ପୁରୀ,୦୯/୦୭: ବୁଧବାର ରଥର ବତା କାମ ସାରିଛନ୍ତି ଦର୍ଜୀ ସେବକ । ରଥ ଉପରୁ ତଳ ଦୁଆରବନ୍ଧ ପର୍ଯ୍ୟନ୍ତ ଲମ୍ବିବ ବତା । ପ୍ରତି ରଥରେ ୮ଟି କରି ତିନି ରଥରେ ୨୪ଟି ବତା ଲାଗିବ । ବତାରେ ବିଳାସ ପଟି ଓ ଜରି ଫୁଲ ଆଦି ଲାଗିଥାଏ । ଗୋଟିଏ ବତାରେ ୩ଟି ବିଳାସ ପଟି ଲାଗିଛି । ୨୪ଟି ବତାରେ ମୋଟ ୭୨ଟି ବିଳାସ ପଟି ଲାଗିଛି । ଶହ ଶହ ବର୍ଷ ପୁରୁଣା ତଥା ସେହି ପାରମ୍ପରିକ ଶୈଳୀରେ ରଥ ମଣ୍ଡଣି କନା କାମ ଚାଲିଥିବା ମହାପ୍ରଭୁଙ୍କ ପ୍ରମୁଖ ଦର୍ଜୀ ସେବକ ପ୍ରକାଶ ମହାପାତ୍ର କୁହନ୍ତି ।

ଅଧିକ ପଢ଼ନ୍ତୁ :-  Illegal Drone: ଶ୍ରୀମନ୍ଦିର ପରିସରରେ ବେଆଇନ ଡ୍ରୋନ୍ ଉଡ଼ାଣ; ପୁରୀ ପୁଲିସର କାର୍ଯ୍ୟାନୁଷ୍ଠାନ, ଜଣେ ଅଟକ

ବୁଧବାରଠୁ ପୋଟଳ କାମ ଆରମ୍ଭ ହୋଇଛି । ରଥ ୧୩ ପରସ୍ତ ପୋଟଳରେ ଝାଲର ଭଳି କନା ମଣ୍ଡଣି ହେବ । ସେଥିରେ କିମ୍ଭୀରିଆ ବସିବ । ଦୁଆରଘଡ଼ାର କନା କଟା ସରି ସେଥିରେ ଫୁଲ ଡାଳି ଆଦି ହାତରେ ସିଲେଇ ହେବ । ରଥ କାର୍ଯ୍ୟରେ ୧୭ ଜଣ ଦର୍ଜୀ ସେବକ ନିୟୋଜିତ ଅଛନ୍ତି । ରଥରେ ହଂସପଟା ବାଡ଼ିଆ ଆରମ୍ଭ ହୋଇଛି । ଠେକରା ବାଡ଼ ତଳକୁ ରଥର ଚାରିପଟେ ଲାଗୁଛି ହଂସପଟା । ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୨୮ ଲେଖାଏଁ ଓ ଦେବୀ ରଥରେ ୨୦ଟି ହଂସପଟା ଲାଗିବ । ଚିତ୍ରକରମାନେ ପ୍ରଭା ରଙ୍ଗ କାମ ସାରିଛନ୍ତି । କରତି ଓ କମାର ସେବକମାନେ ନିଜ କାର୍ଯ୍ୟରେ ଲାଗିଛନ୍ତି । ମୁଖ୍ୟ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଭୋଇସେବକମାନେ ରଥ ନିର୍ମାଣରେ ଲାଗିଛନ୍ତି । ରଥ କାର୍ଯ୍ୟରେ ୨୪୪ଜଣ ନିୟୋଜିତ ଥିଲେ କହିଛନ୍ତି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ।