ନୂଆଦିଲ୍ଲୀ, ୩୧।୧୦: ଅକ୍ଟୋବରରେ ଦିଲ୍ଲୀ ପୁଲିସର ଅପରେସନ ବୁଲେଟପ୍ରୁଫ୍ । ମାଫିଆ ଏବଂ କୁଖ୍ୟାତ୍ ଅପରାଧୀଙ୍କ ବିରୋଧରେ ଆକ୍ସନ । 'ନୋ ଏଫଆଇଆର୍, ନୋ ଆରେଷ୍ଟ, ଫୈସଲା ଅନ୍ ଦି ସ୍ପଟ୍' । କେବଳ ଏନକାଉଣ୍ଟରରେ କଥାବାର୍ତ୍ତା । ରାଜଧାନୀକୁ କ୍ରାଇମ୍ ଫ୍ରି' କରିବାକୁ ଅଣ୍ଟା ଭିଡ଼ିଛି ପୁଲିସ । ଅକ୍ଟୋବରରୁ ଆରମ୍ଭ ହୋଇଛି ଅପରେସନ ବୁଲେଟ୍‌ପ୍ରୁଫ୍ । ପହିଲାରୁ ୨୭ ତାରିଖ ମଧ୍ୟରେ ୧୦ ଏନକାଉଣ୍ଟର କରିଛି  ଦିଲ୍ଲୀ ପୁଲିସ  । ଏଥିରେ ୫ଜଣ କୁଖ୍ୟାତ ଅପରାଧୀ ନିପାତ ହୋଇଛନ୍ତି ।​​​​​​​ ସେହିପରି ପୁଲିସର ଅକ୍ସନରେ ଡଜେନରୁ ଅଧିକ ଅପରାଧୀ ଆହତ ହୋଇଥିଲେ । ଦିଲ୍ଲୀରୁ ହରିୟାଣା, ରାଜସ୍ଥାନ ଏବଂ ବିହାର ପର୍ଯ୍ୟନ୍ତ ବ୍ୟାପିଥିବା ଅପରାଧ ନେଟୱାର୍କକୁ ପୁଲିସର ଏହି ଅପରେସନ ଶକ୍ତ ଧକ୍କା ଦେଇଛି ।  

ଜଣେ ପୁଲିସ ଅଧିକାରୀ କହିଛନ୍ତି, "ଅପରେସନ୍ ବୁଲେଟ୍‌ପ୍ରୁଫ୍ ସକ୍ରିୟ ଗ୍ୟାଙ୍ଗ୍ ଏବଂ ଅପରାଧୀଙ୍କୁ ଗୋଟିଏ ପରେ ଗୋଟିଏ ଟାର୍ଗେଟ୍ କରିବା ପାଇଁ ଏକ ରଣନୀତି । ଏପରି ଅନେକ ଅପରାଧୀ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରିବା, ଭିଡିଓ ଦେଖାଇ ଶତ୍ରୁମାନଙ୍କୁ ଧମକ ଦେବା କିମ୍ବା ବିଦେଶୀ ଗ୍ୟାଙ୍ଗଷ୍ଟରମାନଙ୍କ ପାଇଁ କାମ କରନ୍ତି । ପୁଲିସ ସେମାନଙ୍କୁ ଗିରଫ କରିବା ଲାଗି ସନ୍ଧାନ ଜାରି ରଖିଛି ।" ଏହି ଏନକାଉଣ୍ଟର ସିରିଜ୍ ଅକ୍ଟୋବର ୧ ତାରିଖରେ ଦକ୍ଷିଣ ଦିଲ୍ଲୀରୁ ଆରମ୍ଭ ହୋଇଥିଲା । ଏହି ସମୟରେ ଜୈତପୁର-କାଳିନ୍ଦି କୁଞ୍ଜ ରାସ୍ତାରେ ପୋଲିସ ଏବଂ ଅପରାଧୀମାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ରୋହିତ ଗୋଦରା-ଗୋଲଡି ବରାଡ଼-ବୀରେନ୍ଦ୍ର ଚରଣ ଗ୍ୟାଙ୍ଗର ଦୁଇ ସୁଟର୍, ରାହୁଲ ଏବଂ ସାହିଲଙ୍କୁ ଗିରଫ କରାଯାଇଥିଲା । ଉଭୟଙ୍କ ବିରୁଦ୍ଧରେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସର୍‌ଙ୍କୁ ହତ୍ୟା କରିବା ପାଇଁ କଣ୍ଟ୍ରାକ୍ଟ ନେଇଥିବା ଅଭିଯୋଗ ଥିଲା । ରାହୁଲ ଟ୍ରିପଲ୍ ମର୍ଡର ମାମଲାରେ ମୋଷ୍ଟ ୱାଣ୍ଟେଡ୍ ଥିଲା ।  

ପୁଲିସ କହିଛି ଯେ, ଏହି ଗ୍ୟାଙ୍ଗ ବିଦେଶରେ ରହୁଥିବା ରୋହିତ ଗୋଦାରାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିଲା । ପରବର୍ତ୍ତୀ ସମୟରେ, ଅକ୍ଟୋବର ତାରିଖରେ ସମାନ ସିଣ୍ଡିକେଟ ସହ ଜଡ଼ିତ ଆଉ ଦୁଇ ଜଣ ଗ୍ୟାଙ୍ଗଷ୍ଟରଙ୍କୁ କାପସହେଡ଼ାରେ ପୁଲିସ ଗିରଫ କରିଥିଲା । ଗିରଫ ହୋଇଥିବା ଦୁଇ ଜଣ ଆକାଶ ରାଜପୁତ ଏବଂ ମହିପାଲ ବୋଲି ଜଣାପଡ଼ିଛି । ଉଭୟ ରାଜସ୍ଥାନର ବାସିନ୍ଦା ଥିଲେ ଏବଂ ଏମାନେ ୩ଟି ରାଜ୍ୟରେ ଦାଦାବଟି ଆଦାୟ, ଅପହରଣ ଏବଂ ଗୁଳିକାଣ୍ଡ ଗୁଳିକାଣ୍ଡ ପାଇଁ ୱାଣ୍ଟେଟ୍ ତାଲିକାରେ ଥିଲେ । ଆକାଶଙ୍କ ଉପରେ ୨୦ ହଜାର ଟଙ୍କାର ପୁରସ୍କାର ଥିଲା । ଗୋଡ଼ରେ ଗୁଳି ବାଜିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଦୁହେଁ ଦଲେର କୋଟିଆ ଏବଂ ଗୋଦାରା ଗ୍ୟାଙ୍ଗ ସହିତ ଜଡ଼ିତ ଥିବା କୁହାଯାଉଛି ।

ଅକ୍ଟୋବର ତାରିଖରେ ଦିଲ୍ଲୀ ଏବଂ ଗୁରୁଗ୍ରାମ ପୁଲିସ ମିଳିତ ଭାବରେ ଏକ ବଡ଼ ଅପରେସନ କରିଥିଲା । ଆସ୍ଥା କୁଞ୍ଜ ପାର୍କ ନିକଟରେ ଏକ ଏନକାଉଣ୍ଟରରେ କୁଖ୍ୟାତ ନେପାଳୀ ଅପରାଧୀ ଭୀମ ମହା ବାହାଦୁର ଜୋରା ନିହତ ହୋଇଥିଲା । ଜୋରା ୨୦୨୪ ମେ ମାସରେ ଜଙ୍ଗପୁରାରେ ଜଣେ ଡାକ୍ତରଙ୍କୁ ହତ୍ୟା ଏବଂ ଅନେକ ଜଘନ୍ୟ ଅପରାଧ ପାଇଁ ୱାଣ୍ଡେଡ୍ ଲିଷ୍ଟରେ ଥିଲା । ପୁଲିସର କହିବା ଅନୁଯାୟୀ, ଯେତେବେଳେ ଭୀମକୁ ଗିରଫ କରିବାକୁ ଟିମ୍ ପହଞ୍ଚିଥିଲା ସେ ପୁଲିସ ଉପରେ ଗୁଳି ଚଳାଇଥିଲା । ପାଲଟା ଗୁଳିରେ ତା’ର ମୃତ୍ୟୁ ହୋଇଥିଲା । ଅକ୍ଟୋବର ତାରିଖରେ, ରୋହିଣୀରେ ଆଉ ଏକ ଏନକାଉଣ୍ଟରରେ ହମଜା ନାମକ ଜଣେ ଅପରାଧୀ ଗିରଫ ହୋଇଥିଲା । ସେ ଉତ୍ତର ପ୍ରଦେଶର ମେରଠରେ ନିଜ ବନ୍ଧୁ ଆଦିଲକୁ ହତ୍ୟା କରିବା ପରେ ଫେରାର୍ ଥିଲା ଏବଂ ହତ୍ୟାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲା । ହମଜା ଗୋଡ଼ରେ ଗୁଳି ବାଜିଥିଲା ​​ଯାହା ପରେ ତାକୁ ଗିରଫ କରାଯାଇଥିଲା ।    

ସେହିଭଳି ଅକ୍ଟୋବର ୧୦ ତାରିଖରେ, ପୁଲିସ ନରେଲା ଶିଳ୍ପାଞ୍ଚଳରେ ଏକ ଏନକାଉଣ୍ଟରରେ ଅଫତାବ ଆଲମ ଓରଫ ଅତି ନାମକ ଜଣେ ଅପରାଧୀକୁ ଆହତ କରି ଗିରଫ କରିଥିଲା । ଅତି ପୁଲିସ ଉପରକୁ ଦୁଇଥର ଗୁଳି ଚଳାଇଥିଲା । ସେ ଚୋରି, ଛିନତାଇ ଏବଂ ହତ୍ୟା ଭଳି ଅନେକ ମାମଲାରେ ୱାଣ୍ଟେଡ୍ ଥିଲା । ଅକ୍ଟୋବର ୨୨ ତାରିଖରେ ଦ୍ୱାରକାରେ ଆଉ ଏକ ଏନକାଉଣ୍ଟର ହୋଇଥିଲା, ଯେଉଁଠାରେ ପୁଲିସ ଉତ୍ତମ ନଗର ହତ୍ୟା ମାମଲାରେ ୱାଣ୍ଟେଡ୍ ଋତିକ ଓରଫ ଡ୍ୟାନ୍ସର ଉପରେ ପାଲଟା ଗୁଳି ଚଳାଇଥିଲା । ଏହି ଏନକାଉଣ୍ଟରରେ ଇନ୍ସପେକ୍ଟର ସୁଭାଷ ଚାନ୍ଦ ମଧ୍ୟ ଆହତ ହୋଇଥିଲେ । ତାଙ୍କ ହାତରେ ଗୁଳି ବାଜିଥିଲା । ଘଟଣାସ୍ଥଳରୁ ଏକ ପିସ୍ତଲ ଜବତ କରାଯାଇଥିଲା । ଏହାର ଠିକ୍ ପରଦିନ, ଅକ୍ଟୋବର ୨୩ ତାରିଖରେ ଦିଲ୍ଲୀର ସବୁଠାରୁ ବଡ଼ ଏନକାଉଣ୍ଟର ହୋଇଥିଲା । ବିଳମ୍ୱିତ ରାତି ପ୍ରାୟ ୨ଟା ୨୦ ମିନିଟ୍‌ ସମୟରେ, ରୋହିଣୀ ଅଞ୍ଚଳରେ ବିହାରର ୪ ଜଣ ଗ୍ୟାଙ୍ଗଷ୍ଟର ରଞ୍ଜନ ପାଠକ, ବିମଲେଶ ମାହାତୋ, ମନୀଷ ପାଠକ ଏବଂ ଅମନ ଠାକୁର ପୁଲିସ ଏନକାଉଣ୍ଟରରେ ନିହତ ହୋଇଥିଲେ । ସେମାନେ ସମସ୍ତେ ସିଗମା ଗ୍ୟାଙ୍ଗର ସଦସ୍ୟ ଥିଲେ । ଏହି ଚାରିଜଣ ବିହାରରେ ଅନେକ ହତ୍ୟା ମାମଲାରେ ମୋଷ୍ଟ ୱାଣ୍ଟେଡ୍ ଥିଲେ । ବିହାର ପୁଲିସର ଅନୁସାରେ, ଦିଲ୍ଲୀ ଏବଂ ବିହାର ପୁଲିସର ଏକ ମିଳିତ ଦଳ ଏହି ଅପରେସନ ଆରମ୍ଭ କରିଥିଲା । ଅଭିଯୁକ୍ତମାନେ ଗୁଳି ଚଳାଇଥିଲେ ଏବଂ ପାଲଟା ଗୁଳିରେ ସମସ୍ତ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ସୂତ୍ର ଅନୁସାରେ, ଏହି ୪ଜଣ ବିହାର ବିଧାନସଭା ନିର୍ବାଚନରେ ଆକ୍ରମଣ ପାଇଁ ଯୋଜନା କରୁଥିଲେ ।

ଏହା ପରେ, ଅକ୍ଟୋବର ୨୫ରେ ରାଜଧାନୀରେ ଦୁଇଟି ଏନକାଉଣ୍ଟର ହୋଇଥିଲା । ପ୍ରଥମଟି ମେହରୌଲିରେ ହୋଇଥିଲା, ଯେଉଁଠାରେ କନିଷ୍କ ଓରଫ କୋକ୍ ନାମକ ଜଣେ ଅସ୍ତ୍ର ଯୋଗାଣକାରୀ ପୁଲିସ ଗୁଳିରେ ଆହତ ହୋଇଥିଲା । ସେ ଅସ୍ତ୍ର ପ୍ରଦର୍ଶନ ଏବଂ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପାଇଁ ଜଣାଶୁଣା ଥିଲା । ପୁଲିସ ଘଟଣାସ୍ଥଳରୁ ଦୁଇଟି ପିସ୍ତଲ ଜବତ କରିଥିଲା । ସେହି ଦିନ ରାତିରେ, ପଶ୍ଚିମ ଦିଲ୍ଲୀର ନାଙ୍ଗଲୋଇରେ ଏକ ଏନକାଉଣ୍ଟରରେ ୩ ଜଣ ଅପରାଧୀ, ଫିରୋଜ, କାମରାନ ଏବଂ ଓସାଫଙ୍କୁ ଗିରଫ କରାଯାଇଥିଲା । ଏହି ତିନି ଜଣଙ୍କ ନାଁରେ ଡକାୟତି, ଚୋରି ଏବଂ ଅପହରଣର ମାମଲାରେ ଏକାଧିକ ରେକର୍ଡ ଥିଲା । ଗୁଳି ବିନିମୟରେ ତିନି ଜଣଙ୍କ ଗୋଡ଼ରେ ଗୁଳି ବାଜିଥିଲା ​​ଏବଂ ପୁଲିସ ସେମାନଙ୍କୁ ଗିରଫ କରିଥିଲା । ଏହାର ପରବର୍ତ୍ତୀ ରାତିରେ ଅର୍ଥାତ୍, ଅକ୍ଟୋବର ୨୬ ତାରିଖରେ, ବଦରପୁରରେ ଏକ ଏନକାଉଣ୍ଟର ହୋଇଥିଲା । ୱାଣ୍ଟେଡ୍ ଡକାୟତ ହିମାଂଶୁ ଗୋଡ଼ରେ ଗୁଳି ବାଜିବା ପରେ ପୁଲିସ ତାକୁ ଗିରଫ କରିଥିଲା । ସେ ଏକ ପିଜ୍ଜା ଡେଲିଭରି ବଏଠାରୁ ଲୁଟ୍‌ କରିଥିବା ଘଟଣାରେ ଫେରାର ଥିଲା । ତା'ର ସହଯୋଗୀକୁ ପୂର୍ବରୁ ଗିରଫ କରାଯାଇଥିଲା । ଅକ୍ଟୋବର ୨୭ ତାରିଖ ଚଳିତ ମାସର ଦଶମ ଏନକାଉଣ୍ଟର ଥିଲା ।