ସିଙ୍ଗାପୁର,୦୮/୧୨: ଡିଫେଣ୍ଡିଂ ଚାମ୍ପିଅନ୍‌ ଡିଙ୍ଗ୍‌  ଲିରେନ୍‌ ଓ ଭାରତର ଡି. ଗୁକେଶଙ୍କ ମଧ୍ୟରେ ଚାଲିଥିବା ବିଶ୍ୱ ଚେସ୍‌ ଚାମ୍ପିଅନସିପ୍‌ ମୁକାବିଲାର ଦଶମ ରାଉଣ୍ଡ୍‌ ଡ୍ର’  ହୋଇଛି । ଫଳରେ ଉଭୟ ଖେଳାଳି ପଏଣ୍ଟ ଭାଗ କରିଛନ୍ତି  ଏବଂ ସ୍ଥିତି ୫-୫ ପଏଣ୍ଟରେ ବରାବର ରହିଛି । ଏହି  ମୁକାବିଲାରେ କ୍ରମାନ୍ୱୟରେ ୭ଟି ରାଉଣ୍ଡ୍‌ ଡ୍ର’ ହୋଇଛି ।  ଆଉ ୪ ରାଉଣ୍ଡ୍‌ ଖେଳ ବାକି ଅଛି । ଯଦି ମ୍ୟାଚ୍‌ ଅମୀମାଂସିତ  ରହେ ତା’ହେଲେ ଉଭୟଙ୍କ ମଧ୍ୟରେ ଟାଇବ୍ରେକ୍‌ ଖେଳାଯିବ । 

ଲିରେନ ଶନିବାର ଧଳା ଗୋଟିରେ ଲଣ୍ଡନ ସିଷ୍ଟମ  ରଣନୀତିରେ ଖେଳ ଆରମ୍ଭ କରିଥିଲେ । କ୍ୟାଣ୍ଡିଡେଟ୍ସ  ଚାମ୍ପିଅନ୍‌ ଗୁକେଶ ତାଙ୍କୁ କଡ଼ା ଜବାବ ଦେଇଥିଲେ ।  ଦଶମ ଗୋଟି ଚାଳନାରେ ଗୁକେଶ ୨୬ମିନିଟ୍‌ ଅପଚୟ  କରିଥିଲେ ହେଁ ଏହା ତାଙ୍କ ଉପରେ କୌଣସି  ପ୍ରଭାବ ପକାଇନଥିଲା । ଶେଷରେ ୩୬ଟି ଗୋଟି  ଚାଳନା ପରେ ଉଭୟ ପଏଣ୍ଟ ଭାଗ କରିଥିଲେ ।