ଭୁବନେଶ୍ବର, ୩/୮ : ଭୁବନେଶ୍ବରରେ ପହଞ୍ଚିଲା ବଳଙ୍ଗା ପୀଡ଼ିତାଙ୍କ ମରଶରୀର । ଦିଲ୍ଲୀ ଏମ୍ସରୁ ଆଜି ତାଙ୍କୁ ଭୁବନେଶ୍ବର ଅଣାଯାଇଛି । ଭୁବନେଶ୍ବରରୁ ବଳଙ୍ଗା ବାୟାବରକୁ ନିଆଯିବ ତାଙ୍କ ମରଶରୀର । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପୂର୍ବରୁ ମୋଟ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି। ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ନ ଉପୁଜେ ସେଥିପ୍ରତି ନଜର ରଖିଛି କମିଶନରେଟ ପୋଲିସ।
ଅତିରିକ୍ତ ଡିସିପି, ଜୋନ ଏସିପି, ଥାନା ଅଧିକାରୀ ଏବଂ ବରିଷ୍ଠ ପୋଲିସ ଅଧିକାରୀ ନିୟୋଜିତ। ମହିଳା ପୋଲିସ ଫୋର୍ସ ମଧ୍ୟ ନିୟୋଜିତ ଅଛନ୍ତି । ଏହାସହିତ ସିଆଇଏସଏଫ୍ ଯବାନମାନେ ମଧ୍ୟ ମୁତୟନ ହୋଇଛନ୍ତି । ଗତକାଲି ଦିଲ୍ଲୀ ଏମ୍ସରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଆଖି ବୁଜିଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ଏକ୍ସରେ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଗତ ଜୁଲାଇ ୧୯ରେ ଅଭାବନୀୟ ଘଟଣା ଘଟିଥିଲା । ଜଣେ ନାବାଳିକାଙ୍କୁ ତିନି ଜଣ ଦୁର୍ବୃତ୍ତ ବାଇକ୍ ଉଠାଇ ଏକ ନିଛାଟିଆ ସ୍ଥାନକୁ ନେଇଥିଲେ । ପ୍ରଥମେ ନିଶା ଦେଇ ବେହୋସ କରିବା ପରେ କିରୋସିନ ଢାଳି ନାବାଳିକା ଦେହରେ ନିଆଁ ଲଗାଇ ଦେଇଥିଲେ । ଏହାପରେ ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା ।