ବାଘକୁ ବିଷ ଦେଇ ମାରିଦେଲେ

ଛଣ୍ଡିପଦା,୯ା୨(ଆପ୍ର): ଅନୁଗୁଳ ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘର ଅସ୍ୱାଭାବିକ ମୃତ୍ୟୁ ଘଟିଛି । ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ସଂରକ୍ଷିତ ଜଙ୍ଗଲରୁ ଶନିବାର ଏକ କଲରାପତରିଆ ବାଘର ମୃତଦେହ ବନବିଭାଗ ଉଦ୍ଧାର କରିଛି । ସ୍ଥାନୀୟ ଅଞ୍ଚଳରେ କଲରାପତରିଆ ବାଘ ଉପଦ୍ରବ ନେଇ ଅଧିବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । ୫/୬ଟି ଛେଳି ବାଘ ହାବୁଡ଼ରେ ପଡ଼ି ନିଖୋଜ ଥିବାରୁ ଜଙ୍ଗଲକୁ ଛେଳି ନେବାକୁ ଲୋକେ ଭୟ କରୁଥିଲେ । ଏହି କାରଣରୁ ବିଷ ଦେଇ କଲରାପତରିଆକୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହେଉଛି । ବାଘର ଅକାଳ ମୃତ୍ୟୁ ନେଇ ବନ ଅଧିକାରୀମାନେ ଛାନ୍ଭିନ୍ ଚଳାଇଛନ୍ତି ।
ଛେଣ୍ଡିପଦା ବନାଞ୍ଚଳ କଣଲୋଇ ସଂରକ୍ଷିତ ଜଙ୍ଗଲର ରଙ୍ଗମାଟିଆ ପାହାଡ଼ ପାଦଦେଶରେ ବାଘ ମରି ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଜଙ୍ଗଲକୁ ଡାଳପତ୍ର ସଂଗ୍ରହ କରିବାକୁ ସ୍ଥାନୀୟ ଲୋକ ଯାଇଥିବା ବେଳେ ଜଙ୍ଗଲରେ ବାଘର ମୃତଦେହ ଠାବ କରିଥିଲେ । ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଅନୁଗୁଳ ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକ, ଏସିଏଫ ଶ୍ରୀକାନ୍ତ ବେହେରା, ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଦୁର୍ଗାଚରଣ ସାହୁ ପ୍ରମୁଖଙ୍କ ସମେତ ଛେଣ୍ଡିପଦା ଥାନା ଅଧିକାରୀ ପ୍ରିୟବ୍ରତ ଦାଶ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ମୃତ ବାଘର ବୟସ ୩ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଶରୀର ଅକ୍ଷତ ଥିବା ବେଳେ ନାକରୁ ରକ୍ତସ୍ରାବ ହୋଇଥିବାର ଦେଖା ଯାଇଥିଲା । ପ୍ରାୟ ୨୪ ଘଣ୍ଟା ପୂର୍ବରୁ ବାଘର ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି । ବାଘ ମୃତଦେହ ଧରି ଅନୁଗୁଳ ବନବିଭାଗ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ କରାଯାଇ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ସଂଗ୍ରହ କରାଯାଇ ଫରେନ୍ସିକ୍ ଟେଷ୍ଟ୍ ପାଇଁ ପଠାଯିବ ବୋଲି ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକ ପ୍ରକାଶ କରିଛନ୍ତି । ବିଷକ୍ରିୟା ଜନିତ କି ଅନ୍ୟ କେଉଁ କାରଣରୁ ମୃତ୍ୟୁ ହୋଇଛି ବ୍ୟବଚ୍ଛେଦ ରିପୋର୍ଟ୍ ମିଳିବା ପରେ ସ୍ପଷ୍ଟ ହେବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୫ ଦିନର ବ୍ୟବଧାନରେ ଦୁଇ ଦୁଇଟି କଲରାପତରିଆ ବାଘମୃତ୍ୟୁ ଘଟଣା କେବଳ ବନବିଭାଗ କାହିଁକି, ବନ୍ୟପ୍ରାଣୀଙ୍କ ମଧ୍ୟରେ ଘୋର୍ ଉଦ୍ବେଗ ସୃଷ୍ଟି କରିଛି । ଗତ ୧୬ ତାରିଖରେ ପାଳଲହଡ଼ା ବ୍ଲକ୍ ତଥା ଖମାର ବନାଞ୍ଚଳର ମାଙ୍କଡ଼ଚୁଆ ନିକଟସ୍ଥ ରେଙ୍ଗାଳି ଜଳଭଣ୍ଡାରରୁ ଏକ କଲରାପତରିଆ ବାଘର ମୃତଦେହ ଜବତ କରାଯାଇଥିଲା ।