ଦଶପଲ୍ଲ ,୨୭/୧୧: ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର । ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଉଦୁଡ଼ା ଗ୍ରାମ ନିକଟ ଜଙ୍ଗଲ ରାସ୍ତାରୁ ମୃତଦେହ ଉଦ୍ଧାର କରିଛି ପୁଲିସ । ମୃତ ଯୁବକ ଜଣକ ପୋଖରୀଗୋଛା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିହ୍ନାପହଁରା ଗ୍ରାମର ହରି ଥାଟୋଇ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ହରି ବ୍ରହ୍ମପୁରରେ ରହି ପାଠ ପଢ଼ୁଥିଲେ। ହେଲେ ଗତକାଲି ସନ୍ଧ୍ୟା ସମୟରେ ଦଶପଲ୍ଲାରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଆସି ସେଠାରେ କିଛି ସମୟ ରହିଥିଲେ । ତା ପରେ ରାତି ୮ଟା ବେଳେ ନିଜ ଘର ଚିହ୍ନାପହଁରାକୁ ଯାଇଥିଲେ। ହେଲେ ଉଦୁଡ଼ା ଗ୍ରାମ ନିକଟରେ ଶୁନସାନ୍ ରାସ୍ତାରେ ତାଙ୍କୁ କେହି ଧାରୁଆ ଅସ୍ତ୍ରରେ ହାଣି ହତ୍ଯା କରିବା ପରେ ସେଠାରୁ ପଳାଇ ଯାଇଥିଲା। ଆଜି ସକାଳୁ ରାସ୍ତାରେ ଯାଉଥିବା ବାଟୋଇ ଯୁବକଙ୍କ ଶବକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେପଟେ ଏହି ଘଟଣାକୁ ନେଇ ହରିଙ୍କୁ କେହି ହତ୍ୟା କରିଥିବା ନେଇ ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି।