ନୂଆଦିଲ୍ଲୀ –ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କୁ ଟାର୍ଗେଟ୍ କରି ପ୍ରସ୍ତୁତ କରାଯାଇ ଥିବା ଅଶ୍ଳୀଳ ଓ ଆପତ୍ତିଜନକ ଡିପଫେକ୍ କଣ୍ଟେଣ୍ଟ ବିରୁଦ୍ଧରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ଗୁରୁବାର କୋର୍ଟ ଏକ ଡିପଫେକ୍ ଭିଡ଼ିଓ ଏବଂ ଅଶ୍ଳୀଳ ଏଆଇ –ଜେନେରେଟେଡ୍ କଣ୍ଟେଣ୍ଟକୁ ତୁରନ୍ତ ହଟେଇବାକୁ ଦେଇଛନ୍ତି ନିର୍ଦ୍ଦେଶ। କୋର୍ଟ ଅଭିନେତାଙ୍କୁ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ସେ କୋର୍ଟକୁ ଆସିବା ପୂର୍ବରୁ ପ୍ରଥମେ ୟୁଟ୍ୟୁବ୍ ସହ ସଂପର୍କ କରି ସିଧାସଳଖ ଅଭିଯୋଗ ଦାଖଲ କରିଥିଲେ କି ?
ଶୁଣାଣି ବେଳେ ବିଚାରପତି ମନୀତ ପ୍ରୀତମ ସିଂହ ଅରୋରା ସ୍ପଷ୍ଟ କରିଛନ୍ତି ଯେ, କୋର୍ଟ କେବଳ ଅଶ୍ଳୀଳ ଓ ଡିପଫେକ୍ କଣ୍ଟେଣ୍ଟ ଉପରେ ହିଁ କଠୋର ଆଭିମୁଖ୍ୟ ଆପଣାଇବେ। ସେ କହିଛନ୍ତି ଯେ, ସାଧାରଣ ଫଟୋ ଗୁଡ଼ିକ କିମ୍ୱା ଫ୍ୟାନ ପେଜ ଲଗାଯାଇ ଥିବା ସାଧାରଣ ପୋଷ୍ଟ ଗୁଡ଼ିକୁ ହଟେଇବାକୁ ଆଦେଶ ଦିଆଯାଇ ପାରିବ ନାହିଁ।
ବାର୍ ଆଣ୍ଟ ବେଞ୍ଚରେ ପ୍ରକାଶିତ ରିପୋର୍ଟ ଅନୁସାରେ ,ବିଚାରପତି ଅରୋରା ଟିପ୍ପଣୀ କରିଛନ୍ତି ଯେ,ପ୍ରଶଂସକଙ୍କୁ ଏତେ ସ୍ୱାଧୀନତା ଦେବାକୁ ହେବ। ନୁହେଁତ ସବୁ ଫ୍ୟାନ୍ ପେଜ୍ ହଟେଇବାକୁ ପଡ଼ିବ ଏବଂ ଅଭିନେତାଙ୍କୁ ନିଜର ସବୁ ଚିହ୍ନକୁ ହଟେଇବାକୁ ପଡ଼ିବ। କୋର୍ଟଙ୍କ କହିବାର ଥିଲା ଯେ, ସାଧାରଣ ଫଟୋ ରିପ୍ରଡକ୍ସନରେ ଏକ୍ସ-ପାର୍ଟି ଆଧାରରେ କାର୍ଯ୍ୟାନୁଷ୍ଠାନ ସମ୍ଭବ ନୁହେଁ, କିନ୍ତୁ ଡିପଫେକ୍ , ପର୍ଣ୍ଣଗ୍ରାଫିକ୍ ଓ ଆପତ୍ତିଜନକ କଣ୍ଟେଣ୍ଟ ହଟେଇବାକୁ ଆଦେଶ ଦିଆଯାଇ ପାରେ।
ଅଭିନେତା ତାଙ୍କର ଆବେଦନରେ କହିଛନ୍ତି ଯେ, ତାଙ୍କର ଫିଲ୍ମର କ୍ଲିପ୍ସକୁ ନେଇ ପ୍ରସ୍ତୁତ ଡିପଫେକ୍ ଭିଡ଼ିଓ ତାଙ୍କର ମୋରାଲ ରାଇଟ୍ସର ଉଲ୍ଲଙ୍ଘନ କରିଥାଏ। ‘Ajay Devgan’ ତାଙ୍କ ନାଁର ରେଜିଷ୍ଟର୍ଡ ଟ୍ରେଡମାର୍କ ଏବଂ ଏହାର ଅନଧିକୃତ ବ୍ୟବହାର ବେଆଇନ । ଅଶ୍ଳୀଳ ଓ ଯାଞ୍ଚ ହୋଇ ନଥିବା ଡିପଫେକ୍ ଭିଡ଼ିଓ ତାଙ୍କର ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରେ ଏବଂ ତାଙ୍କୁ ଗୁଜବ ଓ ଉପହାସର ସମ୍ମୁଖୀନ କରାଏ।
ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଅନିଲ କପୁର, ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଆଦି ଅନେକ ଷ୍ଟାର୍ ମଧ୍ୟ ଡିପଫେକ୍ ବିରୁଦ୍ଧରେ କୋର୍ଟରୁ ସୁରକ୍ଷା ପାଇଛନ୍ତି। ଅଜୟ ଦେବଗନଙ୍କ ଏହି ମାମଲା ଭାରତରେ AI ଦୁରୁପଯୋଗ ବିରୁଦ୍ଧରେ ଆଉ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।