ପୁରୀ,୧୦/୦୪: ଅବହେଳିତ ଐତିହ୍ୟ । କୋଣ ଠେସା ପ୍ରସ୍ଥର କୀର୍ତ୍ତି । ବର୍ଷବର୍ଷ ହେବ ତଳେ ପଡି ରହିଛି ଓଡିଆଙ୍କ ଭାବାବେଗ ସହ ଜଡିତ ଶ୍ରୀମନ୍ଦିର ସିଂହଦ୍ୱାରରେ ଶୋଭା ପାଉଥିବା ଦଶାବତାର ମୂର୍ତ୍ତି । ଶ୍ରୀମନ୍ଦିରରେ ପ୍ରବେଶ ପୂର୍ବରୁ ଯେଉଁ ମୂର୍ତ୍ତି ସବୁ ନିକଟରେ ପ୍ରଥମେ ଭକ୍ତ ମଥାନତ କରୁଥିଲେ ଏବେ ତାହା ଅଲୋଡା । ପ୍ରଶାସନିକ ଅବହେଳା କାରଣରୁ ସିଂହଦ୍ୱାର ନିକଟରେ ଜରାଜୀର୍ଣ୍ଣ ଅବସ୍ଥାରେ ଦଶାବତାର ମୂର୍ତ୍ତି ପଡିରହିଛି । ସେପଟେ ଯେଉଁ ମୂର୍ତ୍ତି ଯୋଗୁଁ ସିଂହଦ୍ୱାର ଗୁମୁଟ ଦିନେ ଝଟକୁ ଥିଲା ସେହି ମୂର୍ତ୍ତି ଅଭାବରୁ ଗୁମୁଟ ଖାଲିଖାଲି ଦିଶୁଛି ।

୨୦୧୨ ମସିହାରେ ସିଂହଦ୍ୱାର ଗୁମୁଟରୁ ଚୂନ ଛଡ଼ାଯିବା ସମୟରେ ଚୂନରେ ନିର୍ମିତ ଦଶ ଅବତାର ମୂର୍ତ୍ତି କଢ଼ାଯାଇଥିଲା । ଏହା ପରେ ବୀରହରେକୃଷ୍ଣପୁର ଗ୍ରାମର ଦକ୍ଷିଣସାହିରେ ଫଟୋ ଦିଆଯାଇ ମୂର୍ତ୍ତି ନିର୍ମାଣ ପାଇଁ ବରାଦ ଦିଆଯାଇଥିଲା । ଅବିକଳ ପଥରରେ ଏହି ମୂର୍ତ୍ତିମାନ ତିଆରି କରାଯାଇଥିଲେ ହେଁ ଏହା ଦୀର୍ଘ ବର୍ଷ ହେଲା ପଡ଼ି ରହିଛି । ଖରା, ବର୍ଷାରେ ଏହି ଦଶାବତାର ମୂର୍ତ୍ତି ପଡ଼ି ରହିବାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିବା ବେଳେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହାଇଛି । ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନ ଦଶାବତାର ମୂର୍ତ୍ତୀକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ସମ୍ମାନର ସହ ରଖିବା ପାଇଁ ଦାବି ହାଇଛି ।

ଅଧିକ ପଢ଼ନ୍ତୁ :-  ବାହାର ଭଣ୍ଡାର ରତ୍ନ ଗଣତିମଣତି, ତୃତୀୟ ଦିନରେ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଉଚ୍ଚସ୍ତରୀୟ କମିଟି

ତଥ୍ୟ ଅନୁସାରେ ପ୍ରାୟ ୧୫୦ ବର୍ଷ ତଳେ ସିଂହଦ୍ୱାରକୁ ଶଙ୍କରାଚାର୍ଯ୍ୟ ନିର୍ମାଣ କରିଥିଲେ । ପରବର୍ତ୍ତୀ ସମୟରେ ମହାରାଜାମାନେ ସିଂହଦ୍ୱାର ଗୁମୁଟରେ ଦଶାବତାର ମୂର୍ତ୍ତି ସ୍ଥାପନ କରିଥିଲେ । ଏଥିରେ ମତ୍ସ୍ୟ, କତ୍ସପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମଚନ୍ଦ୍ର, ହଳଧର, ଜଗନ୍ନାଥ ଓ କଳ୍କୀ ସ୍ଥାନିତ ଥିଲେ । ତେବେ ନବମ ଅବତାରକୁ ନେଇ ଦୀର୍ଘ ବର୍ଷ ଧରି ବିବାଦ ଲାଗି ରହିଛି । ନୂଆ ମୂର୍ତ୍ତିର ନବମ ସ୍ଥାନରେ ବୁଦ୍ଧ ରହିବେ ନା ଜଗନ୍ନାଥ ଏହା ନିଷ୍ପତ୍ତି ହୋଇ ପାରୁନଥିବାରୁ ମୂର୍ତ୍ତି ଲଗାଯାଉନଥିବା ଅନୁମାନକରାଯାଉଛି। ଏଣୁ ଶ୍ରୀମନ୍ଦିର ପ୍ରଶାସନ ଏଦିଗରେ ପଦକ୍ଷେପ ନେଉ ବୋଲି କୁହାଯାଇଛି ।