ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ମନ୍ତ୍ରୀ ତଥା ବିଜେପି ନେତା ମନଜିନ୍ଦର ସିଂହ ସିରସା ଆପ ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ଉପରେ ଏକ ବଡ ବାକ୍ ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କେଜରିୱାଲଙ୍କ ସରକାର ଶିକ୍ଷା, ବିଦ୍ୟୁତ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବଡ଼ ଧରଣର ଦୁର୍ନୀତି କରିଛି। ଶୁକ୍ରବାର ଗଣମାଧ୍ୟମ ସହ ଆଲୋଚନା ବେଳେ ସିରସା କହିଛନ୍ତି ଯେ, ଲାଲୁ ପ୍ରସାଦ ଯାଦବଙ୍କ ପରେ ଅରବିନ୍ଦ କେଜରିୱାଲ ହେଉଛନ୍ତି ଏମିତି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଯିଏକି ଜେଲରେ ସର୍ବାଧିକ ସମୟ ବିତାଇବେ। ଆମ୍ ଆଦମୀ ପାର୍ଟି ନିଜକୁ ସଚ୍ଚୋଟତାର ପ୍ରତୀକ ବୋଲି କହୁଥିଲା, କିନ୍ତୁ ବାସ୍ତବରେ ପ୍ରତ୍ୟେକ ବିଭାଗରେ ଘୋଟାଲା ହୋଇଛି।
ସିରସା ଆହୁରି ପୁଣି ଦାବି କରିଛନ୍ତି ଯେ, ଇଡି ତଦନ୍ତରେ ନିରନ୍ତର ନୂତନ ଖୁଲାସା ହେଉଛି ଏବଂ ଏହି ମାମଲାର ବିଚାର ଏତେ ଜଟିଳ ଯେ, ଆଗାମୀ ୧୦ ବର୍ଷ ମଧ୍ୟରେ ମଧ୍ୟ ମାମଲା ଗୁଡ଼ିକ ସମାପ୍ତ ହେବ ନାହିଁ। ସେ ସ୍କୁଲ ନିର୍ମାଣ, ବିଦ୍ୟୁତ୍ ସବସିଡି ଏବଂ ଆର୍ଥିକ ଅନିୟମିତତା ସମ୍ପର୍କରେ ଆପ୍ ବିରୁଦ୍ଧରେ ଅନେକ ଅଭିଯୋଗ ଆଣିଛନ୍ତି। କେବଳ ଦିଲ୍ଲୀ ନୁହେଁ, ପଞ୍ଜାବ ସରକାରଙ୍କୁ ମଧ୍ୟ ସିର୍ସା ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ଆପ ପଞ୍ଜାବକୁ ଲୁଟର ଆଡ୍ଡା ବନାଇ ଦେଇଛି । ସେଠାରେ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରାଯାଉଛି, ବ୍ୟବସାୟୀଙ୍କ ଠାରୁ ଚାନ୍ଦା ଆଦାୟ କରାଯାଉଛି ଏବଂ ତା’ପରେ ହତ୍ୟାକାରୀଙ୍କ ଏନକାଉଣ୍ଟର ଦେଖାଯାଉଛି। ସିରସା ଏହି ସମସ୍ତ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ଏବଂ ଚେତାବନୀ ଦେଇଛନ୍ତି ଯେ, ଯେପରି ଦିଲ୍ଲୀରେ ଦାୟିତ୍ୱ ସ୍ଥିର କରାଯାଉଛି, ସେହିପରି ପଞ୍ଜାବର ନେତା ମାନଙ୍କୁ ମଧ୍ୟ ଉତ୍ତର ଦେବାକୁ ପଡିବ।