ଦିବାନିଦ୍ରା ଦ୍ୱାରା ଆଖି ଉପରେ ପଡୁଛି କୁପ୍ରଭାବ, ସବୁ ବୟସର ଲୋକଙ୍କୁ ବିପଦ କଳା ମୋତିଆବିନ୍ଦୁ

ନୂଆଦିଲ୍ଲୀ ୦୪/୧୨: ରାତିରେ ପର୍ଯ୍ୟାପ୍ତ ଶୋଇନପାରିବା, ଦିନରେ ନିଦ ଲାଗିବା ଏବଂ ଘୁଙ୍ଗୁଡ଼ି ମାରିବା ଦ୍ୱାରା ଆଖି ଉପରେ କୁପ୍ରଭାବ ପଡ଼ିପାରେ । ଦୀର୍ଘ ସମୟ ଧରି ଏହି ସମସ୍ୟା ଲାଗି ରହିଲେ, ଗ୍ଲୁକୋମା (କଳା ମୋତିଆବିନ୍ଦୁ) ଆଶଙ୍କା ବଢ଼ିଯାଏ । ଉଚିତ୍ ସମୟରେ ଚିକିତ୍ସା ନ କଲେ ଦୃଷ୍ଟିହୀନତା ଆଶଙ୍କା ମଧ୍ୟ ବଢ଼ିଯାଏ । ଗ୍ଲୁକୋମା ଯୋଗୁ ଦୃଷ୍ଟିଶକ୍ତି ଚାଲିଗଲେ ଆଉ ଫେରେନାହିଁ ।
ଗବେଷକମାନେ କହିଛନ୍ତି, ପର୍ଯ୍ୟାପ୍ତ ନିଦର ଅଭାବ ହେଲେ ଏହା ଯେକୌଣସି ବୟସର ଲୋକଙ୍କୁ ହୋଇପାରେ । ବୟସ୍କ (ଖାସ୍କରି ପୁରୁଷ), ଧୂମପାନକାରୀଙ୍କଠାରେ ଏହା ସାଧାରଣ ସମସ୍ୟା । ବିଏମ୍ଜେ ଓପନ୍ ଜର୍ନାଲରେ ପ୍ରକାଶିତ ଗବେଷଣାରେ ବ୍ରିଟେନର ବାୟୋବ୍ୟାଙ୍କ୍ ଅଧ୍ୟୟନରେ ଭାଗ ନେଇଥିବା ୪ ଲକ୍ଷରୁ ଅଧିକ ଲୋକଙ୍କ ତଥ୍ୟ ଆକଳନ କରାଯାଇଥିଲା । ଅଧ୍ୟୟନରେ ୪୦-୬୯ ବର୍ଷୀୟ ଲୋକଙ୍କୁ ସାମିଲ କରାଯାଇଥିଲା । ଏଥିରେ ସାମିଲ ଲୋକଙ୍କଠାରୁ ସେମାନଙ୍କ ନିଦ ଅଭ୍ୟାସ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଗଲା ।
୨୦୧୦ରୁ ୨୦୨୧ ମସିହା ପର୍ଯ୍ୟନ୍ତ ହୋଇଥିବା ଏହି ଅଧ୍ୟୟନ ସମୟରେ ଗ୍ଲୁକୋମାର ୮,୬୯୦ ମାମଲା ଚିହ୍ନଟ କରାଗଲା । ସଂଖ୍ୟା ଆଧାରରେ ଗବେଷକମାନେ ଜାଣିବାକୁ ପାଇଲେ ଯେ ସୁସ୍ଥ ନିଦ ପ୍ୟାଟର୍ନଯୁକ୍ତ ଲୋକଙ୍କ ତୁଳନାରେ ଘୁଙ୍ଗୁଡ଼ି ଓ ଦିନର ନିଦରେ ଗ୍ଲୁକୋମା ଆଶଙ୍କା ୧୧ ପ୍ରତିଶତ ବଢ଼ିଥିଲା। ଅନିଦ୍ରା ଓ କମ୍ ବା ଅଧିକ ଶୋଉଥିବା ଲୋକଙ୍କଠାରେ ଏହି ଆଶଙ୍କା ୧୩ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିଲା । ଭଲ ନିଦ ନ ହେବାରୁ ନିଷ୍ପତ୍ତି ନେବାର କ୍ଷମତା, ସ୍ୱଭାବ, ଶିଖିବା କ୍ଷମତା ଓ ସ୍ମୃତିଶକ୍ତି ଉପରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡ଼େ ।
ଗବେଷକଙ୍କ ଅନୁସାରେ, ୨୦୪୦ ମସିହା ପର୍ଯ୍ୟନ୍ତ ବିଶ୍ୱରେ ୧୧.୨ କୋଟି ଲୋକ ଗ୍ଲୁକୋମାରେ ପୀଡ଼ିତ ହୋଇପାରନ୍ତି । ଆଖିରୁ ମସ୍ତିଷ୍କକୁ ଯୋଡୁଥିବା ଅପ୍ଟିକ୍ ତନ୍ତ୍ରିକାକୁ ଗ୍ଲୁକୋମା ପ୍ରଭାବିତ କରେ । ଏଥିରେ ଆଖିର ଜ୍ୟୋତି-ସମ୍ବେଦନଶୀଳ କୋଷିକାଗୁଡ଼ିକର କ୍ଷରଣ ହୁଏ । ଉଚିତ୍ ସମୟରେ ଚିକିତ୍ସା ନ ହେଲେ, ଗ୍ଲୁକୋମା ଯୋଗୁ ଦୃଷ୍ଟିଶକ୍ତି ସବୁଦିନ ପାଇଁ ନଷ୍ଟ ହୋଇପାରେ ।