ଭୁବନେଶ୍ୱର,୦୪/୦୧: ବଟି ମାଗି ବାର୍ରେ ହଙ୍ଗାମା କରିବା ସହ ଭଙ୍ଗାରୁଜା କରିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ପଳାଶୁଣିରେ ରହୁଥିବା ବାଲେଶ୍ୱର ଗୋପାଳପୁରର ଡଲି ଓରଫ ପୂର୍ଣ୍ଣଚନ୍ଦ୍ର ଶିଆଳ(୨୫), ରସୁଲଗଡ଼ ବାରିକସାହିର ବିକିର ଓରଫ ଦେବୀପ୍ରସାଦ ବାରିକ(୨୧), ପଳାଶୁଣି ପ୍ରାଚୀବିହାରର ନନ୍ଦୁ ଓରଫ ପ୍ରିୟବ୍ରତ ଖଟୁଆ(୨୨) ଏବଂ ପଳାଶୁଣିର ଆଶୁତୋଷ ମହାନ୍ତି(୪୨) ।
ପୁଲିସ ସୂଚନା ଅନୁଯାୟୀ, ଗତ ୧ ତାରିଖ ରାତିରେ ଉପରୋକ୍ତ ୪ ଅଭିଯୁକ୍ତଙ୍କ ସମେତ ପପୁ ରାଉତରାୟ ଏବଂ ଯୁବରାଜ ଖଟୁଆ ମିଶି ରସୁଲଗଡ଼ ବାର୍କୁ ଯାଇଥିଲେ । ସେଠାରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ବାର୍ କର୍ମଚାରୀଙ୍କୁ ଦାଦାବଟି ମାଗିଥିଲେ । ଟଙ୍କା ନ ଦେବାରୁ ସେମାନେ ବାର୍ରେ ହଙ୍ଗାମା କରିଥିଲେ । ୱେଟର ଜିତେନ୍ଦ୍ର ମହାନ୍ତି ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ମାଡ଼ ମାରିବା ସହ ବାର୍ ସାମଗ୍ରୀ ଭଙ୍ଗାରୁଜା କରିଥିଲେ । କିଛି ସମୟ ପାଇଁ ବାର୍ରେ ସେମାନେ ଆତଙ୍କ ସୃଷ୍ଟି କରିଥିଲେ ।
ବାର୍ ପକ୍ଷରୁ ଆକାଶ ଭୋଳ ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ବାର୍ରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା । ଚଢ଼ଉ ଜରିଆରେ ପୁଲିସ ଉପରୋକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ୪ ଜଣଙ୍କୁ ଅପରାହ୍ଣରେ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟ ୨ ଅଭିଯୁକ୍ତ ଫେରାର୍ ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।