ଯିଏ ସେନା ଉପରେ ପ୍ରଶ୍ନ ଉଠାଉଛି ତାକୁ ବିଶ୍ବାସ କରନାହିଁ: ସୀତାରମଣ

ଡେରାଡୁନ,୪।୩:ପାକିସ୍ତାନରେ ପଶି ଆତଙ୍କବାଦୀଙ୍କ ଆଡ୍ଡାରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍ କରିବା ଉପରେ ପ୍ରଶ୍ନ ଉଠାଉଥିବା ବିରୋଧୀ ଦଳକୁ ଆଜି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ କଡା ସମାଲୋଚନା କରିଛନ୍ତି। ଏହା ସହ କହିଛନ୍ତି ଯେଉଁମାନେ ସୈନିକଙ୍କ ଗମ୍ଭୀରତା ଓ ସରଳତାର ବ୍ୟବହାର ଲୋକଙ୍କୁ ବାଟବଣା କରିବା ପାଇଁ କରୁଛନ୍ତି ତାଙ୍କ କଥାକୁ ଜନସାଧାରଣ ବିଶ୍ବାସ କରନ୍ତୁ ନାହିଁ। ଡେରାଡୁନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସୀତାରମଣ କହିଛନ୍ତି, ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି ସେହି ଲୋକଙ୍କ ଉପରେ ଭରସା କରନ୍ତୁ ନାହିଁ ଯେଉଁମାନେ ଗୁଜବ ପ୍ରଚାର କରୁଛନ୍ତି। ଏଭଳି ଲୋକଙ୍କ ଠାରୁ ସଜାଗ ରୁହନ୍ତୁ, ଯେଉଁମାନେ ସେନା ଉପରେ ପ୍ରଶ୍ନ ଉଠାଉଛନ୍ତି। ମୁଁ ସେହି ଲୋକଙ୍କର ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ।
ଗତ ୬୦ ବର୍ଷ ଧରି ନ୍ୟାସନାଲ ଓ୍ବାର ମେମୋରିଆଲ କାମ ବନ୍ଦ ଥିଲା। ଏହି ସମୟରେ ଆମେ ୪ଟି ବଡ ଯୁଦ୍ଧ ଲଢିଲୁ। ଏହା ପରେ ମଧ୍ୟ ଦେଶରେ ଗୋଟିଏ ମଧ୍ୟ ଓ୍ବାର ମେମୋରିଆାଲ ତିଆରି ହୋଇପାରିଲା ନାହିଁ। ଆମେ ନିକଟରେ ଦେଶର ଉଦେଶ୍ୟରେ ପ୍ରଥମ ଓ୍ବାର ମେମୋରିଆଲ ସମର୍ପଣ କରିଛୁ।