ଭୁବନେଶ୍ୱର,୩୦/୧୦: ବାତ୍ୟା ‘ମୋନ୍ଥା’ ପ୍ରଭାବରେ ରାଜ୍ୟରେ କିଛି ବଡ଼ କ୍ଷୟକ୍ଷତି ହୋଇନି । ତଥାପି କିଛି ସ୍ଥାନରେ ଏହାର ପ୍ରଭାବ ପଡ଼ିଛି । ପବନ କମ୍ ବହିଥିଲେ ବି ଭୀଷଣ ବର୍ଷା ଯୋଗୁ ଅନେକ ସ୍ଥାନ ପ୍ରଭାବିତ ହୋଇଛି । ୩୩ଟି ବ୍ଲକ୍ର ପ୍ରାୟ ୩୫୮ଟି ଗାଁ ପ୍ରଭାବିତ ହୋଇଥିବା ସରକାରଙ୍କ ପ୍ରାଥମିକ ଆକଳନରୁ ଜଣାପଡ଼ିଛି । ଗୁରୁବାରଠାରୁ ପ୍ରକୃତ କ୍ଷୟକ୍ଷତି ଆକଳନ ଆରମ୍ଭ ହେବ । ରିପୋର୍ଟ ମିଳିବା ମାତ୍ରେ ତତ୍କାଳ କ୍ଷତିପୂରଣ ଦିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ବାତ୍ୟା ‘ମୋନ୍ଥା’ ଦୁର୍ବଳ ହୋଇ ଘୂର୍ଣ୍ଣିବଳୟ ପରିଣତ ହୋଇଛି। ଗୁରୁବାର ଓ ଶୁକ୍ରବାର ଦୁଇ ଦିନ ଉପକୂଳ ଓଡ଼ିଶା ସହ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି । ଗଜପତି, ଗଞ୍ଜାମ, ରାୟଗଡା, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସମ୍ଭାବନା ପୁରୀ ଜିଲ୍ଲାରେ କିଛି ଭାଗରେ ବର୍ଷା ଆଶଙ୍କା ରହିଛି।
ମନ୍ତ୍ରୀ ଶ୍ରୀ ପୂଜାରୀ ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ବାତ୍ୟା ମୋନ୍ଥା ପ୍ରଭାବରେ ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ରେ ସର୍ବାଧିକ ୧୫୦.୫ ମିମି ବର୍ଷା ରେକର୍ଡ ହୋଇଥିଲା । ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ରେ ୧୧୯.୮ ମିମି, ମୋହନାରେ ୧୦୬ ମିମି, ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ରେ ୧୧୭.୪ ମିମି, ମୟୂରଭଞ୍ଜର ଉଦଳା ବ୍ଲକ୍ରେ ୧୦୫ ମିମି ବର୍ଷା ରେକର୍ଡ ହୋଇଛି । ଏହାଛଡ଼ା ୫୬ଟି ବ୍ଲକ୍ ଓ ସହରାଞ୍ଚଳରେ ୫୦ ମିମିରୁ ୧୦୦ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ବାତ୍ୟା ଯୋଗୁ କିଛି ସ୍ଥାନରେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ତାକୁ ସ୍ୱାଭାବିକ କରାଯାଇଛି । ଯେଉଁଠାରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି, ସେଠାରେ ଗଛ କାଟିରାସ୍ତା ସଫା କରାଯାଇଛି । ୩୧ ତାରିଖ ବେଳକୁ ପରିସ୍ଥିତି ସ୍ୱାଭାବିକ ହୋଇଯିବ । ବାତ୍ୟା ମୁକାବିଲା ପାଇଁ ୩୩ଟି ଓଡ୍ରାଫ୍ ଦଳ, ୫ଟି ଏନ୍ଡିଆର୍ଏଫ୍, ୧୩୩ଟି ଅଗ୍ନିଶମ ଟିମ୍ଙ୍କୁ ମିଶାଇ ମୋଟ ୧୬୧ଟି ଟିମ୍ ନିୟୋଜିତ ହୋଇଥିଲେ । ୨୧୬୪ଟି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ଚିହ୍ନଟ ହୋଇଥିଲା । ୧୮ହଜାର ୭୩୨ ଜଣ ଲୋକଙ୍କୁ ନିରାପଦ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା । ସେମାନଙ୍କୁ ରନ୍ଧା ଖାଦ୍ୟ ଦେବାକୁ ୩୬୨ଟି ରନ୍ଧାଖାଦ୍ୟ କେନ୍ଦ୍ର ଖୋଲିଥିଲା । ୨୧୯୮ ଜଣ ଆସନ୍ନ ପ୍ରସବା ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମା'ଗୃହକୁ ସୁରକ୍ଷିତ ଭାବେ ନିଆଯାଇଥିଲା । ବାତ୍ୟା ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରେ ୬୦ଟି ଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ । ପ୍ରାଣୀସମ୍ପଦ ସୁରକ୍ଷା ପାଇଁ ୩୫ଟି ପଶୁଚିକିତ୍ସା ଦଳକୁ ପଠାଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ତଥ୍ୟ ରଖିଛନ୍ତି ।
ବୁଧବାର ଢେଙ୍କାନାଳରେ ୨୭.୬, ଯାଜପୁରରେ ୨୪.୬, ଭବାନୀପାଟଣାରେ ୨୫ମିମି, ପାରଳାଖେମୁଣ୍ଡିରେ ୧୮.୬, ବାରିପଦାରେ ୧୮.୨, ସୁନ୍ଦରଗଡ଼ରେ ୧୧.୬, ଭୁବନେଶ୍ୱରରେ ୧୧.୩ମିମି ବର୍ଷା ରେକର୍ଡ ହୋଇଛି।