ପାଟନା : ପୁଅଟିଏ ଜନ୍ମ କରିବା ପାଇଁ ମାଆ କେତେ ମାନସିକ ଏବଂ ଓଷା ଉପବାସ କରିଥାଏ। ପୁତ ନାମକ ନର୍କରୁ ଉଦ୍ଧାର ହେବା ପାଇଁ ସବୁ ମାଆ-ବାପା ପୁଅଟିଏ ଜନ୍ମ ଦେବାକୁ ଇଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି । କିନ୍ତୁ ସେହି ପୁଅଯେ ପରିଣତ ବୟସରେ ସାହା ହେବା ବଦଳରେ ଯଦି ବଇରୀ ସାଜିବ କିଏ ବା କଣ କରିବ ? ସମ୍ପତ୍ତି ଲୋଭରେ ନିଜ ଜନ୍ମକଲା ମାଆକୁ ବଞ୍ଚି ଥାଉ ଥାଉ ମୃତ୍ୟୁ ବୋଲି ଦର୍ଶାଇଛି ପୁଅ। ଜମି ପାଇଁ ମାଆକୁ କାଗଜପତ୍ର ମାରି ଦେଇଥିବା ଖବର ବିହାରର ବୈଶାଳୀ ଜିଲ୍ଲା ହାଜିପୁର ଅଞ୍ଚଳରୁ ଆସିଛି ଏଭଳି ଏକ ଖବର ।
ନିଜ ମାଆ ବଞ୍ଚିଥିବା ବେଳେ ତାଙ୍କୁ ମୃତ ଦର୍ଶାଇ ଜମି ବିକି ଦେଇଥିବା ଅଭିଯୋଗ ହୋଇଛି। ମାମଲା ଏବେ କୋର୍ଟରେ ପହଞ୍ଚିଛି। କୈଳାସ ଦେବୀ ନାମକ ଜଣେ ବୃଦ୍ଧା ଅଭିଯୋଗ ଆଣିଛନ୍ତି କି, ତାଙ୍କ ବଡ଼ ପୁଅ ପ୍ରତାରଣାର ସହ ତାଙ୍କର ଜମି ବିକି ଦେଇଛି। ଦୁଃଖର ବିଷୟ ହେଉଛି କି, ସେ ତାଙ୍କୁ ମୃତ ଦର୍ଶାଇ ଏଭଳି କରିଛନ୍ତି । ସେପଟେ ଏନେଇ ସାନ ପୁଅଙ୍କ ସହ ପ୍ରଥମେ ସ୍ଥାନୀୟ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ବେଳେ ସେ ହାଜିପୁର କୋର୍ଟରେ ପହଞ୍ଚିଛନ୍ତି । ସେପଟେ କୋର୍ଟ ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ।
ସ୍ଥାନୀୟ ପୁଲିସ ଷ୍ଟେସନକୁ ଘଟଣାର ତଦନ୍ତ କରିବାକୁ ନିର୍ଦେଶ ଦେଇଥିବା ବେଳେ ପୁଲିସ ଏହି ଘଟଣାରେ ଏଯାବତ ୪ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ କୈଳାଶ ଦେବୀଙ୍କ ବଡ଼ ପୁଅ କିଶୋର ସିଂହ ଗାଁର ଅରୁଣ କୁମାର ସିହ୍ନାଙ୍କ ସହ ମିଶି ଏହି କାରନାମା କରିଥିଲେ। ସେ ଜୁଲାଇ ୨୦୨୩ ମସିହାରେ ଜାଲ୍ ବିକ୍ରି ଦଲିଲ୍ ପ୍ରସ୍ତୁତ କରିଥିଲା । ଯେଉଁଥିରେ କୈଳାଶ ଦେବୀଙ୍କୁ ମୃତ ଦର୍ଶା ଯାଇଥିଲା। ସେପଟେ ଏହି ଘଟଣାରେ ହାଜିପୁର ଜିଲ୍ଲାର ଆରଆର କାର୍ଯ୍ୟାଳୟରେ କାମ କରୁଥିବା ଜଣେ କିରାଣୀଙ୍କ ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଯାବତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ କିରାଣୀଙ୍କୁ ଗିରଫ କରିବା ପାଇଁ ଚଢ଼ାଉ ଜାରି ରହିଛି। ସେପଟେ ମାଆ ବଞ୍ଚି ଥାଉ ଥାଉ ମୃତ ଦର୍ଶାଇ ଜମି ବିକିବା ଘଟଣାକୁ ଯିଏ ଶୁଣୁଛି ତୀବ୍ର ନିନ୍ଦା କରୁଛି।