MDH ମସଲାର ନୂଆ ଆଡ୍ରେ ନଜର ଆସୁଥିବା ବ୍ୟକ୍ତି ଜଣକ କିଏ ? ଜାଣନ୍ତୁ…

ନୂଆଦିଲ୍ଲୀ ୨୮/୩: ଏକ ପପୁଲାର ମସଲା ବ୍ରାଣ୍ଡ୍ MDH, ଯାହାର ସଂସ୍ଥାପକ ଥିଲେ ମହାଶୟ ଧର୍ମପାଲ ଗୁଲାଟି । ଟିଭି କମର୍ସିଆଲ ମହାଶୟ ଧର୍ମପାଲ ଗୁଲାଟିଙ୍କୁ ସାରା ଦେଶରେ ଏକ ଅଲଗା ପରିଚୟ ଦେଇଥିଲା । ମୁଣ୍ଡରେ ପଗଡି ଏବଂ ବଡ ନିଶରେ ସେ ନିଜ ମସଲା ବ୍ରାଣ୍ଡ୍ ଏମଡିଏଚର ପ୍ରଚାର କରୁଥିଲେ । ଏମଡିଏଚ ନାଁ ଶୁଣିଲା ମାନେ ତାଙ୍କର ସେହି ଫଟୋ ସାମ୍ନାକୁ ଚାଲିଆସେ । ଆଜି ମହାଶୟ ଧର୍ମପାଲ ଗୁଲାଟିଙ୍କ ୧୦୦ ତମ ବର୍ଥ ଆନିଭର୍ସରୀ । ଡିସେମ୍ବର ୨୦୨୦ରେ ୯୮ ବର୍ଷ ବୟସରେ ତାଙ୍କ ପରଲୋକ ହୋଇଥିଲା । ସେ ‘ଏମଡିଏଚ୍ ଅଙ୍କଲ’, ‘ଦାଦାଜୀ’, ’ମସାଲା କିଙ୍ଗ୍’, ’କିଙ୍ଗ୍ ଅଫ୍ ସ୍ପାଇସ୍’ ନାଁରେ ବେଶ୍ ଜଣାଶୁଣା । ମସଲା କିଙ୍ଗ୍ ମହାଶୟ ଧର୍ମପାଲ ଗୁଲାଟି ଏକ ଛୋଟ ଦୋକାନରୁ ମସଲାର ବିଜନେସ୍ ଆରମ୍ଭ କରି ଏହାକୁ ବଡ ବ୍ରାଣ୍ଡରେ ପରିବର୍ତ୍ତନ କରିଥିଲେ ।

ଧର୍ମପାଲ ଗୁଲାଟିଙ୍କ ପରଲୋକ ପରେ ଏମଡିଏଚ୍ ବ୍ରାଣ୍ଡର ନାଁ ଏବଂ ବ୍ରାଣ୍ଡକୁ ବଜାୟ ରଖିବା ଏକ କାଠିକର ପାଠ ଥିଲା । ଏହା ସହିତ ସବୁଠାରୁ ବଡ ସମସ୍ୟା ଥିଲା କି ବିଜ୍ଞାପନରେ ମହାଶୟ ଗୁଲାଟିଙ୍କ ଜାଗା କିଏ ନେବ ? ଯଦି ଆପଣ ଏବେ ଏମଡିଏଚର ବିଜ୍ଞାପନ ଦେଖୁଥିବେ ତେବେ ଏଥିରେ ଏକ ନୂଆ ଚେହେରା ଦେଖିବାକୁ ପାଉଥିବେ । ତେବେ ଆଡରେ ଦେଖିବାକୁ ମିଳୁଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ବରଂ ଧର୍ମପାଲ ଗୁଲାଟିଙ୍କ ପୁଅ ରାଜୀବ ଗୁଲାଟି । ଏମଡିଏଚ ମସଲାର ନୂଆ ବିଜ୍ଞାପନରେ ସେ ନଜର ଆସୁଛନ୍ତି ।

ଧର୍ମପାଲ ଗୁଲାଟିଙ୍କ ପରଲୋକ ପରେ ଏମଡିଏଚର କାରବାରକୁ ତାଙ୍କ ପୁଅ ରାଜୀବ ଗୁଲାଟି ସମ୍ଭାଳିଛନ୍ତି । ଆଜି ଏମଡିଏଚ୍ ଭାରତର ସବୁଠାରୁ ବଡ ଉତ୍ପାଦକ ଏବଂ ବ୍ରାଣ୍ଡେଡ୍ ମସଲା ବିକ୍ରେତାଙ୍କ ମଧ୍ୟରୁ ଗୋଟିଏ । କମ୍ପାନୀ ଏବେ ଆମେରିକା, କାନାଡା, ୟୁରୋପ, ୟୁକେ, ଦକ୍ଷିଣ ପୂର୍ବ ଏସିଆ, ଜାପାନ ଏବଂ ଆମେରିକାରେ ନିଜ ମସଲାକୁ ସପ୍ଲାଇ କରୁଛି ।

ରାଜୀବ ଗୁଲାଟି ଏମଡିଏଚର ସଂସ୍ଥାପକ ତଥା ପୂର୍ବତନ ସିଇଓ ଧର୍ମପାଲ ଗୁଲାଟିଙ୍କ ପୁଅ । ସେ ଅନେକ ସମୟ ଧରି କମ୍ପାନୀ ସହିତ ଯୋଡି ହୋଇଛନ୍ତି ଏବଂ ମସଲା ବ୍ରାଣ୍ଡକୁ ଆମେରିକା, କାନାଡା ବ୍ରିଟେନ୍ ଏବଂ ଅନ୍ୟ ଅନ୍ତର୍ଜାତୀୟ ମାର୍କେଟରେ ପହଞ୍ଚାଇବାର ଶ୍ରେୟ ଦିଆଯାଏ । ରାଜୀବ ଗୁଲାଟି ଶାରଜାହରେ କମ୍ପାନୀର ନୂଆ ମାନୁଫ୍ୟାକ୍ଚରିଂ ୟୁନିଟର ସ୍ଥାପନାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ରାଜୀବ ଗୁଲାଟି ବର୍ତ୍ତମାନ ଏମଡିଏଚର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି । ପିତା ଧର୍ମପାଲ ଗୁଲାଟିଙ୍କ ପରଲୋକ ପରେ ସେ ଏମଡିଏଚର କାରବାର ସମ୍ଭାଳୁଛନ୍ତି ।

ଧର୍ମପାଲ ଗୁଲାଟିଙ୍କ ଜନ୍ମ ୧୯୨୭ରେ ପାକିସ୍ତାନର ସିୟାଲକୋଟରେ ହୋଇଥିଲା । ତାଙ୍କ ପିତା ୧୯୧୯ରେ ସିୟାଲକୋଟରେ ମସଲାର ଏକ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ । ଧର୍ମପାଲ ଗୁଲାଟି ବହୁତ କମ୍ ବୟସରୁ ନିଜ ପିତାଙ୍କ ଛୋଟ ମସଲା ଦୋକାନ ବ୍ୟବସାୟରେ ସାମିଲ ହୋଇଗଲେ । ସେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ସ୍କୁଲ ଛାଡିଦେଲେ । ପରେ ୧୯୪୭ରେ ବିଭାଜନବେଳେ ସେ ଭାରତ ଆସିଗଲେ । ସେବେ ତାଙ୍କ ପକେଟରେ ମାତ୍ର ୧୫୦୦ ଟଙ୍କା ଥିଲା ।

ପ୍ରାରମ୍ଭରେ ସେ ତାଙ୍କ ଜୀବନ ଯାପନ ପାଇଁ କିଛି ଛୋଟ ମୋଟ କାମ କଲେ । ୬୫୦ ଟଙ୍କାରେ ସେ ଏକ ଘୋଡାଗାଡି ଚଲାଇ ନୂଆଦିଲ୍ଲୀରୁ ରେଲୱେ ଷ୍ଟେସନରୁ କୁତୁବ ରୋଡ ମଧ୍ୟରେ ଚଲାଇଲେ । ଏମିତି କରି ସେ ପଇସା ଯୋଗାଡ କରି ଦିଲ୍ଲୀର କରୋଲବାଗରେ ସେହି ନାଁରେ ଏକ ଦୋକାନ ଖୋଲିଲେ ଯେଉଁ ନାଁରେ ତାଙ୍କ ପରିବାର ସିୟାଲକୋଟରେ କାରବାର କରୁଥିଲା । ଏହା ପରେ ଏମଡିଏଚ୍ ଆରମ୍ଭ ହେଲା । ୧୯୫୯ ମସିହାରେ ଏମଡିଏଚକୁ କମ୍ପାନୀ ରୂପେ ରେଜିଷ୍ଟର୍ଡ କରାଗଲା । ଆଜି ଭାରତ ଏବଂ ଦୁବାଇରେ ତାଙ୍କର ୧୮ ମସଲା ଫ୍ୟାକ୍ଟ୍ରି ଅଛି । ଏହି ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ଏମଡିଏଚ୍ ମସଲା ସାରା ବିଶ୍ୱରେ ପହଞ୍ଚିଥାଏ । ଏମଡିଏଚର ୬୨ ପ୍ରଡକ୍ଟ୍ସ ରହିଛି । କମ୍ପାନୀ ଉତ୍ତର ଭାରତର ୮୦ ପ୍ରତିଶତ ମାର୍କେଟରେ କବଜା କରିଛି ।