ଭବାନୀପାଟଣା, ୮/୬ (ସନ୍ତୋଷ ସିଂହଦେଓ) : ପୂର୍ବଘାଟ ପର୍ବତମାଳାର ଶ୍ୟାମଳ ଶୋଭା, କୁଳୁକୁଳୁ ନାଦରେ ବୋହିଯାଉଥିବା ଚିରସ୍ରୋତା ନଦୀ ଏବଂ ଜୈବ ବିବିଧତାର ଏକ ଅନନ୍ୟ ପ୍ରାକୃତିକ ଗନ୍ତାଘର ହେଉଛି କଳାହାଣ୍ଡି ଜିଲ୍ଲା। ଘଞ୍ଚ ସବୁଜ ବନାନୀ, ଶତାଧିକ ଜଳପ୍ରପାତ, ତେଲ, ରେତ, ହାତୀ, ଓ ଶଗଡା ଭଳି ଚିରସ୍ରୋତା ନଦୀ, ଅସଂଖ୍ୟ ନାଳ ଏବଂ ବିଶାଳ ଇନ୍ଦ୍ରାବତୀ ଜଳଭଣ୍ଡାରକୁ ନେଇ ସମୃଦ୍ଧ ଏହି ମାଟି ଆଜି ସମଗ୍ର ରାଜ୍ୟର ଜୈବ ସନ୍ତୁଳନକୁ ଜାବୁଡ଼ି ଧରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ହେଲେ ମାନବୀୟ ସ୍ୱାର୍ଥପରତା ଯୋଗୁଁ ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟ ଉଜୁଡ଼ିବାକୁ ବସିଛି। ଏହାକୁ ନେଇ ଏବେ ଆତ୍ମସମୀକ୍ଷା କରିବାର ସମୟ ଆସିଛି। 

କଳାହାଣ୍ଡିର ପ୍ରାକୃତିକ ପରିଚୟ କହିଲେ ଜିଲ୍ଲାର ପ୍ରସିଦ୍ଧ କାର୍ଲାପାଟ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ବୁଝାଏ। ପ୍ରାୟ ୧୭୫ ବର୍ଗ କିଲୋମିଟର ପରିମିତ ଅଞ୍ଚଳରେ ବ୍ୟାପ୍ତ ଏହି ଅଭୟାରଣ୍ୟ କେବଳ ଏକ ଘଞ୍ଚ ଜଙ୍ଗଲ ନୁହେଁ, ବରଂ ଏହା ଶତାବ୍ଦୀ ଶତାବ୍ଦୀର ସଭ୍ୟତା ଓ ଜୀବନର ଏକ ମୂଲ୍ୟବାନ ସ୍ମାରକୀ। ଚିରସ୍ରୋତା ଶଗଡା ନଦୀ, ଏକାଧିକ ବର୍ଷାଦିନିଆ ନାଳ ଏବଂ ପ୍ରକୃତିର ଅନନ୍ୟ ସୃଷ୍ଟି ଫୁର୍ଲିଝରଣ, ଘୁସୁରିଗୁଡ଼ି ଓ ଖଣ୍ଡୁଆଳଧାର ଭଳି ମନୋରମ ଜଳପ୍ରପାତ ଏହି ଅରଣ୍ୟକୁ ବର୍ଷସାରା ସବୁଜିମାରେ ଶ୍ୟାମଳ କରି ରଖନ୍ତି। ଉଚ୍ଚ-ନୀଚ ଭୂଭାଗ, ପାହାଡ଼ ଓ ଉପତ୍ୟକାର ଏହି ନିଆରା ପରିବେଶ ମଧ୍ୟରେ ପ୍ରାୟ ୫୬୦ ପ୍ରଜାତିର ଉଦ୍ଭିଦ ଦେଖାଯାନ୍ତି, ଯେଉଁଥିରେ ଆଠ ପ୍ରଜାତିର ଅତି ବିରଳ ଉଦ୍ଭିଦ ସାମିଲ ଅଛନ୍ତି। ଶାଳ, ବିଜା, ଅସନ, ହରିଡ଼ା, ଅଁଳା, ବାହାଡ଼ା ଏବଂ ବ୍ୟାପକ ବାଉଁଶ ବଣ ସହ ଅସଂଖ୍ୟ ବହୁମୂଲ୍ୟ ଔଷଧୀୟ ଗଛର ଏହା ଏକ ପ୍ରାକୃତିକ ଭଣ୍ଡାର।

ଏଠାରେ ମାନବୀୟ ହସ୍ତକ୍ଷେପ କମ୍ ଥିବାରୁ ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁ ସମ୍ପୂର୍ଣ୍ଣ ନିର୍ଭୟରେ ବିଚରଣ କରିଥାନ୍ତି। ବାଘ, ହାତୀ, କଲରାପତ୍ରିଆ ବାଘ, ଗୟଳ, ସମ୍ବର, କୁଟୁରା, ଭାରତୀୟ ଗଧିଆ, ବଣୁଆ କୁକୁର, ଭାଲୁ, ମାଲାବାର ଗୁଣ୍ଡୁଚି ମୂଷା ଏବଂ ବିପନ୍ନ ବଜ୍ରକାପ୍ତା ଆଦି ପ୍ରାଣୀ ଏଠାକାର ବାସିନ୍ଦା। ଆକାଶରେ ମୟୂର, ହର୍ଣ୍ଣବିଲ୍, ବଣ କୁକୁଡ଼ା, କାଠଯୋଡ଼ି, ପାହାଡ଼ି ମଇନା ଓ ଶଙ୍ଖଚିଲ ଭଳି ମନମୁଗ୍ଧକର ପକ୍ଷୀଙ୍କ କାକଳି ଶୁଣିବାକୁ ମିଳୁଥିବାବେଳେ ମାଟିରେ ଗୋଧି ସହ ଅନେକ ବିଷାକ୍ତ ଓ ଅଣ-ବିଷାକ୍ତ ସରୀସୃପ ବଂଶବୃଦ୍ଧି କରି ଚାଲିଛନ୍ତି। ୧୫୭ ପ୍ରଜାପତି, ୬ ପ୍ରଜାତିର ମାଛ, ୧୫୭ଟି ଉଦ୍ଭିଦ ପରିବାର ଏବଂ ୫୯୭ ଜେନେରାରେ ଅନ୍ତର୍ଭୁକ୍ତ ୯୧୨ଟି ବିଭିନ୍ନ ପ୍ରଜାତିର ଗଛ ଲଟା ଗୁଳ୍ମ ଆଦିର ଘର ଏଇ କର୍ଲାପାଟ ଅଭୟାରଣ୍ୟ। ୭୭୮ ପ୍ରଜାତିର ଆଞ୍ଜିଓସ୍ପର୍ମସ୍, ୪୯ ପ୍ରଜାତିର ପେରିଡୋଫାଇଟ୍, ୩ ପ୍ରଜାତିର ଜିମ୍ନୋସ୍ପର୍ମସ୍, ୨୧ପ୍ରଜାତିର ବ୍ରାଇଓଫାଇଟ୍ସ, ୪୬ ପ୍ରଜାତିର ଫଙ୍ଗାଈ ବା କବକ, ଏବଂ ୧୫ ପ୍ରଜାତିର ଲାଇକେନ ଏଥିରେ ଅନ୍ତର୍ଭୁକ୍ତ। ୫୮ ଲତା ଜାତୀୟ, ୪୦୭ ଔଷଧୀୟ ଗଛ, ୧୦୧ଟି ବୁଦୁବୁଦୁକିଆ ଏବଂ ୨୧୧ଟି ବଡ ବୃକ୍ଷ ପ୍ରଜାତି ଦେଖିବାକୁ ମିଳନ୍ତି। ବିଶେଷ କରି ସଂଖ୍ୟାଧିକ ଶାଳ, ବିଜ, ଶିଶୁ , ଆସନ, ବାଉଁଶ, ବାହାଡା, ହରିଡା, ଜାମୁ, କେନ୍ଦୁ, କୁସୁମ, ଆମ୍ବ ଏବଂ ଅର୍ଜୁନ ଆଦି ବୃକ୍ଷର ସମାହାର ଏହି ଅଭ୍ୟୟାରଣ୍ୟର ଶୋଭା ବଢାଉଛନ୍ତି। ଏଠାରେ ପ୍ରଚୁର ପରିମାଣରେ ଦେଖାଯାଏ କରଡା ବା କର୍ଲା ଗଛ। ଯେଉଁଥି ପାଇଁ ଅଭୟାରଣ୍ୟର ନାମ କର୍ଲାପାଟ ହୋଇଥିବାର ବିଶ୍ଵାସ ରହିଛି। ଅନେକ ବିଲୁପ୍ତପ୍ରାୟ ଉଦ୍ଭିଦ ପ୍ରଜାତିଙ୍କ ଏଇ କର୍ଲାପାଟ। ୭୭୮ ଆଞ୍ଜିଓସ୍ପର୍ମ ମଧ୍ୟରୁ ୨୯ଟି ପ୍ରଜାତି ଓଡିଶାର ବିଲୁପ୍ତପ୍ରାୟ ତାଲିକାରେ ରହିଛନ୍ତି।

ଆହୁରି ପଢନ୍ତୁ-ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ ଅପ୍‌ଡେଟ୍, ସୁଇସାଇଡ୍‌ ଦିନ OLAରେ ଆସିଥିଲେ ଚନ୍ଦ୍ରିକା, ସିସିଟିଭିରୁ ମିଳିଲା ସୁରାକ

କାର୍ଲାପାଟ ଭଳି ଅଭୟାରଣ୍ୟ ଆଜି ବି ପ୍ରକୃତିର ସୁରକ୍ଷା କବଚ ସାଜିଥିବା ବେଳେ, ମଣିଷର ଅସୀମ ସ୍ୱାର୍ଥପରତା ସମଗ୍ର ପରିବେଶର ସନ୍ତୁଳନକୁ ବିଗାଡ଼ି ଦେଲାଣି। ଅଯୋଜିତ ଓ ଦ୍ରୁତ ସହରୀକରଣ ଯୋଗୁଁ ବନ୍ୟପ୍ରାଣୀଙ୍କ ପ୍ରାକୃତିକ ବାସସ୍ଥାନ ଉଜୁଡ଼ିବାରେ ଲାଗିଛି। ନିଜର ଆଶା ପୂରଣ କରିବାକୁ ଯାଇ ମଣିଷ ଜଙ୍ଗଲ ଜମିକୁ କ୍ଷୟ କରି ସେଠାରେ ବ୍ୟାପକ ଚାଷକାର୍ଯ୍ୟ ଆରମ୍ଭ କଲାଣି। ଏତିକିରେ ମଣିଷର ଲୋଭ ସରିନାହିଁ। ଅଧିକ ଅମଳ ଆଶାରେ କୃଷି କାର୍ଯ୍ୟରେ ପ୍ରଚୁର ପରିମାଣର କୀଟନାଶକ ଓ ରାସାୟନିକ ସାର ପ୍ରୟୋଗ କରାଯାଉଛି, ଯାହା ମାଟି ଓ ଜଳକୁ ବିଷାକ୍ତ କରି ଜୈବ ବିବିଧତାକୁ ମୂଳପୋଛ କରୁଛି। ସାମ୍ପ୍ରତିକ ଖଣି ଶିଳ୍ପ ସ୍ଥାପନରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯେଉଁ ମାନବ ସମାଜ ଆଜି ଜୈବ ବିବିଧତା ନଷ୍ଟ କରିବାରେ ମୁଖ୍ୟ ଭୂମିକା ନେଉଛି, ସେ କଣ ପରିବେଶକୁ ସୁରକ୍ଷା ଦେଇପାରିବ? ଏହି ସଙ୍କଟର ଗୁରୁତ୍ୱକୁ କେବଳ ସଭା-ସମିତିରେ ସୀମିତ ନରଖି ପ୍ରତ୍ୟେକ ବ୍ୟକ୍ତି ଉପଲବ୍ଧି କରିବା ଆବଶ୍ୟକ। କାର୍ଲାପାଟର ସୁରକ୍ଷା ସହ ଜୈବ ବିବିଧତାର ପୁନର୍ଗଠନ ହିଁ ଆଗାମୀ ଦିନରେ ଜିଲ୍ଲାର ପ୍ରକୃତ ପ୍ରଗତି ଓ ବିକାଶ ପାଇଁ ଫଳପ୍ରଦ ସାବ୍ୟସ୍ତ ହେବ।

୮୫ ପ୍ରତିଶତ ମାର୍କ ରଖି ଛେଳି ଚରାଉଛନ୍ତି ଛାତ୍ର,କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସୁଡ଼ଙ୍ଗ ଗାଁରୁ ଆସିଲା ଚିତ୍ର ..