ଦିନିକିଆ ବିଶ୍ବକପ୍କୁ ବୟକଟ୍ କରିବାର ହିମ୍ମତ ପାକିସ୍ତାନର ନାହିଁ, ଭାରତ ଯିବାକୁ ପଡିବ ହିଁ ପଡିବ: ଦାନିଶ କାନେରିୟା

ନୂଆଦିଲ୍ଲୀ ୨୭/ ୧୧: ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପାକିସ୍ତାନ ଗସ୍ତ କରିବନି ଟିମ୍ ଇଣ୍ଡିଆ । କେନ୍ଦ୍ର ସରକାର ଏ ନେଇ ଗ୍ରୀନ୍ ସିଗନାଲ୍ ଦେଉନଥିବା ବେଳେ ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ଯିବାକୁ ମନା କରାଯାଉଛି । ଏହି କ୍ରମେ ପାକିସ୍ତାନ ମଧ୍ୟ ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପକୁ ବୟକଟ୍ କରିବାକୁ ରୋକ୍ଠୋକ୍ କହିସାରିଛି ।
ପିସିବି ଅଧ୍ୟକ୍ଷ ରମୀଜ ରାଜା ଶୁକ୍ରବାର ଏକ ସାକ୍ଷାତକାରରେ କହିଥିଲେ ଯେ, ଯଦି ଭାରତ ଆସନ୍ତା ବର୍ଷ ଏସିଆ କପ୍ ଖେଳିବାକୁ ପାକିସ୍ତାନ ନଯାଏ ତେବେ ପାକିସ୍ତାନ ମଧ୍ୟ ଦିନିକିଆ ବିଶ୍ବକପ ଖେଳିବାକୁ ଭାରତ ଗସ୍ତ କରିବ ନାହିଁ, ଏହାକୁ ବୟକଟ୍ କରିବ । ରମୀଜ ରାଜାଙ୍କ ଏହି ବୟାନ ପରେ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତି ଏହି ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେହିଭଳି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଦାନିଶ କାନେରିୟା ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।
ଦାନିଶ କାନେରିୟା କହିଛନ୍ତି, ଆସନ୍ତା ବର୍ଷ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ବକପକୁ ବୟକଟ୍ କରିବାର ହିମ୍ମତ ପାକିସ୍ତାନ କ୍ରିକେଟ ବୋର୍ଡ ନିକଟରେ ନାହିଁ । ଆଇସିସି ଇଭେଣ୍ଟକୁ ମନା କରିପାରିବ ନାହିଁ । ଯଦି ବି ପାକିସ୍ତାନ ନଆସେ ତେବେ ଭାରତକୁ କିଛି ବି ଫରକ୍ ପଡିବ ନାହିଁ । ଅନ୍ୟପଟେ ପାକିସ୍ତାନ ଯଦି ଗସ୍ତ ନକରେ ତେବେ ପିସିବି ହିଁ ଅଧିକ କ୍ଷତି ସହିବ’।
କାନେରିୟା କହିଛନ୍ତି, ‘ପାକିସ୍ତାନ ବିଶ୍ବକପ୍ ପାଇଁ ଭାରତ ଯିବ ହିଁ ଯିବ । ନଚେତ୍ ଅନ୍ୟ କିଛି ଚାରା ହିଁ ନାହିଁ । ଆଇସିସିର ଚାପ ପଡିବା ପରେ ପିସିବି ଅଧିକାରୀ କହିବେ ଯେ କୌଣସି ବିକଳ୍ପ ନାହିଁ । ଯଦି ବାରମ୍ବାର ଆଇସିସି ଇଭେଣ୍ଟକୁ ପାକିସ୍ତାନ ବୟକଟ୍ କରେ ତେବେ ପିସିବିର ହିଁ ଅଧିକ କ୍ଷତି ହେବ’।