କଟକ,୩୧/୦୩: ନବମ ଓ ଦଶମ ଶ୍ରେଣୀରେ ପାଠ୍ୟ ପୁସ୍ତକ ଛପା ଅଧା ରହିଛି । ଏବେ ସୁଦ୍ଧା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୮ ଲକ୍ଷ ପାଠ୍ୟ ପୁସ୍ତକ ଛପାଇ ୩୧୬ଟି ବ୍ଲକ୍ ପଏଣ୍ଟକୁ ପଠାଇଥିବା ବେଳେ ଆହୁରି ମଧ୍ୟ ବହି ପଠାଇବାର ଯୋଜନା ରହିଛି । ତେବେ ଏହି ଆବଶ୍ୟକୀୟ ବହି ଛପାଇବା ପାଇଁ ଟେଷ୍ଟବୁକ୍ ପବ୍ଲିକେସନ ଆଣ୍ଡ୍ ମାର୍କେଟିଙ୍ଗ୍ (ଟିପିବିଏମ୍) ବୋର୍ଡକୁ କାଗଜ ଯୋଗାଇ ଦେବାରେ ବିଳମ୍ବ କରିଥିବାରୁ ଆବଶ୍ୟକ ପରିମାଣର ନବମ ଓ ଦଶମ ଶ୍ରେଣୀରେ ପାଠ୍ୟପୁସ୍ତକ ବୋର୍ଡ ପଠାଇବାରେ ବିଳମ୍ବ ହୋଇଛି। ଦୁଇଟି ଯାକ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ଯୋଗାଇଦେବା ପାଇଁ ଆହୁରି ଏକ ଲକ୍ଷ ବହି ଏପ୍ରିଲ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ଛପାଇ ଜିଲ୍ଲା ସ୍ତରରେ ବ୍ଲକ୍ର ପଏଣ୍ଟଗୁଡ଼ିକୁ ପଠାଯିବା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ରହିଛି ବୋଲି ବୋର୍ଡ କର୍ତ୍ତୃପକ୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଇଛନ୍ତି ।

ଅଧିକ ପଢ଼ନ୍ତୁ :-  ଆଜି ଖରିଫ୍ ଧାନକିଣା ଶେଷ, ରହିଗଲେ ଲକ୍ଷାଧିକ; ମନ୍ତ୍ରୀ କହିଲେ ଆଉ ୨ ଦିନ ବଢିପାରେ

ସୂଚନାଯୋଗ୍ୟ, ମାଧ୍ୟମିକ ପରିଷଦ ପକ୍ଷରୁ ନବମ ଓ ଦଶମ ଶ୍ରେଣୀରେ ୧୨ ଖଣ୍ଡ ଲେଖାଏଁ ଜଣେ ଛାତ୍ର ପାଇଁ ମୋଟ ୨୪ ଖଣ୍ଡ ପାଠ୍ୟପୁସ୍ତକ ଛପା ଯାଇଥାଏ । ଶିକ୍ଷା ବର୍ଷ ଆରମ୍ଭ ହେବା ପୂର୍ବରୁ ବହିଗୁଡ଼ିକୁ ଜିଲ୍ଲାସ୍ତରକୁ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଥାଏ । ଆସନ୍ତା ଶିକ୍ଷା ବର୍ଷ ପାଇଁ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ବୋର୍ଡ ୮ ଲକ୍ଷ ବହି ଛପାଇ ପଠାଇ ସାରିଥିଲେ ମଧ୍ୟ ଆହୁରି ୧ ଲକ୍ଷ ବହି ଛପାଇବାର ବ୍ୟବସ୍ଥା ରହିଛି ।