ନୂଆଦିଲ୍ଲୀ, ୨୪/୦୫:  ଦେଶର ଆଭିଜାତ୍ୟପୂର୍ଣ୍ଣ କ୍ଲବ୍‌ ମଧ୍ୟରୁ ଅନ୍ୟତମ ଦିଲ୍ଲୀ ଜିମ୍‌ଖାନା କ୍ଲବ୍‌ ଖୁବ୍‌ ଶୀଘ୍ର ଇତିହାସ ପାଲଟିବ । ଲୁଟିଅନ୍ସ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ  ବାସଭବନ ନିକଟରେ ଥିବା ଏହି କ୍ଲବ୍‌କୁ କେନ୍ଦ୍ର ସରକାର ଶୁକ୍ରବାର ଖାଲି କରିବାକୁ  ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରର ଲ୍ୟାଣ୍ଡ ଆଣ୍ଡ ଡେଭଲପମେଣ୍ଟ ଅଫିସ୍‌ ପକ୍ଷରୁ କ୍ଲବ୍‌ର ସମ୍ପାଦକଙ୍କୁ ଚିଠି ଲେଖି ଏହି ନିର୍ଦ୍ଦେଶ ଦିଆଯାଇଛି ।

ସେଥିରେ କୁହାଯାଇଛି ଯେ,  ସରକାରଙ୍କୁ କ୍ଲବ୍‌ର ଦଖଲରେ ଥିବା ୨୭.୩ ଏକର ଆବଶ୍ୟକ। ତାକୁ ପ୍ରତିରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା, ସଂସ୍ଥାଗତ ଆବଶ୍ୟକତା ଏବଂ ଅନ୍ୟ ପ୍ରକଳ୍ପ ଲାଗି  ବ୍ୟବହାର କରାଯିବ । ତେବେ କ୍ଲବ୍‌ର ସଦସ୍ୟ ସିଦ୍ଧାର୍ଥ, ସରକାରଙ୍କ ଆଦେଶକୁ  କୋର୍ଟରେ ଚାଲେଞ୍ଜ କରାଯିବ ବୋଲି କହିଛନ୍ତି । ତାଙ୍କ ଅନୁସାରେ, ଏହି କ୍ଲବ୍‌ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁନାହିଁ । ତେଣୁ ଆଦେଶର ପୁନର୍ବିଚାର କରାଯାଉ ।  ଦିଲ୍ଲୀ ଜିମ୍‌ଖାନା କ୍ଲବ୍‌ର ସ୍ଥାପନା ବ୍ରିଟିଶ କାଳରେ ହୋଇଥିଲା ।

୧୯୧୩ରେ ଏହା ଇମ୍ପେରିଆଲ ଦିଲ୍ଲୀ ଜିମ୍‌ଖାନା କ୍ଲବ୍‌ ନାମରେ ଆରମ୍ଭ ହୋଇଥିଲା । ସ୍ୱାଧୀନତା ପରେ  ଏହାର ନାମ ଦିଲ୍ଲୀ ଜିମ୍‌ଖାନା କ୍ଲବ୍‌ ହୋଇଥିଲା । ବର୍ତ୍ତମାନ ଥିବା ଘର ୧୯୩୦ରେ ବନାଯାଇଥିଲା । ପ୍ରସିଦ୍ଧ ବ୍ରିଟିଶ ସ୍ଥପତି ରବର୍ଟ ଟୋର ରସେଲ ଏହାକୁ ଡିଜାଇନ୍‌  କରିଥିଲେ । ଦୀର୍ଘ ୧୧୩ ବର୍ଷ ହେଲା ଏହି କ୍ଲବ୍‌ ହାଇ ସୋସାଇଟି ଷ୍ଟାଟସ୍‌ର ପ୍ରତୀକ ରହିଛି । କ୍ଲବ୍‌ରେ ୨୬ଟି ଗ୍ରାସ ଟେନିସ୍‌ କୋର୍ଟ ରହିଛି ଯାହାକି ଦେଶରେ  ଥିବା ଯେକୌଣସି କ୍ଲବ୍‌ ତୁଳନାରେ ଅଧିକ ।

ଅଧିକ ପଢ଼ନ୍ତୁ :-  Cockroach Janta Party: ଏକ୍ସ, ଇନ୍‌ଷ୍ଟା ପରେ ୱେବସାଇଟ୍‌ ବ୍ୟାନ୍‌...କାହିଁକି 'କକ୍ରୋଚ୍‌ ଜନତା ପାର୍ଟି'କୁ ଏତେ ଭୟ ? ପାଉଣ୍ଡରଙ୍କ ଘର ବାହାରେ ପୁଲିସ୍ ଛାଉଣି

ଏହାଛଡା ସ୍କ୍ୱାସ କୋର୍ଟ, ବ୍ୟାଡମିଣ୍ଟନ  କୋର୍ଟ, ବିଲିଆର୍ଡସ ରୁମ୍‌, ସୁଇମିଂ ପୁଲ, ୩ଟି ଲାଉଞ୍ଜ ବାର୍‌ ଏବଂ ୪୩ଟି କଟେଜ୍‌  ମଧ୍ୟ ଅଛି । ଏହି କ୍ଲବ ଦୀର୍ଘ ସମୟ ଧରି ଉଚ୍ଚପଦସ୍ଥ ସରକାରୀ ଅଧିକାରୀ, ସେନା  ମୁଖ୍ୟ, ବିଚାରପତି, ରାଜନେତା, ବ୍ୟବସାୟୀ ପରିବାରର ଆଡ୍ଡା ରହିଆସିଛି । ଏହାର ସଦସ୍ୟତା କୌଣସି ବଡ଼ ସରକାରୀ ପଦ ଭଳି ମନେ କରାଯାଏ । ପ୍ରାୟ  ୧୨୦୦ ସଦସ୍ୟ ଥିବା ଏହି କ୍ଲବ୍‌ରେ ପ୍ରବେଶ ପାଇବା ଖୁବ୍‌ କଷ୍ଟକର । ପ୍ରତିବର୍ଷ  ମାତ୍ର ୧୦୦ ଜଣ ଲୋକ ସଦସ୍ୟତା ପାଇଥାନ୍ତି ।