ବ୍ରହ୍ମପୁର,୨୨/୦୭: ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ପରେ ଓଡ଼ିଶାରେ ପଶିଲା କରୋନା ।  ବ୍ରହ୍ମପୁରରେ ଜଣେ କୋଭିଡ୍ ପଜିଟିଭି ଚିହ୍ନଟ ହୋଇଛନ୍ତି । ବ୍ରହ୍ମପୁର ବଡ଼ ମେଡିକାଲରେ ସେ ଚିକିତ୍ସିତ ହେଉଛନ୍ତି । ଚିହ୍ନଟ ସଂକ୍ରମିତ ଜଣକ ମହିଳା । କରୋନା ସଂକ୍ରମିତ ଚିହ୍ନଟକୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଏମକେସିଜି ମେଡିକାଲ ସୁପରିଟେଣ୍ଡେଣ୍ଟ ପ୍ରଫେସର ଡାକ୍ତର ସୁଦୀପା ଦାସ । ଅନ୍ୟପଟେ ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିବା ସ୍ୱୀକାର କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରଫେସର ଡାକ୍ତର ସନ୍ତୋଷ ମିଶ୍ର । ରୋଗୀ ଜଣଙ୍କୁ ବଡ଼ ମେଡିକାଲରେ ଆଇସୋଲସନରେ ରଖାଯାଇ ଚିକିତ୍ସା କରାଯାଉଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । କୌଣସି ଭୟଭୀତ ହେବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି ସୁପରିଟେଣ୍ଡେଣ୍ଟ । ଆନ୍ଧ୍ରପ୍ରଦେଶ ପରେ ଏବେରାଜ୍ୟରେ କରୋନା ଆତଙ୍କ ଦେଖିବାକୁ ମିଳିଛି ।

୬ ବର୍ଷ ପରେ ପୁଣି କୋଭିଡ୍ ଫେରିଛି । ଗତ ୧୧ ତାରିଖରେ ଆନ୍ଧ୍ରପ୍ରଦେଶରେ କଡ଼ପା ଜିଲ୍ଲାରେ କୋଭିଡ୍‌ରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଆହୁରି ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । କୋଭିଡ୍-୧୯ ଗାଇଡ୍‌ଲାଇନ୍ ଅନୁସାରେ ପଜିଟିଭ୍‌ଙ୍କ ଚିକିତ୍ସା ଚାଲିଛି । ଆନ୍ଧ୍ରପ୍ରଦେଶରେ କୋଭିଡ୍ ଜୀବନ ନେବା ପରେ ପଡ଼ୋଶୀ ଓଡ଼ିଶାର ସୀମାନ୍ତ ଜିଲ୍ଲା ଗଞ୍ଜାମରେ ଏବେ ଆତଙ୍କ ବାତାବରଣ ଦେଖିବାକୁ ମିଳିଥିଲା । ଆନ୍ଧ୍ରରୁ ଗଞ୍ଜାମକୁ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଥିଲା । ସତକୁ ସତ ଏବେ ଖବର ଆସୁଛି କି ଗଞ୍ଜାମରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢନ୍ତୁ...COVID-19 : ଗଞ୍ଜାମରେ ପୁଣି ଡରାଇଲାଣି କୋଭିଡ୍, ମନେ ପଡୁଛି ଲକ୍ଡାଉନ୍, କ୍ଵାରେଣ୍ଟାଇନ୍ ଓ ସାମାଜିକ ଦୂରତା 

କେବଳ ଗଞ୍ଜାମ ନୁହେଁ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲା ପାଇଁ ଏହା ଏକ ପ୍ରକାର ଆଲର୍ଟ ବୋଲି କୁହାଯାଉଛି ।  ଆନ୍ଧ୍ରରେ ମୃତ୍ୟୁ ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ ଜୁନ୍ ୨୮ରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପ୍ରଥମେ ତିରୁପତିରେ ସେ ଚିକିତ୍ସିତ ହୋଇଥିଲେ । ପରେ ତାଙ୍କୁ ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍ ଭେଲୋର୍ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ୨ୟ ବ୍ୟକ୍ତି ଜଣଙ୍କ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ଖ୍ରୀଷ୍ଟିଆନ୍ ମେଡିକାଲ୍ କଲେଜ୍ ଭେଲୋରରେ ମୃତ୍ୟୁ ହୋଇଥିଲା ।  ଏହା ପରେ ଓଡ଼ିଶାରେ ଚିନ୍ତା ବଢିଥିଲା । ଏବେ ବ୍ରହ୍ମପୁରରେ ଜଣେ କୋଭିଡ୍ ସଂକ୍ରମିତ ହେବା ଖବରକୁ ନେଇ ଛନକା ପଶିଛି ।