ନୂଆଦିଲ୍ଲୀ, ୨୯।୬: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ଓ ପରିବହନ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଦିଲ୍ଲୀ ସରକାର ସୋମବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ସରକାରଙ୍କ ଦ୍ବାରା ନୂଆ ଇଭି ପଲିସିକୁ ମଞ୍ଜୁରୀ ଦେକରାଯାଇଛି । ସଚିବାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏହି ନୂଆ ନୀତି ଦିଲ୍ଲୀର ବର୍ଷ ବର୍ଷର ପ୍ରଦୂଷଣ ଏବଂ ପରିବହନ ସମସ୍ୟାର ସମାଧାନ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଉପ-ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହି ନୀତି ଜୁଲାଇ ୧ରୁ ଲାଗୁ ହେବାକୁ ଯାଉଥିବାବେଳେ ଏହା ୩୧ ଅଗଷ୍ଟ ୨୦୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଜନସାଧାରଣ ପାଇବେ ୧୫ ହଜାର କୋଟିର ଲାଭ:

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ନୂଆ ଇଭି ପଲିସି ଦ୍ୱାରା ସାଧାରଣ ଜନତାଙ୍କୁ ପ୍ରାୟ ୧୫ ହଜାର କୋଟି ଟଙ୍କାର ଲାଭ ମିଳିବ ବୋଲି ଅନୁମାନ କରାଯାଉଛି । ଲୋକମାନଙ୍କୁ ଇଲେକ୍ଟ୍ରିକ୍ ଗାଡ଼ି କିଣିବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ବିଭିନ୍ନ ବର୍ଗର ଗାଡ଼ି ଉପରେ ସବ୍ସିଡି ଏବଂ ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି । ଏହି ନୀତି ମଧ୍ୟରେ ଦୁଇଚକିଆ, ଚାରିଚକିଆ, ତିନିଚକିଆ, ଟ୍ରକ୍ ଏବଂ ଗ୍ରାମୀଣ ପରିବହନ ଗାଡ଼ିଗୁଡ଼ିକୁ ସାମିଲ କରାଯାଇଛି ।

ଖୁବଶୀଘ୍ର ମିଳିବ ଉପ-ରାଜ୍ୟପାଳଙ୍କ ସ୍ୱୀକୃତି:

ସାମ୍ବାଦିକ ସମ୍ମିଳନୀ ପ୍ରାରମ୍ଭରେ ଶିକ୍ଷା ମନ୍ତ୍ରୀ ଆଶିଷ ସୂଦ କହିଛନ୍ତି ଯେ, ମନ୍ତ୍ରୀ ଗୋଷ୍ଠୀ ସୋମବାର ଏହି ନୂଆ ଇଭି ପଲିସିର ଚିଠା ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ, ଯାହାକୁ ପରେ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି । ଏହି ନୀତି ପ୍ରସ୍ତୁତ କରିବା ପୂର୍ବରୁ ଅନେକ ପର୍ଯ୍ୟାୟରେ ଆଲୋଚନା କରାଯାଇଥିଲା । ପରିବହନ ବିଭାଗ ସଚିବ ନିହାରିକା ଜଣାଇଛନ୍ତି ଯେ, କ୍ୟାବିନେଟ୍ ମଞ୍ଜୁରୀ ପରେ ଏହି ଚିଠା ପ୍ରସ୍ତାବକୁ ଉପ-ରାଜ୍ୟପାଳଙ୍କ ପାଖକୁ ପଠାଯାଇଛି ଏବଂ ମଙ୍ଗଳବାର ସୁଦ୍ଧା ଏହାକୁ ଅନୁମୋଦନ ମିଳିଯିବାର ସମ୍ଭାବନା ରହିଛି ।

ଏହା ବି ପଢ଼ନ୍ତୁ... Mid-Day Meal Scheme: ବେଙ୍ଗଲ ମିଡ୍-ଡେ ମିଲ୍ ବିବାଦରେ ଏଣ୍ଟ୍ରି ମାରିଲା 'ଓଡ଼ିଶା ମଡେଲ'; ପିଲାଙ୍କ ଥାଳିରୁ ହଟିବନି ଅଣ୍ଡା, ଶୁଭେନ୍ଦୁ ସରକାରଙ୍କ ନୂଆ ପ୍ଲାନ୍ !

ପରିବର୍ତ୍ତନ ଏବଂ ପ୍ରୋତ୍ସାହନ ରାଶି ଉପରେ ଏକ ନଜର:

ଇଲେକ୍ଟ୍ରିକ୍ ତିନିଚକିଆ ଗାଡ଼ି କିଣିଲେ ୩୦ ରୁ ୫୦,୦୦୦ ପର୍ଯ୍ୟନ୍ତ ପ୍ରୋତ୍ସାହନ ମିଳିବ, ଇଲେକ୍ଟ୍ରିକ୍ ଟ୍ରକ୍ କିଣିବା ଦ୍ୱାରା ୧ ଲକ୍ଷର ସ୍କ୍ରାପିଂ ଇନସେଣ୍ଟିଭ୍ ମିଳିବ, ଗ୍ରାମୀଣ ସେବା ଗାଡ଼ି ୨୦,୦୦୦ ର ସ୍କ୍ରାପିଂ ଇନସେଣ୍ଟିଭ୍ ମିଳିବ । ପର୍ଯ୍ୟାୟକ୍ରମେ ପେଟ୍ରୋଲ-ଡିଜେଲ ଗାଡ଼ିର ପଞ୍ଜୀକରଣ ବନ୍ଦ କରାଯିବ । ୧ ଜାନୁଆରୀ ୨୦୨୭ ରୁ ନୂଆ ତିନିଚକିଆ ଗାଡ଼ି ଏବଂ ଏପ୍ରିଲ ୨୦୨୮ ରୁ ନୂଆ ଦୁଇଚକିଆ ଗାଡ଼ିର ପଞ୍ଜୀକରଣ କେବଳ ଇଭି ଭାବେ ହିଁ କରାଯିବ । ଏହି ପଲିସି ଅଧୀନରେ କିଣାଯାଇଥିବା ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଦିଲ୍ଲୀ ବାହାରେ ବିକ୍ରି କରାଯାଇପାରିବନାହିଁ । ସାର୍ବଜନୀନ ସ୍ଥାନଗୁଡ଼ିକରେ ବ୍ୟାପକ ଭାବେ ଇଭି ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ବିଦ୍ୟୁତ ବିତରଣ କମ୍ପାନୀମାନଙ୍କ ସହ ମିଶି ଘରୋଇ ଚାର୍ଜିଂ ପାଇଁ ସ୍ୱତନ୍ତ୍ର ମିଟର ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଉଛି । ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା କହିଛନ୍ତି ଯେ, ଏହି ନୀତି ଯୋଗୁଁ ରାଜଧାନୀରେ ବାୟୁ ପ୍ରଦୂଷଣ ମାତ୍ରା ଯଥେଷ୍ଟ ହ୍ରାସ ପାଇବ । ଅପରପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ପଙ୍କଜ କୁମାର ସିଂହ ଜନସାଧାରଣଙ୍କୁ ଏହି ଯୋଜନା ଆପଣାଇବାକୁ ଅନୁରୋଧ କରିଛନ୍ତି ।