ମୋଦିଙ୍କ ବିଜୟରେ ଭୟଭୀତ ଦାଉଦ

ନୂଆଦିଲ୍ଲୀ,୨୫ ।୫(ଏଜେନ୍ସି): ଭାରତର ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପିର ବିପୁଳ ବିଜୟ ପରେ ପାକିସ୍ତାନରେ ରହୁଥିବା ଅଣ୍ଡରୱାର୍ଲ୍ଡ ଗ୍ୟାଙ୍ଗଷ୍ଟାର ଦାଉଦ ଇବ୍ରାହିମ୍ ଖୁବ ଭୟଭୀତ ହୋଇପଡିଛି । ନିଜର ସୁରକ୍ଷା ପ୍ରତି ବିପଦ ଆଶଙ୍କା କରି ସେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇର କିଛି ଅଧିକାରୀଙ୍କ ସହ ଜରୁରୀ ବୈଠକ କରିଛି ଏବଂ ସେମାନଙ୍କୁ ନିଜର ଚିନ୍ତା ସମ୍ପର୍କରେ ଅବଗତ କରାଇଛି ।
ଭାରତୀୟ ଗୁଇନ୍ଦା ସଂସ୍ଥା ଦେଇଥିବା ସୂଚନା ଅନୁସାରେ, ଗୁରୁବାର ନିର୍ବାଚନ ଫଳାଫଳ ଘୋଷିତ ହେବାର କିଛି ଘଣ୍ଟା ଭିତରେ ଦାଉଦ ଆଇଏସଆଇର କେତେକ ଅଧିକାରୀଙ୍କୁ ଭେଟିଥିଲା । ଦାଉଦ ଓ ତା’ର ଗ୍ୟାଙ୍ଗ୍ ବିରୋଧରେ ମୋଦି ସରକାର ୨୦୧୪ ପର ଠାରୁ ଯେପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତା’ଯୋଗୁ ସେ ବ୍ୟତିବ୍ୟସ୍ତ ହୋଇପଡିଥିଲା । ସେ ଭାବୁଥିଲା ଚଳିତ ନିର୍ବାଚନରେ ମୋଦିଙ୍କ ପରାଜୟ ଘଟିଲେ ସେ କିଛିଟା ଆଶ୍ୱସ୍ତ ହେବ ଏବଂ ନିଜର କାରବାର ଅତି ସୁରୁଖୁରୁରେ ଚଳାଇପାରିବ । ହେଲେ ଭାରତର ନିର୍ବାଚନ ଫଳାଫଳ ସବୁକିଛି ଓଲଟପାଲଟ କରିଦେଇଛି । ଦାଉଦ ଆଶଙ୍କା କରୁଛି କି ମୋଦି ତା’କୁ ଭାରତ ଫେରାଇ ଆଣିବାକୁ କିମ୍ବା ନିପାତ କରିବାକୁ କିଛି ବି କରିପାରନ୍ତି । ଭାରତର ସୁରକ୍ଷା ଏଜେନ୍ସି ତା’ ଉପରେ ଆକ୍ରମଣ ବି କରାଇପାରନ୍ତି । ସେହିପରି ମୋଦିଙ୍କ ଲୋକପ୍ରିୟତା କ୍ରମଶଃ ବୃଦ୍ଧି ପାଇବା ଏବଂ ଭାରତ ସହିତ ଆମେରିକା, ଇସ୍ରାଏଲ ଭଳି ଦେଶର ସହଯୋଗ ନିବିଡ ହେବା ଯୋଗୁ ବି ସେ ଚିନ୍ତିତ ଅଛି । ସେ ଭାବୁଛି ଯେ ତା’କୁ ନିପାତ କରିବାରେ କିମ୍ବା ଭାରତକୁ ଜବରଦସ୍ତି ଉଠାଇ ଆଣିବାରେ ଆମେରିକାର ଗୁପ୍ତଚର ସଂସ୍ଥା ସିଆଇଏ ଓ ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦ ଭାରତକୁ ସହଯୋଗ କରିପାରନ୍ତି । ତେଣୁ ତା’କୁ ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ଟାର୍ଗେଟକୁ ବଞ୍ଚାଇବାକୁ ସେ ଆଇଏସଆଇ ଅଧିକାରୀଙ୍କୁ ନିବେଦନ କରିଛି । ଆଇଏସଆଇ ଅଧିକାରୀମାନେ ତା’କୁ ପ୍ରତିଶ୍ରୁତି ଦେଇଛନ୍ତି କି ସେମାନେ ଏସମ୍ପର୍କରେ ତୁରନ୍ତ ଏକ ବୈଠକ ଡକାଇ ଆଲୋଚନା କରିବେ ।
ସୂଚନାଯୋଗ୍ୟ ଯେ, ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ବ୍ରିଟେନ ସମେତ ବିଭିନ୍ନ ଦେଶରେ ଦାଉଦ ଗ୍ୟାଙ୍ଗର ବିପୁଳ ସମ୍ପତ୍ତି ଜବତ କରାଇଛନ୍ତି । ସେହିପରି ଦାଉଦର ଭାଇ ଇକବାଲ କସକରକୁ ବି ଭାରତକୁ ଅଣାଯାଇଛି । ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପୂର୍ବରୁ ଦାଉଦର ଗ୍ୟାଙ୍ଗକୁ ପୂରା ନିଷ୍କ୍ରିୟ କରିବା ଏବଂ ତା’କୁ ନିପାତ କରିବା ପାଇଁ ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ବି ସେ ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ଆଶା କରାଯାଉଛି ।
ଦାଉଦର ସହଯୋଗୀ ଅଟକ
ନେପାଳର ତ୍ରିଭୁବନ ଆନ୍ତର୍ଜାତିକ ବିମାନବନ୍ଦର ପରିସରରୁ ଦାଉଦର ଜଣେ ସହଯୋଗୀ ୟୁନୁସ ମିୟାଁ ଅନସାରୀକୁ ଗିରଫ କରିଛି । ତା’ ସହ ଆଉ ତିନି ଜଣ ପାକିସ୍ତାନୀ ଏବଂ ଦୁଇ ଜଣ ନେପାଳୀ ନାଗରିକଙ୍କୁ ବି ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୭ .୬୩ କୋଟି ଟଙ୍କାର ଜାଲ ନୋଟ( ଭାରତୀୟ ମୁଦ୍ରା) ଜବତ କରାଯାଇଛି । ସେମାନେ କାତାରରୁ ଆସି କାଠମାଣ୍ଡୁ ସ୍ଥିତ ବିମାନବନ୍ଦରରେ ପହଞ୍ଚିଥିଲେ । କିନ୍ତୁ ସେମାନଙ୍କ ପାସପୋର୍ଟରୁ ସେମାନେ ପାକିସ୍ତାନରୁ ଯାତ୍ରା ଆରମ୍ଭ କରିଥିବାର ସ୍ପଷ୍ଟ ହୋଇଛି । ଏହା ମଧ୍ୟ କୁହାଯାଉଛି କି ଭାରତୀୟ ଗୁଇନ୍ଦା ସଂସ୍ଥା ଏମାନଙ୍କ ଗତିବିଧି ସମ୍ପର୍କରେ ଆଗୁଆ ସୂଚନା ପାଇ ନେପାଳର ସୁରକ୍ଷା ଏଜେନ୍ସିଗୁଡିକୁ ସତର୍କ କରାଇଥିଲେ । ଏହାପରେ ଉକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଯାଇଥିଲା ।