ରାଜଧାନୀ ରାସ୍ତାରେ ଅଚଳ ଗାଡ଼ି ରଖୁଥିଲେ ସାବଧାନ: ୭ ଦିନିଆ ନୋଟିସ୍ ମାରିଲା ବିଏମ୍ସି, ଅଚଳ ଗାଡ଼ି ଟେକିନେବ

ଭୁବନେଶ୍ୱର,୨୬/୦୫: ରାସ୍ତାରେ ଅଚଳ ଗାଡ଼ି ରଖୁଛନ୍ତି କି? ସାବଧାନ । ଏଣିକି ରାସ୍ତାରେ ଛିଡ଼ା ହେଉଥିବା ଅଚଳ ବା ଅବ୍ୟବହୃତ ଗାଡ଼ିକୁ ବିଏମ୍ସି ଉଠାଇ ନେବ । ଏଭଳି କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଖାଲି ଅଚଳ ଗାଡ଼ି ନୁହେଁ, ଖାଦ୍ୟ ବିକ୍ରି ପାଇଁ ବ୍ୟବହୃତ ଠେଲା, କ୍ୟାବିନ୍ ଓ ବ୍ୟବହାର ହେଉନଥିବା ଟାୟାରକୁ ରାସ୍ତାରେ ବା ରାସ୍ତାପାଶ୍ୱର୍ରେ ରଖିହେବନି ।
ଦୀର୍ଘଦିନ ଧରି ରାସ୍ତା ଉପରେ ଏଭଳି ଗାଡ଼ି ଓ ଅବ୍ୟବହୃତ ସାମଗ୍ରୀ ରଖିବା ଯୋଗୁ ପରିମଳ ସ୍ଥିତି ଖରାପ ହେଉଛି । ରାସ୍ତା ସଫା କରିବାରେ ସଫେଇ କର୍ମୀ ସମସ୍ୟା ଭୋଗୁଛନ୍ତି । ରାସ୍ତାରେ ଅଚଳ ଗାଡ଼ି ରହିବା ଯୋଗୁ ସେହି ଅଞ୍ଚଳ ବଣ, ବୁଦା ପାଲଟୁଛି । ଏହା ଅଞ୍ଚଳର ସୌନ୍ଦର୍ଯ୍ୟ ଖରାପ କରୁଛି । ଏହାକୁ ନେଇ ବିଏମ୍ସି କଠୋର ହୋଇଛି । ଏଭଳି ଗାଡ଼ି ରଖୁଥିବା ମାଲିକଙ୍କୁ ତାଗିଦ୍ କରାଯିବ । ସେମାନଙ୍କୁ ୭ ଦିନିଆ ନୋଟିସ୍ ଦେବ ବିଏମ୍ସି । ଏହି ସମୟ ଭିତରେ ଗାଡ଼ି ନ ଉଠାଇଲେ ବିଏମ୍ସି ଆସି ଏହି ଗାଡ଼ି ଉଠାଇ ନେବ ।
Defunct vehicles lying on the roads will be removed.
— BMC (@bmcbbsr) May 25, 2023
Notice has been pasted on the vehicles that within 7 days if the owners didn’t take it to their pvt. place, then BMC will lift it & clear the area.#BhubaneswarFirst pic.twitter.com/HF4Ft47kNQ
ଗୁରୁବାର ଭୋଇନଗରରୁ ଏହି ଅଭିଯାନ ଆରମ୍ଭ ହୋଇଛି । ବିଏମ୍ସି କର୍ମଚାରୀ ରାସ୍ତା ଉପରେ ଥିବା ଏକ ଅବ୍ୟବହୃତ ଗାଡ଼ି ଉଠାଇବାକୁ ନୋଟିସ୍ ଝୁଲାଇଛନ୍ତି । ସେହି ଗାଡ଼ି ଉପରେ ହିଁ ନୋଟିସ୍ ଝୁଲାଯାଇଛି । ସପ୍ତାହ ଭିତରେ ନିଜସ୍ୱ ବେସରକାରୀ ଜାଗାକୁ ଏହାକୁ ସ୍ଥାନାନ୍ତର ନ କଲେ ଗାଡ଼ିକୁ ବିଏମସି ଉଠାଇ ନେବ ବୋଲି ନୋଟିସ୍ରେ ଉଲ୍ଲେଖ ଅଛି । ରାସ୍ତା ପାଶ୍ୱର୍ ବା ଅନ୍ୟ ସରକାରୀ ଜାଗାରେ ଏଭଳି ଅଚଳ ଗାଡ଼ି, ଠେଲା, କ୍ୟାବିନ୍ ଓ ଟାୟାର ଗଦାଇ ରଖିବା ଯୋଗୁ ସେହି ଅଞ୍ଚଳର ପରିମଳ ଖରାପ ହେଉଛି । ମଶା ବଂଶ ବଢ଼ିବା ସହ ଏହି ସ୍ଥାନ ଅଳିଆ ଗଦା ପାଲଟୁଛି । ଏଣୁ ଏଭଳି ସ୍ଥାନକୁ ହଟାଇବା ପାଇଁ ବିଏମ୍ସି ଅଭିଯାନ ଚଲାଇବ ବୋଲି ସୂଚନା ଦେଇଛି । ୨୦୨୦ ଡିସେମ୍ବରରେ କମିଶନରେଟ ପୁଲିସ ଏଭଳି ଅଭିଯାନ ଆରମ୍ଭ କରିଥିଲା । ରାସ୍ତାକଡ଼ରେ ଛିଡ଼ା ହେଉଥିବା ଅବ୍ୟବହୃତ ଗାଡ଼ିକୁ ହଟାଇବା ପାଇଁ ଅଭିଯାନ ଚାଲିଥିଲା । ପ୍ରାୟ ୧୭୦ ଗାଡ଼ିକୁ ରାସ୍ତାରୁ ଉଠାଇ ସପ୍ତମ ବାଟାଲିୟନକୁ ପଠାଇ ଦିଆଯାଉଥିଲା । ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ଅନେକ ଅଚଳ ବସ୍କୁ ହଟାଯାଇଥିଲା ।