟ କରନ୍ତି ବା ବିଭିନ୍ନ ଦ୍ରବ୍ୟ ଓ ସେବା କିଣନ୍ତି । ଏପରି ଏକ ବ୍ୟବସ୍ଥାରେ ବ୍ୟକ୍ତିଗତ ଷ୍ଟାଟସ୍, ବ୍ୟବହାର ସଫଳତାର ପ୍ରତୀକ ହୋଇଯାଏ, ଯେତେବେଳେ ସାମୂହିକ ସାମାଜିକ ଆବଶ୍ୟକତା କ୍ରମଶଃ ହ୍ରାସପାଏ ।

ଏହି ପୁସ୍ତକଟି ‘‘private affluence and public poverty..’ "ବ୍ୟକ୍ତିଗତ ସମୃଦ୍ଧି ଏବଂ ସାର୍ବଜନୀନ ଦାରିଦ୍ର୍ୟ’ ମଧ୍ୟରେ ଅସନ୍ତୁଳନକୁ ମଧ୍ୟ ପ୍ରକାଶ କରିଛି । ଗାଲବ୍ରେଥ ଏପରି ଏକ ବୈଷମ୍ୟପୂର୍ଣ୍ଣ ସମାଜ ଉପରେ ପ୍ରଶ୍ନ ଉଠାଇଥିଲେ, ଯେତେବେଳେ ବ୍ୟକ୍ତିମାନେ ଅଧିକ ଭୌତିକ ସୁଖ ସୁବିଧା ଉପଭୋଗ କରିଲାବେଳେ ସରକାରୀ ଅନୁଷ୍ଠାନଗୁଡ଼ିକ ନିମ୍ନମୁଖୀ ହୋଇଥାଏ ଏବଂ ସାମାଜିକ ଅସମାନତା ବୃଦ୍ଧିପାଏ । ସେ ଚେତାବନୀ ଦେଇଥିଲେ ଯେ, ଅନିୟନ୍ତ୍ରିତ କର୍ପୋରେଟ୍ ପ୍ରଭାବ ଏବଂ ବଜାରଚାଳିତ ଅଭିବୃଦ୍ଧିରେ ଅନ୍ଧବିଶ୍ୱାସ ଗଣତନ୍ତ୍ରକୁ ଦୁର୍ବଳ କରିପାରେ, ସାମାଜିକ ବିଭାଜନକୁ ଗଭୀର କରିପାରେ ଏବଂ ମାନବିକ ମୂଲ୍ୟବୋଧକୁ କେବଳ ଆର୍ଥିକ କାରବାରରେ ସୀମିତ ରଖିପାରେ । ଆର୍ଥିକ ଦିଗ ବ୍ୟତୀତ "ଦି ଆଫ୍ଲୁଏଣ୍ଟ ସୋସାଇଟି’ ଅସମାନତା, ସାମାଜିକ ନ୍ୟାୟ, ସାର୍ବଜନୀନ ଦାୟିତ୍ୱ ଏବଂ ଆଧୁନିକ ସଭ୍ୟତାର ନୈତିକ ଦିଗ ଉପରେ ଏକ ଗଭୀର ପ୍ରତିଫଳନ କରିଛି । ଆଜି ମଧ୍ୟ ଗାଲବ୍ରେଥ୍‌ଙ୍କ  ଏହି ଧାରଣା କର୍ପୋରେଟ୍‌ଙ୍କ କ୍ଷମତା ଓ ପ୍ରଭାବ, ଗ୍ରାହକ ସଂସ୍କୃତି, ଘରୋଇକରଣ, ପରିବେଶଗତ ଅବକ୍ଷୟ ଏବଂ ସାମାଜିକ କଲ୍ୟାଣ ସୁନିଶ୍ଚିତ କରିବାରେ ରାଷ୍ଟ୍ରର ଭୂମିକା ସମ୍ପର୍କରେ ବିତର୍କରେ ପ୍ରତିଧ୍ୱନିତ ହେଉଛି । ପୁସ୍ତକଟି ଉପଭୋକ୍ତା ପୁଞ୍ଜିବାଦର ସବୁଠାରୁ ପ୍ରଭାବଶାଳୀ ସମାଲୋଚନା ମଧ୍ୟରୁ ଗୋଟିଏ ଭାବରେ ଠିଆ ହୋଇଛି ଏବଂ ଆଧୁନିକ ବିଶ୍ୱରେ ଧନ, କ୍ଷମତା, ଅସମାନତା ଏବଂ ସମାଜ ମଧ୍ୟରେ ସମ୍ପର୍କକୁ ବୁଝିବାକୁ ଚାହୁଁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟାବଶ୍ୟକୀୟ ପାଠ୍ୟ ଅଟେ ।

ସମ୍ପ୍ରତି ଏହି ତତ୍ତ୍ୱର ଗୁରୁତ୍ୱ ବେଶି ବୃଦ୍ଧିପାଇଛି । ସଂପ୍ରତି ବିଶ୍ୱର ଅରବପତି ବା ବିଲିୟନେୟାରସ୍ ବା ସବୁଠାରୁ ଧନୀବ୍ୟକ୍ତିମାନଙ୍କ ସମ୍ପଦ ଦ୍ରୁତଗତିରେ ବୃଦ୍ଧିପାଇ ଅଭୂତପୂର୍ବ ସ୍ତରରେ ପହଞ୍ଚିଥିବାରୁ ଗାଲବ୍ରେଥଙ୍କ ଏହି ପ୍ରଶ୍ନଗୁଡ଼ିକ ଆହୁରି ପ୍ରାସଙ୍ଗିକ ହୋଇଗଲାଣି । ୨୦୨୬ ମସିହାରେ ‘ଫୋର୍ବସ’ର ସର୍ବଶେଷ ବିଶ୍ୱ ଅରବପତି ରାଙ୍କିଙ୍ଗ ଅନୁଯାୟୀ, ଶ୍ରେଷ୍ଠ ଦଶଜଣ ଅରବପତିଙ୍କ ମିଳିତ ସମ୍ପଦ ପ୍ରାୟ ୨.୯ ଟ୍ରିଲିଅନ ଡଲାରରେ ପହଞ୍ଚିଛି । ଏହି ସାନ୍ଧ୍ରତାର ସମ୍ପୂର୍ଣ୍ଣ ପରିମାଣ ବୁଝିବା କଷ୍ଟକର । ଯଦି ବିଶ୍ୱର ଶ୍ରେଷ୍ଠ ଦଶଜଣ ଅରବପତିଙ୍କ ମିଳିତ ୨.୯ ଟ୍ରିଲିଅନ ସମ୍ପଦକୁ ସମ୍ପୂର୍ଣ୍ଣ ଭାବରେ ୧୦୦ଡଲାର ଆମେରିକୀୟ ନୋଟ୍ରେ ରୂପାନ୍ତରିତ କରାଯାଏ, ତେବେ ଏହା ପ୍ରାୟ ୨୯୦୦୦ ମେଟ୍ରିକ୍ ଟନ୍ ଓଜନର ପ୍ରାୟ ୨୯ ବିଲିଅନ (୨୯୦୦ କୋଟି) ନୋଟ୍ ହେବ । ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କ୍ଷୁଦ୍ର ଗୋଷ୍ଠୀ ବା ବିଶ୍ୱର ସମସ୍ତ ଅରବପତିଙ୍କ ଆନୁମାନିକ ସମ୍ପଦ ୨୦.୧ ଟ୍ରିଲିୟନ ଡଲାର ଏକ ଯଥେଷ୍ଟ ଅଂଶକୁ ନିୟନ୍ତ୍ରଣ କରେ, ଯାହା ଅଳ୍ପ ଧନୀକ ହାତରେ ଆର୍ଥିକ ଶକ୍ତିର ଅସାଧାରଣ କେନ୍ଦ୍ରୀକରଣକୁ ସୂଚାଇଥାଏ ।

୨୦୨୬ରେ ଶ୍ରେଷ୍ଠ ଦଶଜଣ ଧନୀବ୍ୟକ୍ତି ଏବଂ ସେମାନଙ୍କର ଆନୁମାନିକ ସମ୍ପଦ ହେଉଛି: ଏଲୋନ ମସ୍କ (୭୯୩ ବିଲିଅନ ଡଲାର), ଲାରି ପେଜ୍ (୩୧୭ ବିଲିଅନ ଡଲାର), ସେର୍ଗେ ବ୍ରିନ୍ (୨୯୨ ବିଲିଅନ ଡଲାର), ଜେଫ୍ ବେଜୋସ୍ (୨୬୬ ବିଲିଅନ ଡଲାର), ଲାରି ଏଲିସନ୍ (୨୨୯ ବିଲିଅନ), ମାର୍କ ଜୁକରବର୍ଗ (୨୦୯ ବିଲିଅନ ଡଲାର), ଜେନସେନ୍ ହୁଆଙ୍ଗ (୧୮୯ ବିଲିଅନ ଡଲାର), ମାଇକେଲ୍ ଡେଲ୍ (୧୮୧ ବିଲିଅନ ଡଲାର), ରବ୍ ୱାଲ୍ଟନ (୧୫୨ ବିଲିଅନ ଡଲାର) ଏବଂ ଜିମ୍ ୱାଲ୍ଟନ (୧୪୯ ବିଲିଅନ) । ସେମାନଙ୍କର ବର୍ତ୍ତମାନ ଯେଉଁ ସମ୍ପଦ ଅହେତୁକ ବୃଦ୍ଧିପାଇଛି ତାହା ବିଶେଷ ଭାବରେ କୃତ୍ରିମ ବୁଦ୍ଧିମତା, ଡିଜିଟାଲ ପ୍ଲାଟଫର୍ମ, ଚିପ୍ ଉତ୍ପାଦନ, ସର୍ଚ୍ଚ ଇଞ୍ଜିନ ପ୍ରାଧାନ୍ୟ, ସୋସିଆଲ ମିଡିଆ ପ୍ଲାଟଫର୍ମ, ବୈଦ୍ୟୁତିକ, ମହାକାଶ ପ୍ରଯୁକ୍ତିବିଦ୍ୟା, କ୍ଲାଉଡ୍ କମ୍ପ୍ୟୁଟିଂ, ସେମିକଣ୍ଡକ୍ଟର ଏବଂ ଏଣ୍ଟରପ୍ରାଇଜ୍ ସଫ୍ଟୱେର ସହିତ ଜଡ଼ିତ ଯୋଗୁଁ ହୋଇଛି । ବିଶେଷଭାବେ ଏସବୁର ଷ୍ଟକ୍ ବା ଅଂଶଧନର ନାଟକୀୟ ଭାବରେ ମୂଲ୍ୟ ବୃଦ୍ଧି ଯୋଗୁଁ ହୋଇଛି ।

ଏକ ସାଧାରଣ ଭୁଲ୍ ଧାରଣା ହେଉଛି ଯେ, କୋଟିପତିମାନେ ବିପୁଳ ପରିମାଣର ନଗଦ ଟଙ୍କା ରଖିଥାନ୍ତି । ବାସ୍ତବରେ ସେମାନଙ୍କର ଅଧିକାଂଶ ସମ୍ପଦ କମ୍ପାନୀଗୁଡ଼ିକରେ ମାଲିକାନା ଅଂଶଧନ ଆକାରରେ ରହିଛି, ଯେଉଁଥିରେ ସେୟାର ବା ଷ୍ଟକ୍ ଏବଂ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତି ଅନ୍ତର୍ଭୁକ୍ତ । ଯେତେବେଳେ ଟେସଲା, ଆମାଜନ କିମ୍ବା ମେଟା ଭଳି କମ୍ପାନୀଗୁଡ଼ିକର ବଜାର ମୂଲ୍ୟ ବୃଦ୍ଧିପାଏ, ସେମାନଙ୍କର ପ୍ରତିଷ୍ଠାତା ଏବଂ ପ୍ରମୁଖ ସେୟାରଧାରୀଙ୍କ ବ୍ୟକ୍ତିଗତ ନେଟ୍ ମୂଲ୍ୟ ଅନୁରୂପ ଭାବରେ ବୃଦ୍ଧିପାଏ । ଏହିପରି ଆଜି ଅରବପତିଙ୍କ ସମ୍ପଦ ମୁଖ୍ୟତଃ ବୃଦ୍ଧିପାଉଥିବା ଷ୍ଟକ୍ ବା ଅଂଶଧନ ମୂଲ୍ୟ ତାଙ୍କ ବ୍ୟବସାୟ, କାରବାର ପ୍ରସାରଣ, ନିବେଶକଙ୍କ ବିଶ୍ୱାସ, ପ୍ରଯୁକ୍ତିବିଦ୍ୟା ନବସୃଜନ, ବଜାର ସ୍ପେକୁଲେସନ ଏବଂ ଭବିଷ୍ୟତର ଅଭିବୃଦ୍ଧିର ଆଶା ଦ୍ୱାରା ପରିଚାଳିତ ହୁଏ ।

ଭାରତର ସ୍ଥିତି ମଧ୍ୟ ଅନୁରୂପ, ଯାହା ଗମ୍ଭୀର ଚିନ୍ତା ସୃଷ୍ଟିକରେ । ୨୦୨୬ ବିଶ୍ୱ ବିଲିୟନେୟାର ରାଙ୍କିଙ୍ଗ ଅନୁଯାୟୀ, ଭାରତରେ ଗତବର୍ଷ ୨୦୫ଜଣ ଅରବପତି ଥିଲେ, ବର୍ତ୍ତମାନ ଏହି ସଂଖ୍ୟା ୨୨୯ । ବିଶ୍ୱ ଆର୍ଥିକ ଅନିଶ୍ଚିତତା, ତୈଳମୂଲ୍ୟ ବୃଦ୍ଧି, ଟଙ୍କାର ଅବମୂଲ୍ୟାୟନ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ନୀତିରେ ପରିବର୍ତ୍ତନ ସତ୍ତେ୍ୱ ଭାରତୀୟ ଅରବପତିଙ୍କ ସଂଖ୍ୟା ସ୍ଥିରଭାବରେ ବୃଦ୍ଧି ପାଇବାରେ ଲାଗିଛି । ସେମାନଙ୍କର ମିଳିତ ସମ୍ପଦ ବର୍ତ୍ତମାନ ଏକ ଟ୍ରିଲିଅନ ଆମେରିକୀୟ ଡଲାର ଅତିକ୍ରମ କରିଛି । ଏହି ବିକାଶ ନିଃସନ୍ଦେହରେ ଭାରତୀୟ ଅର୍ଥନୀତିର ବିଭିନ୍ନ କ୍ଷେତ୍ର, ବିଶେଷକରି ପ୍ରଯୁକ୍ତିବିଦ୍ୟା, ଦୂରସଂଚାର, ଭିତ୍ତିଭୂମି, ଅର୍ଥ, ଔଷଧ, ଶକ୍ତି, ଡିଜିଟାଲ୍ ସେବା ଏବଂ ସେୟାର ବଜାରର ବର୍ଦ୍ଧିତ ଶକ୍ତିକୁ ପ୍ରତିଫଳିତ କରେ । ଭାରତର ବିସ୍ତାରିତ ଉଦ୍ୟୋଗୀ ଇକୋସିଷ୍ଟମ, ଷ୍ଟାର୍ଟଅପ୍ ସଂଖ୍ୟା ବୃଦ୍ଧି ଏବଂ ଦ୍ରୁତ ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ସମ୍ପତ୍ତି ସୃଷ୍ଟିପାଇଁ ପ୍ରଚୁର ସୁଯୋଗ ସୃଷ୍ଟି କରିଛି ବୋଲି କୁହାଯାଉଛି । ଅନେକ ପ୍ରଥମ ପିଢ଼ିର ଉଦ୍ୟୋଗୀଙ୍କ ଆବିର୍ଭାବ ଏହା ମଧ୍ୟ ସୂଚାଇଦିଏ ଯେ ଜନସଂଖ୍ୟାର ଏକ ବଡ଼ ଅଂଶ ମୌଳିକ ଆଥି ର୍କ ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଥିବା ସତ୍ତେ୍ୱ ଦେଶରେ ବ୍ୟବସାୟ ଏବଂ ନବସୃଜନର ନୂତନ ରାସ୍ତା ଖୋଲିବାରେ ଲାଗିଛି ।

ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ପରି ଶିଳ୍ପପତିମାନେ ପ୍ରଭାବ ବିସ୍ତାର କରିଚାଲିଛନ୍ତି । ସେମାନଙ୍କର ବ୍ୟବସାୟ ସାମ୍ରାଜ୍ୟ କେବଳ ପାରମ୍ପରିକ କ୍ଷେତ୍ର ଯେପରିକି ଶକ୍ତି, ବନ୍ଦର, ଦୂରସଂଚାର ଏବଂ ଖୁଚୁରା କ୍ଷେତ୍ରରେ ନୁହେଁ, ବରଂ କୃତ୍ରିମ ବୁଦ୍ଧିମତା, ଡିଜିଟାଲ ଭିତ୍ତିଭୂମି, ଡାଟା ସେଣ୍ଟର ଏବଂ ସବୁଜ ଶକ୍ତି ସମେତ ଉଦୀୟମାନ କ୍ଷେତ୍ରରେ ମଧ୍ୟ ବିସ୍ତାରିତ ହେଉଛି । ଏହା ଦର୍ଶାଉଛି ଯେ ଭାରତୀୟ କର୍ପୋରେଟ ଶକ୍ତି ବିଶ୍ୱ ଅର୍ଥନୀତିର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ନିଜକୁ କିପରି ପ୍ରସ୍ତୁତ ହେଉଛି । କିନ୍ତୁ ଭାରତ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିରେ ଠିଆ ହୋଇଛି । ଗୋଟିଏ ପାଶ୍ୱର୍ରେ ଅସାଧାରଣ ଆର୍ଥିକ ମହତ୍ତ୍ୱାକାଂକ୍ଷା, ପ୍ରଯୁକ୍ତିବିଦ୍ୟା ପ୍ରଗତି, ଶକ୍ତିଶାଳୀ କର୍ପୋରେଟ୍ ସଂସ୍ଥାର ଉତ୍ଥାନ, ଅନ୍ୟପଟରେ ଏହା ପଛରେ ଲୁଚିରହିଛି ଭୟଙ୍କର ଆର୍ଥିକ ବୈଷମ୍ୟର କାହାଣୀ । ଏକ ପ୍ରତିଶତ ଭାରତୀୟଙ୍କ ପାଖରେ ରହିଛି ଦେଶର ମୋଟ୍ ଆୟର ୨୧.୮% ଏବଂ ମୋଟ୍ ସମ୍ପଦର ୪୦.୫% । ଅନେକ ଗବେଷକ, ଅର୍ଥନୀତିଜ୍ଞ ଏବଂ ପ୍ରଗତିଶୀଳ ସଂଗଠନ ଯୁକ୍ତି କରନ୍ତି ଯେ ଅହେତୁକ ସମ୍ପଦ ବୃଦ୍ଧିପାଇବା କେବଳ ବ୍ୟକ୍ତିଗତ ପ୍ରତିଭାର ଫଳାଫଳ ନୁହେଁ³ ବରଂ ଏହା ଶୋଷଣ, ଉତ୍ତରାଧିକାରୀ ସୂତ୍ରରେ ପ୍ରାପ୍ତ, ଏକଚାଟିଆ କାରବାର ବା କ୍ଷମତା ଏବଂ ରାଜନୈତିକ ପ୍ରଭାବ ସହିତ ଗଭୀର ଭାବରେ ଜଡ଼ିତ । ଅକ୍ସଫାମ୍ ପରି ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକ ଆକଳନ କରନ୍ତି ଯେ, ପ୍ରାୟ ୬୦% ଅରବପତି ଯେଉଁ ସମ୍ପତ୍ତି ଅର୍ଜନ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବରେ ନବସୃଜନ କିମ୍ବା ନିଷ୍ଠା, କଠିନ ପରିଶ୍ରମରୁ ନୁହେଁ ବରଂ ବ୍ୟବସ୍ଥାଗତ ତ୍ରୁଟି, ଟିକସ ରିହାତି, ଛାଡ଼, ଶୋଷଣଭିତ୍ତିକ ବ୍ୟବସ୍ଥାରୁ ପ୍ରାପ୍ତ ।

ସେମାନଙ୍କ ସମ୍ପତ୍ତିର ବୃଦ୍ଧି ମୁଖ୍ୟତଃ ତିନିଟି ପରସ୍ପର ସଂଯୁକ୍ତ ସ୍ତମ୍ଭ ଉପରେ ନିର୍ଭର କରେ: ଉତ୍ତରାଧିକାର, ଏକାଧିକାର ବା ମନୋପଲି, ବଜାର ପ୍ରାଧାନ୍ୟ ଏବଂ କ୍ରୋନି ପୁଞ୍ଜିବାଦ। ସମ୍ପତ୍ତିର ଏକ ଯଥେଷ୍ଟ ଅଂଶ ଗୋଟିଏ ପିଢ଼ିରୁ ଅନ୍ୟ ପିଢ଼ିକୁ ସ୍ଥାନାନ୍ତରିତ ହୁଏ, ଯାହା ଆର୍ଥିକ ଆଭିଜାତ୍ୟର ଏକ ଆଧୁନିକ ରୂପ ସୃଷ୍ଟି କରେ । ବଡ଼ ବଡ଼ କର୍ପୋରେସନଗୁଡ଼ିକ ପ୍ରାୟତଃ ବାସ୍ତବ ମଜୁରିକୁ ହ୍ରାସ କରି, ଛଟେଇ କରି, ପ୍ରତିଯୋଗିତାକୁ ଦୁର୍ବଳ କରି ଏବଂ ଗ୍ରାହକ ନିର୍ଭରଶୀଳତା ବୃଦ୍ଧି କରି ପ୍ରଚୁର ଲାଭ ସଂଗ୍ରହ କରନ୍ତି । ଷ୍ଟକ ମାର୍କେଟ ବା ବଜାର କ୍ଷମତା ଅଂଶୀଦାରମାନଙ୍କ ସମ୍ପତ୍ତିକୁ ଅସମାନୁପାତିକ ଭାବରେ ମାଲିକମାନଙ୍କୁ ହସ୍ତାନ୍ତର କରିବାକୁ ସକ୍ଷମ କରେ । ଧନୀକ ଶ୍ରେଣୀ ପ୍ରାୟତଃ ଲବିଂ, ଟିକସ ରିହାତି, ଘରୋଇକରଣ, ସରକାରୀ ଚୁକ୍ତିନାମା ଏବଂ ବ୍ୟକ୍ତିଗତ କଳାଟଙ୍କା/ଧନ ରଖିବାରେ ବା ଗୁଣନ କରିବାରେ ସାହାଯ୍ୟ କରୁଥିବା ଟିକସ ଆଶ୍ରୟସ୍ଥଳ ବ୍ୟବହାର ମାଧ୍ୟମରେ ଓ ରାଜନୈତିକ ଶକ୍ତି ସହିତ ଘନିଷ୍ଠ ସମ୍ପର୍କରୁ ଲାଭ ପାଆନ୍ତି । ସମାଲୋଚକମାନେ ଆହୁରି ଯୁକ୍ତି ଦିଅନ୍ତି ଯେ, ଧନୀକ ଶ୍ରେଣୀ ସମ୍ପତ୍ତି ଅନେକ ଶୋଷଣମୂଳକ ପଦ୍ଧତି ମାଧ୍ୟମରେ ଅକ୍ତିଆର ବା ବୃଦ୍ଧି କରନ୍ତି । ଏକ ପ୍ରମୁଖ ଯୁକ୍ତି ହେଉଛି, ଶ୍ରମିକମାନଙ୍କୁ ପ୍ରାୟତଃ ସେମାନେ ସୃଷ୍ଟି କରିଥିବା ପ୍ରକୃତ ମୂଲ୍ୟ ଅପେକ୍ଷା ବହୁତ କମ୍ ଦରମା ଦିଆଯାଏ । ଶ୍ରମଦ୍ୱାରା ସୃଷ୍ଟି ହୋଇଥିବା ଲାଭ ମୁଖ୍ୟତଃ କର୍ପୋରେଟ୍ ମାଲିକ, ଶୀର୍ଷ କାର୍ଯ୍ୟନିର୍ବାହୀ ଏବଂ ଅଂଶୀଦାରମାନଙ୍କ ପାଖକୁ ଯାଏ, ଯାହାଫଳରେ ଶ୍ରମିକ ଏବଂ ମାଲିକ ମଧ୍ୟରେ ପାର୍ଥକ୍ୟ ବୃଦ୍ଧିପାଏ । ଧନୀ ଆହୁରି ଅଧିକ ଧନୀ ହୁଅନ୍ତି ।

ଏକଥା ସତ ଯେ, ଏକ ରାଷ୍ଟ୍ରର ପ୍ରକୃତ ସଫଳତା କେବଳ ଏହାର ଅରବପତି ବା କୋଟିପତିଙ୍କ ସଂଖ୍ୟାବୃଦ୍ଧି କିମ୍ବା ଷ୍ଟକ୍ ବଜାର ଯୋଗୁଁ ଲାଭର ପରିମାଣ ଦ୍ୱାରା ମାପ କରାଯାଇପାରିବ ନାହିଁ  । ପ୍ରକୃତ ପ୍ରଗତି ଶେଷରେ ଆଥି ର୍କ ବିକାଶ ସାଧାରଣ ଲୋକଙ୍କ ଜୀବନକୁ କେତେ ଉନ୍ନତ କରେ, ସାମାଜିକ ନ୍ୟାୟକୁ ସୁଦୃଢ଼ କରେ, ସୁଯୋଗକୁ ବିସ୍ତାର କରେ ଏବଂ ସମାଜର ସମସ୍ତ ବର୍ଗପାଇଁ ମର୍ଯ୍ୟାଦା, ସୁରକ୍ଷା ଏବଂ କଲ୍ୟାଣ ସୁନିଶ୍ଚିତ କରେ, ତାହାଦ୍ୱାରା ବିଚାର କରାଯିବା ଉଚିତ ।