ନୂଆଦିଲ୍ଲୀ,୧୬/୦୫: ଅପରେସନ୍ ସିନ୍ଦୂରକୁ ସଫଳ କରିଛନ୍ତି ଭାରତୀୟ ସେନା । ବିଶ୍ୱରେ ଭାରତ ମସ୍ତକକୁ ଉଚ୍ଚ କରିଛନ୍ତି ବାୟୁବୀର । ଭାରତର ସୀମା ବାୟୁସେନାଙ୍କ ପାଇଁ ସୁରକ୍ଷିତ ରହିଛି । ସାରା ବିଶ୍ୱ ଆମ ସେନାଙ୍କ ପରାକ୍ରମ ଦେଖିଛି । ଭୁଜ୍ ଏୟାରବେସ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି । ପାକିସ୍ତାନକୁ ଦିନରେ ତାରା ଦେଖାଇଛୁ । ବ୍ରହ୍ମୋସ ମିସାଇଲର ତାକତକୁ ମାନିଛି ପାକିସ୍ତାନ । ସାରା ବିଶ୍ୱ ଭାରତ ଶକ୍ତି, ସାମର୍ଥ୍ୟ ଦେଖିଲା । ଟ୍ରେଲର ଦେଖିଛନ୍ତି କିଛି ଦିନ ପରେ ପୁରା ଫିଲ୍ମ ଦେଖିବ ବିଶ୍ୱ । ଗୁଜରାଟ ଭୁଜ ଏୟାରବେସ୍‌ରେ ବାୟୁସେନାଙ୍କୁ ଭେଟିବା ସହ ପାକିସ୍ତାନକୁ କଡ଼ା ଚେତବାନୀ ଦେଇ ରଣହୁଙ୍କାର ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।

ଗୁଜରାଟ ଭୁଜ ଏୟାରବେସରେ ବାୟୁସେନାଙ୍କୁ ଭେଟି ମନୋବଳ ବଢାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବାୟୁସେନାଙ୍କୁ ସମ୍ବୋଧନ କରିବା ସହିତ ଆତଙ୍କୀସ୍ଥାନକୁ କଡା ଚେତାବନୀ ଦେଇଛନ୍ତି । ସମ୍ବୋଧନରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, '' ଭୁଜ ଏୟାରବେସ୍ ୧୯୬୫ରେ ପାକିସ୍ତାନ ବିପକ୍ଷରେ ବିଜୟର ସାକ୍ଷୀ ହୋଇଛି । ଆଜି ବି ପାକ୍ ବିପକ୍ଷ ବିଜୟର ସାକ୍ଷୀ ହେଲା । ଭୁଜ ମାଟିରେ ଦେଶ ଭକ୍ତିର ବାସ୍ନା ଅଛି । ଆଜି ଏଠାରେ ଉପସ୍ଥିତ ହୋଇ ଗର୍ବ ଅନୁଭବ କରୁଛି । ଅପରେସନ ସିନ୍ଦୂରରକୁ  ତୁମେ ସଫଳ କରି ଦେଖାଇଛ । ବିଶ୍ୱ ଆଗରେ ଭାରତର ମୁଣ୍ଡ ଉଚ୍ଚା କରିଛ । ଅପରେସନ୍ ସିନ୍ଦୂର ଏବେ ବି ଚାଲିଛି । ଏହି ଅପରେସନ୍ ଜରିଆରେ ତୁମେ ଯାହା କରିଛ ତାକୁ ନେଇ ସବୁ ଭାରତୀୟ ଗର୍ବିତ । ମାତ୍ର ୨୩ ମିନିଟ୍‌ରେ ପାକିସ୍ତାନରେ ବଢୁଥିବା ଆତଙ୍କୀ ଆଡ୍ଡାକୁ ଛାରଖାର କରିଥିଲ ।''

ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ''ପାକିସ୍ତାନ ଆମ ବ୍ରହ୍ମୋସ ମିସାଇଲର ଶକ୍ତିକୁ ମାନିଛି । ଭୁଜ ଏୟାରବେସ୍‌କୁ ପାକ୍‌ ନଷ୍ଟ କରିଥିବା କହିଥିଲା । କଥାରେ ଅଛି ଦିନରେ ତାରା ଦେଖାଇବା । ପାକିସ୍ତାନକୁ ଆମେ ଦିନରେ ତାରା ଦେଖାଇଛି । ସ୍ୱଦେଶୀ ନିର୍ମିତ ବ୍ରହ୍ମୋସ ମିସାଇଲ ତାହା କରି ଦେଖାଇଛି । ରାତିର ଅନ୍ଧାରରେ ଦିନରେ ତାରା ଦେଖିଛି ପାକିସ୍ତାନ । ମୁଁ ବିଶ୍ୱାସ କରେ କି ପାକିସ୍ତାନକୁ ଆର୍ଥିକ ସହାୟତା କୌଣସି ଟେରର ଫଣ୍ଡିଂଠୁ କମ୍ ନୁହେଁ ।  ଭାରତ ଏହା ଚାହିଁବ କି ଆଇଏମ୍ଏଫ୍ ପାକିସ୍ତାନକୁ ଦେବାକୁ ଥିବା ବିଲିୟନ ଡଲାର ଉପରେ ପୁନଃବିଚାର କରୁ । ଆଗକୁ ମଧ୍ୟ କିଛି ସହାୟତା ଦେବାକୁ ହେଲେ IMF ତାହା ଉପରେ ବିଚାର କରୁ ।''

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଆହୁରି କହିଛନ୍ତି, ''ଲୋକେ ଖାଇବା ପାଇଁ ଯେତିକି ସମୟ ନେଇଥାନ୍ତି ଆମ ସେନା ଶତ୍ରୁର ମୂଳପୋଛ କରିଦେଲେ । ଶତ୍ରୁର ମାଟିରେ ଆମ ସେନା ମିସାଇଲ ପକାଇଛନ୍ତି । ତାର ଶଦ୍ଦ କେବଳ ପାକିସ୍ତାନ ନୁହେଁ  ସାରା ବିଶ୍ୱ ଶୁଣିଛି । ପାକିସ୍ତାନକୁ ଆମେ ପରୀକ୍ଷାରେ ରଖିଛୁ । ଯଦି ତାର ଆଚରଣରେ ଉନ୍ନତୀ ନ ଆସେ ତେବେ ପାକ୍‌କୁ କଠୋରତମ ଦଣ୍ଡ ଦିଆଯିବ । ଆତଙ୍କବାଦ ମୂଳୋତ୍ପାଟନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ଅପରେସନ୍ ସିନ୍ଦୂର ବନ୍ଦ ହୋଇନାହିଁ ଜାରି ରହିଛି । ସେମାନେ ଟ୍ରେଲର ଦେଖିଛନ୍ତି ପୁରା ଫିଲ୍ମ ଦେଖିବେ ।''