ପ୍ରେରଣାର ପ୍ରତୀକ ରାମ ଭାଜନ, ୮ମ ଥରରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାସ କଲେ ହେଡ୍ କନଷ୍ଟେବଲ

ନୂଆଦିଲ୍ଲୀ ୨୫/ ୦୫: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ ଆଉ କଠିନ ପରିଶ୍ରମର ଫଳ ଦିନେ ନା ଦିନେ ନିଶ୍ଚୟ ମିଳିଥାଏ । ଏହା କେବଳ ଉଦାହରଣ ନୁହେଁ ବରଂ ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଦିଲ୍ଲୀର ଜଣେ କନଷ୍ଟେବଲ । ବିଫଳତାରୁ ହାର୍ ମାନି ନଯାଇ ପ୍ରସ୍ତୁତି, କଠିନ ପରିଶ୍ରମ ଓ ଦୃଢ ମନୋବଳ ଯୋଗୁଁ UPSC ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଦିଲ୍ଲୀ ପୋଲିସ ହେଡ୍ କନଷ୍ଟେବଲ ରାମ ଭାଜନ କୁମାର ।
ପୋଲିସ ବିଭାଗରେ କାର୍ଯ୍ୟରତ ଥାଇ ବି UPSC ପ୍ରସ୍ତୁତି ଚଳାଇଥିଲେ ରାମ ଭାଜନ କୁମାର । ଥରେ କି ଦୁଇ ଥର ନୁହେଁ ସାତ ସାତ ଥର ଫେଲ୍ ମାରିବା ପରେ ଅଷ୍ଟମ ଥର ସିଭିଲ୍ ସର୍ଭିସ୍ ପରୀକ୍ଷାର ଉତ୍ତୀର୍ଣ୍ଣ ହୋଇଛନ୍ତି ସେ । ମଙ୍ଗଳବାର, ୟୁପିଏସ୍ସି ଫଳାଫଳ ପ୍ରକାଶ ପାଇବା ବେଳେ ସେ ଡ୍ୟୁଟିରେ ଥିଲେ । ଦିଲ୍ଲୀ ସାଇବର ସେଲ୍ରେ କାର୍ଯ୍ୟରତ ରାମ ଭାଜନ ସେତେବେଳେ ଫୋନ୍ କଲ୍ ଓ ମେସେଜ୍ରେ ବ୍ୟସ୍ତ ଥିଲେ । କିନ୍ତୁ ଫଳାଫଳ ଶୁଣିବା ପରେ ତାଙ୍କ ପାଦ ତଳେ ଲାଗି ନଥିଲା । ଏତେ ବର୍ଷ ଧରି ପ୍ରୟାସ କରି ଫେଲ୍ ମାରିବା ପରେ ସର୍ବଭାରତୀୟ ସ୍ତରରେ ୬୬୭ ରାଙ୍କରେ ରହିଛନ୍ତି ରାମ ଭାଜନ କୁମାର ।
ସଫଳତାକୁ ନେଇ ରାମ ଭାଜନ କୁମାର କହିଛନ୍ତି, ‘ସ୍ବପ୍ନ ଆଜି ସାକାର ହୋଇଛି । ଏହା ମୋର ଅଷ୍ଟମ ପ୍ରୟାସ ଥିଲା । ମୋ ପାଇଁ ୯ଟି ସୁଯୋଗ ଥିଲା । ଯେଉଁଥିରୁ ୭ଟି ରେ ଫେଲ୍ ହୋଇଥିଲି । ଏବେ ଅଷ୍ଟମ ପ୍ରୟାସରେ ପାସ୍ କରିଛି । ଯଦି ବି ମୁଁ ଏଥର ଫେଲ୍ ହୋଇଥାନ୍ତି ତେବେ ବି ଶେଷ ଥର ପ୍ରୟାସ କରିଥାନ୍ତି । ରାଙ୍କରେ ଉପରକୁ ଯିବା ପାଇଁ ମେ ୨୮ରେ ହେବାକୁ ଥିବା ପ୍ରିଲିମନାରୀ ପରୀକ୍ଷା ଦେବି’।
ବିଫଳତାରେ ହାର୍ ମାନିଯିବା ତ ସାଧାରଣ କଥା । କିନ୍ତୁ ଅଧିକାଂଶ, ପୁଣି ପ୍ରୟାସ କରିବାକୁ ଇଚ୍ଛା ପ୍ରକାଶ କରି ନଥାନ୍ତି । ବିଫଳତାକୁ ଅନେକ ଲୋକ ସକାରାତ୍ମକ ଭାବେ ନେବାକୁ ମଧ୍ୟ ଚାହିଁନଥାନ୍ତି । ଜୀବନରେ ଏହା ଏକ ପ୍ରକ୍ରିୟା ଜାଣି ବି ବିଫଳତାରେ ଅନେକ ଆଶ୍ଚର୍ଯ୍ୟ ହୋଇଯାନ୍ତି ଏବଂ ପ୍ରୟାସ କରିବା ଛାଡି ଦିଅନ୍ତି । କିନ୍ତୁ ରାମ ଭାଜନ କୁମାରଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଧୌର୍ଯ୍ୟ ହରା ନ ହୋଇ ଅନବରତ ଭାବେ ବର୍ଷ ବର୍ଷ ଧରି ପ୍ରୟାସ ଜାରି ରଖିଥିଲେ । ଯାହା କି ତାଙ୍କୁ ଏବେ ସଫଳତା ଦେଇଛି ।