କଟକ, ୧୩।୫ : ବାରଙ୍ଗ ଥାନା ଅନ୍ତର୍ଗତ ସାନ ମୁଣ୍ଡଳୀରେ ୩ ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରିବା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ବାରଙ୍ଗ ଥାନା ପୋଲିସ। ଗିରଫ ୩ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ଆଠଗଡ଼ ବାସିନ୍ଦା ହୋଇଥିବା ବେଳେ ଜଣେ ଭୁବନେଶ୍ୱର ବାସିନ୍ଦା। ଗିରଫଙ୍କ ମଧ୍ୟରେ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ସାମିଲ ଅଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଦନ୍ତ ଜାରି ରଖିଛି କମିସନରେଟ ପୋଲିସ। ପୂର୍ବ ଶତ୍ରୁତା ଯୋଗୁଁ ଏହି ଘଟଣା ଘଟିଛି ବୋଲି କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି।
ସମସ୍ତ ଅଭିଯୁକ୍ତଙ୍କୁ ସିସିଟିଭି ଆଧାରରେ ଚିହ୍ନଟ କରାଯାଇଛି। ଦୁଇଟି ବାଇକରେ ୫ ଜଣ ଦୁର୍ବୁତ୍ତ ଆସିଥିଲେ। ତେବେ ଏହି ଘଟଣାରେ କାହୁଁ ଦଳେଇ ଗୁରୁତର ଆହତ ହୋଇଛନ୍ତି। କଟକ ଏସସିବି ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଛି। ଅନ୍ୟ ଜଣଙ୍କୁ ଚିକିତ୍ସା କରାଯାଇ ଘରକୁ ପଠେଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ।
ସୂଚନାଯୋଗ୍ୟ ଯେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କଟକ ସନମୁଣ୍ଡଳିରେ ଦିନ ଦିପ୍ରହରରେ ୬ ଜଣ ଦୁର୍ବୃତ୍ତ ୩ ଜଣଙ୍କୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ତାହା ପୁଣି ଫିଲ୍ମ ଷ୍ଟାଇଲରେ। ମୋବାଇଲରେ ଜଣେ ରେକଡ଼ିଂ ଆରମ୍ଭ କଲା ଆଉ ୪ ଜଣ ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲା। ଏଥିରେ ସାନମୁଣ୍ଡଳୀ ଗ୍ରାମର କାହ୍ନୁ ଚରଣ ଦଳାଇ ଗୁରୁତର ହୋଇଥିବା ବେଳେ ଗ୍ରାମର ଦୋକାନୀ ଅନିଲ ଲେଙ୍କା ଓ ଦହିବରା ବ୍ୟବସାୟୀ ରଞ୍ଜନ ରାଉତ ଆହତ ହୋଇଥିଲେ। ଘଟଣା ସ୍ଥଳରେ ଗୋଡ଼ିସାହି ଫାଣ୍ଡି ,ବାରଙ୍ଗ ଥାନା ଅଧିକାରୀ ଓ କଟକ ଜୋନ ୪ ଏସିପି ପହଞ୍ଚି ଗୁରୁତର ଓ ଆହତ ତିନିଜଣଙ୍କୁ ଚିକିତ୍ସା ପାଇଁ କଟକ ବଡ଼ମେଡିକାଲ ପଠାଇଥିଲେ।