ଦଳିତ ବର ଚଢ଼ିଲେ ଘୋଡ଼ା,ଡିଜେ ମ୍ୟୁଜିକ୍ର ତାଳେ ତାଳେ ଖୁସିରେ ନାଚିଲେ ବରଯାତ୍ରୀ; ଜଗିଲେ ପୋଲିସ ଫୋର୍ସ

ସମ୍ଭଲ ୨୮/୧୧: ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ଶୁକ୍ରବାର ଏକ ନିଆରା ଘଟଣା ଘଟିଥିଲା । ଜଣେ ଦଳିତ ଝିଅଙ୍କ ବିବାହ ସମାରୋହରେ ୬୦ ଜଣ ପୁଲିସକର୍ମୀ ଆଇନଶୃଙ୍ଖଳା ଦାୟିତ୍ୱ ସମ୍ଭାଳିଥିଲେ ।
ଘଟଣାଟି ଏହିପରି । ସମ୍ଭଲ ଜିଲ୍ଲା ଗୁନାଉର ଅଞ୍ଚଳର ଲୋହାମାଇ ଗାଁର ବାସିନ୍ଦା ୨୧ ବର୍ଷୀୟା କନ୍ୟା ରବୀନା ତାଙ୍କର ଭାବି ସ୍ୱାମୀ ଏକ ଘୋଢ଼ା ଚଢ଼ି ବିବାହ କରିବାକୁ ଆସନ୍ତୁ ବୋଲି ଚାହୁଁଥିଲେ । ତାଙ୍କ ଜୀବନର ଏହି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦିନରେ ବରଯାତ୍ରୀମାନେ ଡିଜେ ମ୍ୟୁଜିକ୍ର ତାଳେ ତାଳେ ଖୁସିରେ ନାଚନ୍ତୁ ବୋଲି ବି ରବୀନାଙ୍କର ଇଚ୍ଛା ଥିଲା । କିନ୍ତୁ ଗାଁରେ କିଛି ଉଚ୍ଚଜାତିର ଲୋକେ ଦଳିତମାନଙ୍କର ବିବାହ ଶୋଭାଯାତ୍ରା ଉପରେ ରୋକ ଲଗାଇ ଦେଇଥିବାରୁ ତାଙ୍କର ଏହି ସ୍ୱପ୍ନ ପୂରଣ ହୋଇପାରିବ କି ନାହିଁ ସେଥିନେଇ ସେ ସନ୍ଦିହାନ ଥିଲେ । ଏହାପରେ ରବୀନାଙ୍କର ମାମୁଁ ରାଜେନ୍ଦ୍ର ବାଲ୍ମିକୀ ସମ୍ଭଲର ଜିଲ୍ଳାପାଳଙ୍କୁ ଅକ୍ଟୋବର ୩୧ ତାରିଖରେ ଏକ ଆବେଦନପତ୍ର ଅର୍ପଣ କରିଥିଲେ । ସେଥିରେ ନଭେମ୍ବର ୨୫ ତାରିଖରେ ହେବାକୁ ଥିବା ତାଙ୍କ ଭାଣିଜୀଙ୍କ ବିବାହ ଅବସରରେ ଡିଜେ ଓ ଘୋଡ଼ା ସହିତ ଶୋଭାଯାତ୍ରା ବାହାର କରିବାକୁ ତାଙ୍କୁ ଅନୁମତି ଦେବାକୁ ନିବେଦନ କରିଥିଲେ ।
ସେହିପରି ଉଚ୍ଚଜାତିର ଲୋକେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥିବାରୁ ଅତିଥିଙ୍କ ସୁରକ୍ଷା ଲାଗି ସେ ପୁଲିସଫୋର୍ସ ପଠାଇବାକୁ ଦାବି କରିଥିଲେ । ଏହାପରେ ସମ୍ଭଲର ଏସ୍ପି ଚକ୍ରେଶ ମିଶ୍ର ନିକଟବର୍ତ୍ତୀ ପୁଲିସ ଷ୍ଟେସନ୍ରୁ ପ୍ରାୟ ୬୦ ଜଣ ପୁଲିସକର୍ମୀଙ୍କୁ ସେଠାକୁ ପଠାଇଥିଲେ । ସେମାନଙ୍କ ମଧ୍ୟରେ ୪୪ ଜଣ କନ୍ଷ୍ଟେବଲ, ୧୪ ଜଣ ସବ୍ଇନ୍ସପେକ୍ଟର, ଜଣେ ଇନ୍ସପେକ୍ଟର ଓ ଜଣେ ସର୍କଲ ଅଧିକାରୀ ସାମିଲ ଥିଲେ । ଏହି ପୁଲିସକର୍ମୀମାନେ କେବଳ ଯେ ରବୀନାଙ୍କ ବାହାଘରରେ ଆଇନଶୃଙ୍ଖଳା ସ୍ଥିତିକୁ ଜଗିଥିଲେ ତା’ନୁହେଁ, ସେମାନେ ତାଙ୍କୁ ଉପହାର ଭାବେ ୧୧ ହଜାର ଟଙ୍କା ମଧ୍ୟ ପ୍ରଦାନ କରିଥିଲେ । ଏହି ଘଟଣା ପରେ ରବୀନାଙ୍କ ପରିବାର ପକ୍ଷରୁ ୟୁପି ପୁଲିସକୁ ଅଶେଷ ଧନ୍ୟବାଦ ଜ୍ଞାପନ କରାଯାଇଛି।