ବିଶ୍ବରେ ବଢୁଛି ଜଳଯୁଦ୍ଧର ବିପଦ, ବିବାଦରେ ଭାରତର ୩ ନଦୀ

ନୂଆଦିଲ୍ଲୀ:୧୪|୨: ସାରା ବିଶ୍ବରେ ଲଗାତାର ଭାବରେ ଜନସଂଖ୍ୟା ଓ ଜଳବାୟୁ ପରିବର୍ତ୍ତନ ଦ୍ବାରା ପ୍ରାକୃତିକ ସମ୍ବଳ ଏବେ ବିପଦରେ ରହିଛି। ସବୁଠାରୁ ବଡ ବିପଦ ପାଣିକୁ ନେଇ ରହିଛି। ଯାହାକି ହ୍ରାସ ପାଇବାରେ ଲାଗିଛି। ଏଭଳି ଚିନ୍ତାଜନକ ପରିସ୍ଥିତିରେ ଆଶଙ୍କା କରାଯାଉଛି ଯେ, ଭବିଷ୍ୟତରେ ବିଶ୍ବଯୁଦ୍ଧ ପାଣିକୁ ନେଇ ହୋଇପାରେ। ଏହାର ସଙ୍କେତ ଏବେ ଦେଖିବାକୁ ମିଳୁଛି। ମିଳିଥିବା ରିପୋର୍ଟ ଅନୁସାରେ ଜଳଯୁଦ୍ଧକୁ ନେଇ ଭାରତର ସ୍ଥିତି ଖୁବ୍ ଚିନ୍ତାଜନକ ହୋଇପାରେ।

ଭବିଷ୍ୟତରେ ପାଣିକୁ ନେଇ ବିଶ୍ବଯୁଦ୍ଧ ହେବ କିମ୍ବା ନାହିଁ ତାହା ଏବେ କହିବା କଷ୍ଟକର ଅଟେ। କିନ୍ତୁ ପାଣି ଏକ ଅନ୍ତର୍ଜାତୀୟ ସମସ୍ୟା ହୋଇ ସାରିଛି। ପାଣିକୁ ନେଇ ବହୁଦେଶ ଭିତରେ ବିବାଦ ହୋଇସାରିଛି। ଯଦି ଆମେ ଭାରତ କଥା କହିବା ତେବେ ଦିଲ୍ଳୀ-ହରିୟାଣା ଓ ତାମିଲନାଡୁ-କର୍ଣ୍ଣଟକ ସହିତ ବହୁ ରାଜ୍ୟରେ ପାଣିକୁ ନେଇ ସବୁବେଳେ ବିବାଦ ଦେଖିବାକୁ ମିଳିଛି। ଏହାଛଡା ଜଳ ବଣ୍ଟନକୁ ନେଇ ଭାରତର ପଡୋଶୀ ଦେଶ ପାକିସ୍ଥାନ, ଚୀନ୍ ଓ ବାଲାଂଦେଶ ଦୀର୍ଘ ଦିନ ହେବ ବିବାଦରେ ରହିଛନ୍ତି।

ଭାରତର ଭିତରେ ଓ ବାହାରେ ଜଳ ବଣ୍ଟନକୁ ନେଇ ବିବାଦ ଖୁବ୍ ଗମ୍ଭୀର। ଏହାକୁ ସ୍ପଷ୍ଟ ଭାବରେ ଜାଣିହେବ ବିଭିନ୍ନ ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦକୁ ଦେଖି। ବହୁ ସମାଜସେବୀ ଏହି ପ୍ରସଙ୍ଗକୁ ନେଇ ପ୍ରାୟ ସମୟ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଦେଶର ରାଜଧାନୀ ଦିଲ୍ଲୀ ସହିତ ବିଭିନ୍ନ ରାଜ୍ୟରେ ଜଳସଙ୍କଟ ଉଗ୍ର ହେବାରେ ଲାଗିଛି। ସରକାରୀ ସ୍ତରରେ ଜଳ ସଂରକ୍ଷଣକୁ ନେଇ ବିଭିନ୍ନ ଯୋଜନା ଜାରି ରହିଛି ଓ କୋଟି କୋଟି ଟଙ୍କାର ବଜେଟ୍ ପ୍ରତି ବର୍ଷ ଖର୍ଚ୍ଚ କରାଯାଉଛି।

ଏହି ରିପୋର୍ଟରେ କୁହାଯାଇଛି ନିକଟ ଭବିଷ୍ୟତରେ ଅନ୍ତର୍ଜାତୀୟ ବିବାଦ ବଢିବ। ଯାହାକୁ ଜଳଯୁଦ୍ଧ ମଧ୍ୟ କୁହାଯାଇପାରେ। ଏଥିରେ ୫ଟି ନଦୀକୁ ଚିହ୍ନଟ କରାଯାଇଛି। ତାହା ହେଲା ନୀଳ, ଗଙ୍ଗା-ବ୍ରହ୍ମପୁତ୍ର, ସିନ୍ଧୁ, ଟାଇଗ୍ରୀସ-ୟୁଫ୍ରେଟସ୍ ଓ କୋଲୋରାଡୋ ନଦୀ ସାମିଲ ରହିଛି। ଆଶ୍ଚର୍ଯ୍ୟର କଥା ଯେ, ଏହି ତାଲିକାରେ ଭାରତର ୩ଟି ନଦୀ ରହିଛି। ବିଶେଷଜ୍ଞଙ୍କ ମତରେ ଯଦି ଏଭଳି ପରିସ୍ଥିତି ହୁଏ ତେବେ ଆଗାମୀ କିଛି ବର୍ଷରେ ବିଶ୍ବର ବହୁ ଦେଶରେ ଲୋକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯିବ। ଜଳ ସଙ୍କଟକୁ ନେଇ ଏହି ରିପୋର୍ଟ ୟୁରୋପୀୟ ଆୟୋଗର ମିଳିତ ଅନୁସନ୍ଧାନ କେନ୍ଦ୍ର (ଜେଆରଏସ୍) ଦ୍ବାରା ଜାରି କରାଯାଇଛି।
ଜଳ ପାଇଁ ଆଞ୍ଚଳିକ ଅସ୍ଥିରତା ଓ ସାମାଜିକ ଅଶାନ୍ତି ସୃଷ୍ଟି ହୋଇପାରେ। ଏହି ଅଧ୍ୟୟନର ନେତୃତ୍ବ ଜେଆରସି ବିଶେଷଜ୍ଞ ଫୋବିୟୋ ଫୋରୋନୋସି କହିଛନ୍ତି। ଆଗାମୀ ୫୦ରୁ ୧୦୦ ବର୍ଷ ମଧ୍ୟରେ ଏଭଳି ବିବାଦ ହେବାର ସମ୍ଭାବନା ୭୫ରୁ ୯୫% ରଖିଛନ୍ତି।