ନୂଆଦିଲ୍ଲୀସ, ୯।୭: ସ୍କୁଲ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ନେଇ ହାଇକୋର୍ଟଙ୍କ ବଡ଼ ପଦକ୍ଷେପ । ଏଣିକି ଦିଲ୍ଲୀର କୌଣସି ବି ସ୍କୁଲ ସମ୍ମୁଖରେ କିମ୍ବା ଆଖପାଖ ଅଞ୍ଚଳରେ ସିଗାରେଟ୍, ଗୁଟ୍‌ଖା, ପାନ ମସଲା କିମ୍ବା ଅନ୍ୟ କୌଣସି ବି ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ହୋଇପାରିବ ନାହିଁ । ସ୍କୁଲ ନିକଟରେ ଥିବା ଷ୍ଟ୍ରିଟ୍ ଭେଣ୍ଡରମାନଙ୍କ ଉପରେ ଦିଲ୍ଲୀ ହାଇକୋର୍ଟ ଏହି କଟକଣା ଜାରି କରିଛନ୍ତି । ଛୋଟ ପିଲାମାନଙ୍କ ଭବିଷ୍ୟତ ଓ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବା ପାଇଁ କୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ଜଷ୍ଟିସ ବିକାଶ ମହାଜନ ଏବଂ ଜଷ୍ଟିସ ପ୍ରତିଭା ଏମ୍. ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ନିଜାମୁଦ୍ଦିନ ରେଳ ଷ୍ଟେସନ ନିକଟରେ ତମାଖୁ ଦ୍ରବ୍ୟ ବିକ୍ରି କରୁଥିବା ସୁରେଶ ନାମକ ଜଣେ ଭେଣ୍ଡର ହାଇକୋର୍ଟରେ ଏକ ଆବେଦନ କରିଥିଲେ। ସୁରେଶଙ୍କ କହିବା କଥା ଥିଲା ଯେ, ତାଙ୍କ ପାଖରେ ବୈଧ 'ଭେଣ୍ଡିଂ ସାର୍ଟିଫିକେଟ୍' ଥିଲେ ମଧ୍ୟ ଦିଲ୍ଲୀ ପୁଲିସ ଏବଂ ଏମସିଡି  ଅଧିକାରୀମାନେ ତାଙ୍କୁ ବାରମ୍ବାର ହଇରାଣ କରୁଛନ୍ତି । ତେବେ ଏହାର ଜବାବରେ ଏମସିଡି କୋର୍ଟଙ୍କୁ ଜଣାଇଥିଲା ଯେ, ସୁରେଶ ସ୍କୁଲ ନିକଟରେ ପାନ ମସଲା, ଗୁଟ୍‌ଖା ଏବଂ ସିଗାରେଟ୍ ବିକ୍ରି କରୁଥିଲେ ଏବଂ ଦୋକାନ ଚାରିପାଖରେ ସଫାସୁତୁରା ମଧ୍ୟ ରଖୁନଥିଲେ । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ସୁରେଶଙ୍କୁ କିଛି ସର୍ତ୍ତ ସହ ବ୍ୟବସାୟ କରିବାକୁ ଅନୁମତି ଦେଇଛନ୍ତି, କିନ୍ତୁ ସ୍କୁଲ ନିକଟରେ ତମାଖୁ ଜାତୀୟ ସାମଗ୍ରୀ ବିକ୍ରି ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇଛନ୍ତି ।

ଏହା ବି ପଢ଼ନ୍ତୁ... Why Is the Sea Salty ? ନଦୀ ପାଣି ମିଠା ଲାଗୁଥିବା ବେଳେ ସମୁଦ୍ର ପାଣି କାହିଁକି ଲୁଣିଆ ? ଜାଣନ୍ତୁ ଇତିହାସ …

ଆଗାମୀ ୩ ଦିନ ମଧ୍ୟରେ ସମ୍ପୃକ୍ତ ଦୋକାନୀଙ୍କୁ ଅନ୍ୟ କୌଣସି ସ୍ଥାନରେ ବିକଳ୍ପ ଜାଗା ଯୋଗାଇ ଦେବାକୁ କୋର୍ଟ ଏମସିଡିକୁ ନିର୍ଦ୍ଦେଶ ଦେଇଛନ୍ତି । ନୂଆ ଜାଗା ନମିଳିବା ପର୍ଯ୍ୟନ୍ତ ସେ ସର୍ତ୍ତାବଳୀ ମାନି ଶାନ୍ତିପୂର୍ଣ୍ଣ ଭାବେ ଅନ୍ୟ ସାମଗ୍ରୀ ବିକ୍ରି କରିପାରିବେ । ପୂର୍ବ ନିର୍ଦ୍ଦେଶକୁ ଦୋହରାଇ କରି ହାଇକୋର୍ଟ ସ୍କୁଲ ଆଖପାଖରେ ବ୍ୟବସାୟ କରୁଥିବା ଷ୍ଟ୍ରିଟ୍ ଭେଣ୍ଡରମାନଙ୍କ ପାଇଁ କିଛି ଗାଇଡ୍‌ଲାଇନ୍ ଜାରି କରିଛନ୍ତି । ସ୍କୁଲର ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ସମ୍ମୁଖରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରାଯାଇପାରିବ ନାହିଁ । ପାନ ମସଲା, ଗୁଟ୍‌ଖା, ସିଗାରେଟ୍ କିମ୍ବା କୌଣସି ବି ପ୍ରକାରର ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ସମ୍ପୂର୍ଣ୍ଣ ନିଷେଧ । ଦୋକାନୀମାନେ ଫୁଟପାଥ୍ ଜବରଦଖଲ କରିପାରିବେ ନାହିଁ । ନିର୍ଦ୍ଧାରିତ ସ୍ଥାନ ମଧ୍ୟରେ ହିଁ ବ୍ୟବସାୟ କରିବେ । ଆବଶ୍ୟକ ପଡ଼ିଲେ ଛୋଟ ଗ୍ୟାସ ସିଲିଣ୍ଡର ବ୍ୟବହାର କରିପାରିବେ, କିନ୍ତୁ ସେଥିପାଇଁ ଅଧିକ ଜାଗା ମାଡ଼ି ବସିପାରିବେ ନାହିଁ । ଦୋକାନ ବଜାର ଅଞ୍ଚଳକୁ ସ୍ୱଚ୍ଛ ରଖିବା ସହ ସେଠାରେ ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ ।