ନୂଆଦିଲ୍ଲୀ,୨୯।୧୦: ପ୍ରତିରକ୍ଷା ମନ୍ତ୍ରଣାଳୟର ତିନି ସେନା ପାଇଁ ୭୯ ହଜାର କୋଟି ମୂଲ୍ୟର କ୍ଷେପଣାସ୍ତ୍ର, ରକେଟ୍ ଏବଂ ଡ୍ରୋନ୍ ସମେତ ବିଭିନ୍ନ ଗୋଳାବାରୁଦ ଏବଂ ସାମରିକ ଉପକରଣ କ୍ରୟକୁ ଅନୁମୋଦନ କରିଛି। ଏଥିରେ ସେନା ପାଇଁ ଲୋଇଟରିଂ ଯୁଦ୍ଧାସ୍ତ୍ର, ପିନାକା ରକେଟ୍ ଏବଂ ବାୟୁସେନା ପାଇଁ ଆଷ୍ଟ୍ରା କ୍ଷେପଣାସ୍ତ୍ର ଓ ସ୍ପାଇସ୍-୧୦୦୦ ବମ୍ ଅନ୍ତର୍ଭୁକ୍ତ। ନୌସେନା ପାଇଁ ଅତିରିକ୍ତ ହାଇ ଅଲ୍ଟିଟ୍ୟୁଡ୍ ଲଙ୍ଗ ରେଞ୍ଜ (HALE) ରିମୋଟଲି ପାଇଲଟେଡ୍ ଏୟାରକ୍ରାଫ୍ଟ ସିଷ୍ଟମ୍ ଲିଜ୍ ପାଇଁ ମଧ୍ୟ ଅନୁମୋଦନ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ପ୍ରତିରକ୍ଷା ସଚିବଙ୍କ ସହିତ ତିନି ସେନାର ମୁଖ୍ୟ ସିଡିଏସ୍ ଜେନେରାଲ ଅନିଲ ଚୌହାନ ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ସେନା ପାଇଁ ଏହି ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ପାଇଁ ଆବଶ୍ୟକତା (AON) ଅନୁମୋଦନକୁ ଅନୁମୋଦନ ପ୍ରଦାନ କରାଯାଇଛି। AON ହେଉଛି ସାମରିକ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ଟେଣ୍ଡର ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ସେନାର ତୋପ ପାଇଁ ଲାଇଟ୍ରିଂ ଯୁଦ୍ଧାସ୍ତ୍ରକୁ ଅନୁମୋଦନ କରାଯାଇଛି, ଯାହାଦ୍ବାରା ଟାକ୍ଟିକାଲ୍ ଟାର୍ଗେଟ ଉପରେ ସଠିକ୍ ବ୍ୟବହାରକୁ କରିହେବ। ସ୍ଥଳ ସେନାର ପିନାକା ମଲ୍ଟି ରକେଟ୍ ଲଞ୍ଚର୍ ସିଷ୍ଟମ୍ (MRLS) ପାଇଁ ଦୂରଗାମୀ ଗାଇଡେଡ୍ ରକେଟ୍ କୁ ଅନୁମୋଦନ କରାଯାଇଛି। ଶତ୍ରୁର ଛୋଟ ସାଇଜ୍ ଡ୍ରୋନ୍ ଚିହ୍ନଟ କରିବା ପାଇଁ ଲୋ-ଲେବଲ୍ ଲାଇଟ୍ ଓ୍ବେଟ୍ ରାଡାରକୁ କିଣିବାକୁ ମଞ୍ଜୁରୀ ଦିଆଯାଇଛି। ଏହା ବ୍ୟତୀତ, ଏଭଳି ଡ୍ରୋନ୍କୁ ମାରି ନଷ୍ଟ କରିବାକୁ ସ୍ୱଦେଶୀ ଇଣ୍ଟିଗ୍ରେଟେଡ୍ ଡ୍ରୋନ୍ ଡିଟେକ୍ସନ୍ ଏବଂ ଇଣ୍ଟରଡିକ୍ସନ୍ ସିଷ୍ଟମ୍ (IDDS) ମାର୍କ-୨ କୁ ମଧ୍ୟ ଅନୁମୋଦନ କରାଯାଇଛି।

ସ୍ପାଇସ୍-୧୦୦୦ବମ୍ କିଣିବାକୁ ମଞ୍ଜୁରୀ

ପ୍ରତିରକ୍ଷା ମନ୍ତ୍ରଣାଳୟ ବାୟୁସେନା ପାଇଁ ଆଷ୍ଟ୍ରା ମାର୍କ-୨ କ୍ଷେପଣାସ୍ତ୍ର ଏବଂ ସ୍ପାଇସ୍-୧୦୦ ଲଙ୍ଗରେଞ୍ଜ ଗାଇଡେଡ୍ କିଟ୍ କ୍ରୟକୁ ମଧ୍ୟ ଅନୁମୋଦନ କରିଛି। ବାୟୁସେନାର ସୁଖୋଇ ଏବଂ ହାଲୁକା ଯୁଦ୍ଧ ବିମାନ (LCA) ତେଜସ୍ ଆଷ୍ଟ୍ରା କ୍ଷେପଣାସ୍ତ୍ର ସହିତ ସଜ୍ଜିତ ହୋଇଛି। ମିରାଜ ଲଢ଼ୁଆ ବିମାନ ପାଇଁ ସ୍ପାଇସ୍-୧୦୦୦ ବମ୍ କ୍ରୟକୁ କିଣିବାର ମଞ୍ଜୁରୀ ମିଳିଛି। ବାୟୁସେନା ପାଇଁ ସମସ୍ତ ପାଣିପାଗରେ ଉଡ଼ାଣ ଏବଂ ଅବତରଣ ରେକର୍ଡ କରିବା ପାଇଁ ଏକ ଅଟୋମେଟିକ୍ ଟେକ୍ ଅଫ୍ ଲ୍ୟାଣ୍ଡିଂ ରେକର୍ଡିଂ ସିଷ୍ଟମ କ୍ରୟକୁ ମଧ୍ୟ ଅନୁମୋଦନ କରାଯାଇଛି। ଏହା ବ୍ୟତୀତ, LCA ତେଜସ୍ ପାଇଲଟମାନଙ୍କୁ ତାଲିମ ଦେବା ପାଇଁ ଏକ ଫୁଲ ମିଶନ ସିମୁଲେଟର ପାଇଁ ଏକ AON କୁ ମଞ୍ଜୁରୀ ଦିଆଯାଇଛି।

ନୌସେନା ପାଇଁ ଲିଜ୍‌ରେ ନିଆଯିବ ଆରପିଏଏସ୍

ପ୍ରତିରକ୍ଷା ମନ୍ତ୍ରଣାଳୟ ପୁଣି ଥରେ ନୌସେନା ପାଇଁ ହାଇ ଅଲ୍ଟିଚ୍ୟୁଡ୍ ଲଙ୍ଗ ରେଞ୍ଜ (HALE) ରିମୋଟଲି ପାଇଲଟେଡ୍ ଏୟାରକ୍ରାଫ୍ଟ ସିଷ୍ଟମ୍ (RPAS) ଲିଜ୍ ପାଇଁ ମଞ୍ଜୁରୀ ଦେଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ କେତେ ଆରପିଏଏସ୍ ଲିଜ୍ ନେବାର ଅଛି ତାହା ପ୍ରକାଶ କରି ନଥିଲେ ମଧ୍ୟ, ଏପରି ଦୁଇଟି ବିମାନକୁ ଅନୁମୋଦନ କରାଯାଇଛି ବୋଲି ବିଶ୍ୱାସ କରାଯାଉଛି।