ଫିରିଙ୍ଗିଆ ୨୩/୬: କନ୍ଧମାଳ ଜିଲ୍ଲାରେ ସରୁନି ଦାଦନ ଦୁଃଖ । କାମ ଧନ୍ଦା ଅଭାବରୁ ବାହାର ରାଜ୍ୟକୁ କାମ କରିବାକୁ ଯାଇ କେବଳ ଫିରିଙ୍ଗିଆ ବ୍ଲକର ବିଭିନ୍ନ ଗାଁରୁ ୬ରୁ ଅଧିକ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଫିରିଙ୍ଗିଆ ବ୍ଲକ ପୋଡାପଡ଼ା ଗାଁର ଜଣେ୨୪ ବର୍ଷିୟ ଯୁବକଙ୍କ ଏବେ ମୃତ୍ୟୁ ହୋଇଛି । ପୂର୍ବରୁ ମଧ୍ୟ ୨ ଜଣ ଯୁବକଙ୍କର ଚେନାଇରେ ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ ରତଙ୍ଗ ପଞ୍ଚାୟତ ପୋଡାପଡ଼ା ଗାଁର ଗୁଲୁ କହଁରଙ୍କ ପୁଅ ସୁଗ୍ରୀବ କହଁର (୨୪) ବାହାର ରାଜ୍ୟ ଚେନାଇର ରେଡ ହିଲ ଜିଲ୍ଲାର ଆମ୍ବାତୁରକୁ କାମ କରିବାକୁ ଯାଇଥିଲେ । ତେବେ ସୋମବାର ସକାଳୁ ସୁଗ୍ରୀବ ଚେନାଇରେ କାମ କରୁଥିବା ଜାଗାରେ ମୃତ୍ୟୁ ହୋଇଥିବା ପରିବାରକୁ ଖବର ଆସିଥିଲା l ଖବର ପାଇବା ପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ମୃତ ଯୁବକର କିଭଳି ମୃତ୍ୟୁ ହେଲା ତାହା ପରିବାର ଲୋକେ ବୁଝି ପାରୁନାହାନ୍ତି । କେହି କେହି ଏହାକୁ ଆତ୍ମ ହତ୍ୟା କରିଥିବା କହୁଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନାହିଁ l
ତେବେ ବାରମ୍ବାର ଏଭଳି ଦାଦନ ଦୁଃଖ ଲାଗି ରହିଥିବା ବେଳେ କାମଧନ୍ଦା ଅଭାବ ଏହାର ମୁଖ୍ୟ କାରଣ ପାଲଟିଛି l ବର୍ତମାନ ପୁଅର ମୃତ୍ୟୁ ପରେ କିଭଳି ଶବ ଫେରିବ ସେନେଇ ପରିବାର ଚିନ୍ତାରେ ଥିବା ବେଳେ ପୁଅର ଶବ ଫେରାଇ ଆଣିବାକୁ ବିଭିନ୍ନ ଜାଗାକୁ ଯାଇ ଗୁହାରି କରୁଥିବା ଆହୁରି ଦୁଃଖ ଦାୟକ ହୋଇଛି l ତେବେ ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ସୁଦୂର ଚେନାଇରୁ ପୁଅର ଶବ ଆଣିବାରେ ସାହାଯ୍ୟ କରିବାଜୁ ପରିବାର ଏବଂ ସ୍ଥାନୀୟ ଲୋକ ଦାବି କରିଛନ୍ତି।