ବହୁଚର୍ଚ୍ଚିତ କେ. ଦୀପିକା-ଦିନେଶ ପାରିବାରିକ ବିବାଦରେ ପୂର୍ଣ୍ଣଛେଦ ପକାଇଲେ ମହିଳା କମିଶନର

ଭୁବନେଶ୍ୱର,୦୬/୧୨: ବହୁଚର୍ଚ୍ଚିତ କେ. ଦୀପିକା ଓ ଦିନେଶଙ୍କ ପାରିବାରିକ ବିବାଦ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ମହିଳା କମିଶନର । ସୋମବାର ଆୟୋଗଙ୍କ କାର୍ଯ୍ୟାଳୟରେ ଉଭୟ ପକ୍ଷ ଉପସ୍ଥିତିରେ ଶୁଣାଣି ସରିଛି ।
ଆୟୋଗ ଅଧ୍ୟକ୍ଷା ଡ. ମିନତୀ ବେହେରା କହିଛନ୍ତି, ଅଦାଲତରେ ଏହି ମାମଲା ବିଚାରାଧୀନ ଅଛି । ଅଦାଲତଙ୍କ ରାୟ ହିଁ ଶେଷ ନିଷ୍ପତ୍ତି । ଏଥିରେ କମିଶନଙ୍କ କୌଣସି ଭୂମିକା ନାହିଁ । ପଞ୍ଚମ ଥର ପାଇଁ ଦୀପିକା ସୋମବାର ତୋଷାଳୀଭବନସ୍ଥିତ କାର୍ଯ୍ୟାଳୟକୁ ଆସିଥିଲେ । ସେପଟେ ପ୍ରଥମ ଥର ପାଇଁ ଦିନେଶ ବାପା ଓ ମା’ଙ୍କ ସହ ହାଜର ହୋଇଥିଲେ । ଆୟୋଗ ଅଧ୍ୟକ୍ଷାଙ୍କ ସମ୍ମୁଖରେ ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ଦେଢ଼ଘଣ୍ଟା ଧରି ଆଲୋଚନା ଚାଲିଥିଲା । ଉଭୟ ପକ୍ଷରୁ ପ୍ରବଳ ଯୁକ୍ତିତର୍କ ହୋଇଥିଲା । କିନ୍ତୁ ଶେଷରେ କୌଣସି ନିଷ୍କର୍ସ ବାହାରି ପାରିନଥିଲା ।
ଦିନେଶ ଓ ତାଙ୍କ ବାପା-ମା ଅଧ୍ୟକ୍ଷାଙ୍କ ସାମ୍ନାରେ ଦୀପିକାଙ୍କୁ ବୋହୂ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲେ । ଡିଏନ୍ଏ ଟେଷ୍ଟରୁ ଯଦି ଶିଶୁପୁତ୍ରଟି ତାଙ୍କର ବୋଲି ପ୍ରମାଣିତ ହୁଏ ତେବେ ଶିଶୁପୁତ୍ରକୁ ଗ୍ରହଣ କରିବେ ବୋଲି ଦିନେଶଙ୍କ ପରିବାରବର୍ଗ କହିଥିଲେ । ଅନ୍ୟପକ୍ଷେ ଦିନେଶଙ୍କ ପରିବାରର ବୋହୂ ହେବା ଜିଦ୍ରେ କେ ଦୀପିକା ଅଟଳ ଥିଲେ । ଏନେଇ ଦୀପିକା ଗଣମାଧ୍ୟମକୁ କହିଛନ୍ତି, ଏଠି ନ୍ୟାୟ ମିଳିଲାନି । ହେଲେ ଭାଙ୍ଗିପଡି଼ବିନି । ଶେଷ ନିଃଶ୍ୱାସ ଯାଏଁ ଲଢ଼ିବି । ନିଜ ହକ୍ ପାଇଁ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେବି ।