ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର

ନୂଆଦିଲ୍ଲୀ ୧୮/ ୦୫ : ଦିଲ୍ଲୀ ଉପ-ରାଜ୍ୟପାଳ ଅନୀଲ ବୈଜଲଙ୍କ ଇସ୍ତଫା । ନିଜ ପଦରୁ ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ । ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଅବ୍ୟାହତି ନେଇଥିବା ଜଣାପଡିଛି । ଗତ ୫ ବର୍ଷରୁ ଉର୍ଦ୍ଧ ସମୟ ଧରି କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀର ଉପରାଜ୍ୟପାଳ ଭାବେ ପଦଭାର ସମ୍ଭାଳୁଥିଲା ଅନୀଲ ବୈଜଲ । ତେବେ ହଠାତ୍ ସେ ପଦରୁ ଇସ୍ତଫା ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି । କିନ୍ତୁ ସେ ଅନ୍ୟ କୌଣସି କାରଣ ନୁହେଁ ବରଂ ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଅବ୍ୟାହତି ନେଇଥିବା କହିଛନ୍ତି । ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି ।
୨୦୧୬ ଡିସେମ୍ବର ୩୧ ତାରିଖରେ ଅନୀଲ ବୈଜଲଙ୍କୁ ଦିଲ୍ଲୀ ଉପରାଜ୍ୟପାଳ ଭାବେ ନିଯୁକ୍ତି ଦେଇଥିଲେ ରାଷ୍ଟ୍ରପତି । ୨୧ତମ ଉପରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିବା ବୈଜଲ, ୫ ବର୍ଷ ୪ ମାସ ଧରି ପଦରେ ରହିବା ପରେ ସ୍ବେଚ୍ଛାକୃତ ଇସ୍ତଫା ଦେଇଛନ୍ତି ।
ସୂଚନା ଥାଉକି, ୧୯୬୯ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ ଅନୀଲ ବୈଜଲ । ୩୭ ବର୍ଷ ଧରି ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରିଥିଲେ । କେନ୍ଦ୍ରୀୟ ଗୃହ ସଚିବ, ସହରାଞ୍ଚଳ ବିକାଶ, ଦିଲ୍ଲୀ ଡେଭଲପମେଣ୍ଟ ଅଥରିଟିର ଉପାଧ୍ୟକ୍ଷ, ଆଣ୍ଡାମାନ ନିକୋବର ଦୀପର ମୁଖ୍ୟ ସଚିବ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ପାରଦର୍ଶୀତା ଦେଖାଇଥିଲେ ଅନୀଲ ବୈଜଲ । ଡିଡି ଭାରତୀ ପ୍ରତିଷ୍ଠାରେ ତାଙ୍କର ବଳିଷ୍ଠ ଉଦ୍ୟମ ରହିଥିଲା ।