PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

୧୦ ଘଣ୍ଟା ପଡ଼ିରହିଲା ନାତିର ଶବ, ଟଙ୍କା ନଥିଲା ବୋଲି ଜଗି ବସିଲା ଆଈ

ଚମ୍ପୁଆ,୩୧ ।୧(ଆପ୍ର): ପାଖରେ ଟଙ୍କା ନଥିଲା । ପରିବାର ଲୋକଙ୍କର ବି ଦେଖାନଥିଲା । ନାତିର ମୃତ ଦେହ ପାଖରେ ପ୍ରାୟ ୧୦ ଘଣ୍ଟା ଧରି ସେମିତି ଗୁମ୍‌ ହୋଇ ବସି ରହିଥିଲା ଆଈ ବୁଢୀ । କାହାକୁ କିଛି କହୁନଥିଲା । କେବଳ ଭାଗ୍ୟକୁ ନିନ୍ଦି କାନ୍ଦୁଥିଲା । ଏମିତି ଦୁଃଖଦ ଦୃଶ୍ୟ ଦେଖିଲେ ଯାହାରବି ଆଖିରୁ ଲୁହ ବୋହିଯିବ । କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ବୃଦ୍ଧା ଜଣଙ୍କୁ କାଗଜ ଖଣ୍ଡେ ଧରାଇ ଦେଇ କର୍ତ୍ତବ୍ୟ ସାରି ଦେଇଥିଲେ । ଗୁରୁବାର ଏଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଚମ୍ପୁଆ ଡାକ୍ତରଖାନାରେ ।
ମିଳିଥିବା ସୂଚନା ଅନୁସାରେ, ବଡବିଲ ଭଦ୍ରାସାହିର ଗଜରାଜ ନାଏକଙ୍କ ପୁଅ ବିଶାଲ ନାଏକ(୧୦)କୁ ତାର ଆଈ ଲିଲିମଣି ନାଏକ ଦୁଇ ଦିନ ତଳେ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ବିଶାଲର ଦେହ ଖରାପ ଥିବାରୁ ଡାକ୍ତର ୬୪ ନମ୍ବର ବେଡ୍‌ରେ ରଖି ଚିକିତ୍ସା କରୁଥିଲେ । କିନ୍ତୁ ଗତ ବୁଧବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବିଶାଲର ମୃତ୍ୟୁ ହୋଇଯାଇଥିଲା । ଲିଲିମଣି ମୃତ ନାତିର ଶବକୁ ଘରକୁ ନେବାକୁ ଚାହିଁଲେ ହେଁ ପାଖରେ ପଇସା ନଥିଲା । ପ୍ରାୟ ୧୦ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ବିଶାଲର ମୃତ ଦେହ ଡାକ୍ତରଖାନା ବେଡ୍‌ ଉପରେ ପଡି ରହିଥିଲା ।
ଏହି ଖବର ପାଇ ଚମ୍ପୁଆର କିଛି ଗଣମାଧ୍ୟମ ପ୍ରତିନିଧି ଡାକ୍ତରଖାନାରେ ପହଞ୍ଚିବା ପରେ ମେଡିକାଲ କର୍ତ୍ତୃପକ୍ଷ ଚଳଚଞ୍ଚଳ ହୋଇ ଉଠିଥିଲେ । ଲିଲିମଣିଠୁ ସମସ୍ତ କଥା ଶୁଣିବା ପରେ ଚମ୍ପୁଆ ଅତିରିକ୍ତ ଉପଜିଲ୍ଲାପାଳ ସପନ କୁମାର ସାହୁଙ୍କ ସହ ତୁରନ୍ତ ଯୋଗାଯୋଗ କରାଯାଇଥିଲା । ଏହା ପରେ ଡାକ୍ତରଖାନା ପକ୍ଷରୁ ତରବରିଆ ଭାବେ ଆମ୍ବୁଲାନ୍ସ ସାହାଯ୍ୟରେ ବିଶାଳର ମୃତ ଦେହ ତାର ଗାଁକୁ ପଠାଇଥିଲେ । ଘଟଣା ସମ୍ପର୍କରେ ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନା ଚିକିତ୍ସାଧିକାରୀ କର୍ଣ୍ଣରାମ ମହାନ୍ତଙ୍କ ଯୋଗାଯୋଗ କରିବାରୁ କହିଲେ, ଆମେ ସବୁ ବନ୍ଦୋବସ୍ତ କରିଦେଇଛୁ । ଶୀଘ୍ର ଆମ୍ବୁଲାନ୍ସରେ ମୃତ ଦେହ ପଠାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସଫେଇ ଦେଇଥିଲେ । ତେବେ କେଉଁ କାରଣ ପାଇଁ ମୃତ ଦେହ ଉଠିବା ପାଇଁ ୧୦ ଘଣ୍ଟା ଲାଗିଲା ବୋଲି ପ୍ରଶ୍ନର ଉତ୍ତରରେ କାଗଜପତ୍ର କାମ ସରିବାରେ ବିଳମ୍ବ ହେତୁ ଏପରି ହୋଇଥିବା ସେ ପ୍ରକାଶ କରିଛନ୍ତି ।