ନୂଆଦିଲ୍ଲୀ,୧୪/୦୫; ଦେଶରେ ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ ଏବଂ ସଠିକ୍ କରିବା ପାଇଁ ନିର୍ବାଚନ କମିଶନ ତୃତୀୟ ପର୍ଯ୍ୟାୟ ଏସଆଇର ବା ସ୍ୱତନ୍ତ୍ର ଭୋଟର ସଂଶୋଧନ (Special Intensive Revision) ଘୋଷଣା କରିଛନ୍ତି । ଦେଶରେ ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକ୍ରିୟା ଅଧୀନରେ, ପ୍ରାୟ ୩୬.୭୩ କୋଟି ଭୋଟରଙ୍କୁ ଘର ଘର ଯାଇ ଯାଞ୍ଚ କରାଯିବ । ନିର୍ବାଚନ କମିଶନଙ୍କ ଅନୁଯାୟୀ, ଏହି ପର୍ଯ୍ୟାୟରେ ଉତ୍ତରାଖଣ୍ଡ, ଆନ୍ଧ୍ର ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ତେଲେଙ୍ଗାନା ଏବଂ ପଞ୍ଜାବ ଭଳି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସାମିଲ କରାଯାଇଛି ।

କେଉଁ ରାଜ୍ୟ ଏବଂ କେନ୍ଦ୍ରଶାସିକ ଅଞ୍ଚଳରେ ହେବ ଏସଆଇଆର ?  ନିର୍ବାଚନ କମିଶନଙ୍କ ଅନୁଯାୟୀ, ଏହି ପର୍ଯ୍ୟାୟରେ ଓଡ଼ିଶା, ମିଜୋରାମ, ସିକିମ, ମଣିପୁର, ଦାଦ୍ରା ଏବଂ ନଗର ହାବେଳୀ-ଡାମନ ଏବଂ ଡିଉ, ଉତ୍ତରାଖଣ୍ଡ, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ତେଲେଙ୍ଗାନା, ପଞ୍ଜାବ, କର୍ଣ୍ଣାଟକ, ମେଘାଳୟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ଦିଲ୍ଲୀ, ନାଗାଲାଣ୍ଡ ଏବଂ ତ୍ରିପୁରା ଅନ୍ତର୍ଭୁକ୍ତ । ନିର୍ବାଚନ କମିଶନ କହିଛନ୍ତି ଯେ, ଦୁଇଟି କାର୍ଯ୍ୟ ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ଜନଗଣନାର ଅଂଶ ଭାବରେ ଚାଲିଥିବା ଘର ତାଲିକା ଅଭିଯାନକୁ ଧ୍ୟାନରେ ରଖି ଏହି କାର୍ଯ୍ୟସୂଚୀକୁ ଚୂଡ଼ାନ୍ତ କରାଯାଇଛି । କମିଶନ ସ୍ପଷ୍ଟ କରିଛନ୍ତି ଯେ, ଏହି ତୃତୀୟ ପର୍ଯ୍ୟାୟ ପରେ, ହିମାଚଳ ପ୍ରଦେଶ, ଜମ୍ମୁ ଏବଂ କାଶ୍ମୀର ଏବଂ ଲଦାଖ ବ୍ୟତୀତ ସମଗ୍ର ଦେଶରେ ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା ସମାପ୍ତ ହେବ । ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ତୁଷାରପାତ ଅଞ୍ଚଳ ପରିପ୍ରେକ୍ଷୀରେ ଏହି ତିନୋଟି କ୍ଷେତ୍ରରେ ପରେ ଏକ ପୃଥକ କାର୍ଯ୍ୟସୂଚୀ ଘୋଷଣା କରାଯିବ।

ଏହା ବି ପଢନ୍ତୁ...କଳା କୋର୍ଟ ପିନ୍ଧି ଓକିଲ ସାଜି ହାଇକୋର୍ଟରେ ପହଞ୍ଚିଲେ ମମତା ବାନାର୍ଜୀ, ଜାଣନ୍ତୁ କାରଣ...  

ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ- ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ବିଭିନ୍ନ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ମେ'ରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଚାଲିବ । ଏଥିରେ ଘର ଘର ଯାଞ୍ଚ, ମତଦାନ କେନ୍ଦ୍ରର ପୁନର୍ଗଠନ, ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶନ, ଦାବି ଏବଂ ଆପତ୍ତି ଗ୍ରହଣ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ଅନ୍ତର୍ଭୁକ୍ତ। ପ୍ରାରମ୍ଭିକ ଭାବରେ, ମେ ୩୦ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଓଡ଼ିଶା, ମିଜୋରାମ, ସିକିମ୍ ଏବଂ ମଣିପୁରରେ ଘର ଘର ଯାଞ୍ଚ ଆରମ୍ଭ ହେବ ଏବଂ ଚୂଡ଼ାନ୍ତ ଭୋଟର ତାଲିକା ସେପ୍ଟେମ୍ବର ୬, ୨୦୨୬ ରେ ପ୍ରକାଶିତ ହେବ । ମହାରାଷ୍ଟ୍ର, କର୍ଣ୍ଣାଟକ, ଝାଡ଼ଖଣ୍ଡ, ମେଘାଳୟ ଏବଂ ଦିଲ୍ଲୀରେ, ଏହି ପ୍ରକ୍ରିୟା ଜୁନ୍ ଶେଷରୁ ଆରମ୍ଭ ହେବ ଏବଂ ଅକ୍ଟୋବର ୭, ୨୦୨୬ ସୁଦ୍ଧା ସମାପ୍ତ ହେବ।