ଧଉଳି, ୧୮/୦୨: ଆଉ ୪ ଦିନ ପରେ ଝିଅର ବାହାଘର ହୋଇଥାନ୍ତା ।  ଖୁବ୍‌ ଧୁମଧାମରେ ବାହାଘର କରିବାକୁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ ବାପା  ।  ହେଲେ ବିଧିର ବିଧାନ ଥିଲା ଅଲଗା । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ବାପା । ସୋମବାର ପିପିଲି ଥାନା କୌଶଲ୍ୟାଗଙ୍ଗ ଫାଣ୍ଡି ପୂବାଶାସନର ଏହି  ଦୁଃଖଦ ଘଟଣା ଗ୍ରାମରେ ଶୋକାକୁଳ  ପରିବେଶ ସୃଷ୍ଟି କରିଛି । 

ପୂବାଶାସନ ଗ୍ରାମର ହେମନ୍ତ ସ୍ୱାଇଁ ଓରଫ କାହ୍ନୁଙ୍କ ବଡ଼ ଝିଅର ବାହାଘର ଏଇମାସ ୨୧  ତାରିଖରେ ହେବା ପାଇଁ ଦିନଧାର୍ଯ୍ୟ  ହୋଇଥିଲା। ସେଥିପାଇଁ କାହ୍ନୁ  ରବିବାର ବାହାଘର କାର୍ଡ ବଣ୍ଟାବଣ୍ଟି  କରି ସାଇକଲ ଯୋଗେ ଘରକୁ ଫେରୁଥିଲେ । ରାତି ପ୍ରାୟ ୮ ଟାରେ  ଭୁବନେଶ୍ୱରରୁ ପୁରୀ ଅଭିମୁଖେ  ଆସୁଥିବା ଏକ କାର ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ କାହ୍ନୁ  ତଳେ ପଡିଯିବା ସହ ମୁଣ୍ଡରେ ତାଙ୍କର  ଗଭୀର ଆଘାତ ଲାଗିଥିଲା । ସ୍ଥାନୀୟ  ଲୋକେ ତାଙ୍କୁ ପ୍ରଥମେ ବାଳକାଟି ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର  ଅବସ୍ଥା ସଂକଟାପର୍ଣ୍ଣ ହେବାରୁ କ୍ୟାପିଟାଲ  ହସ୍ପିଟାଲ ନିଆଯାଇଥିଲା । ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ସୋମବାର କାହ୍ନାଙ୍କର  ମୃତ୍ୟୁ ହୋଇଛି । ଦୁର୍ଘଟଣା ଘଟାଇଥିବା କାରକୁ ପୁଲିସ ଜବତ କରିଥିବା ବେଳେ  ଚାଳକ ସତ୍ୟବାଦୀ ଥାନା ଅଞ୍ଚଳର  ମାନସ ଓରଫ ସୁବାସ ରାଉତଙ୍କୁ  ଗିରଫ କରି କୋର୍ଟ ଚାଲାଣକରିଛି ।