ନୂଆଦିଲ୍ଲୀ, ୪।୧୧: ରାଜଧାନୀ ଦିଲ୍ଲୀରେ ସବୁବର୍ଷ ଭଳି ଚଳିତବର୍ଷ ଦୀପାବଳି ପରେ ବାୟୁ ପ୍ରଦୂଷଣ ସ୍ତର ବିପଜ୍ଜନକ ସ୍ତରରେ ପହଞ୍ଚିଛି । ଶନିବାର ରାତି ୯ଟାରେ ବାୟୁ ଗୁଣବତ୍ତା ମାନ AQI ୩୨୭ ରହିଥିଲା । କିନ୍ତୁ, ରବିବାର ସକାଳ ୬ଟା ବେଳକୁ ଏହା ୫୦୭ରେ ପହଞ୍ଚିଥିଲା । ଆଜି ସକାଳୁ AQI ୩୭୩ରେ ପହଞ୍ଚିଥିଲା । ୯ ଘଣ୍ଟା ଭିତରେ ଦିଲ୍ଲୀର ବାୟୁ ଅତି ଖରାପରୁ ବିପଜ୍ଜନକ ସ୍ତରରେ ପହଞ୍ଚିଯାଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଧାର୍ଯ୍ୟ କରିଥିବା ମାନଠାରୁ ଏହା ୬୫ ଗୁଣ ଅଧିକ । ଦୀପାବଳି ପରଦିନ ଅର୍ଥାତ୍ ନଭେମ୍ବର ୧ରେ ଦିଲ୍ଲୀର ହାରାହାରି ଏକ୍ୟୁଆଇ ସ୍ତର ୩୩୭ ରହିଥିଲା । ଶନିବାର ସକାଳେ ଦିଲ୍ଲୀରେ ଥଣ୍ଡା ପବନ ବହିବା ପରେ ବାୟୁମାନରେ ସୁଧାର ଆସିଥିଲା । କିନ୍ତୁ, ସନ୍ଧ୍ୟା ହେବାବେଳକୁ ପବନ ବହିବା କମିଯିବା ପରେ ବାୟୁ ପ୍ରଦୂଷଣ ବଢ଼ିଯାଇଥିଲା । 

ରବିବାର ସକାଳୁ ରେକର୍ଡ କରାଯାଇଥିବା ଦେଶର ସବୁଠାରୁ ପ୍ରଦୂଷିତ ୧୦ ସହର ମଧ୍ୟରେ ଦିଲ୍ଲୀ ବ୍ୟତୀତ ଉତ୍ତରପ୍ରଦେଶର ୪ ଓ ହରିଆଣାର ୫ ସହର ରହିଛି । ୟୁପିର ଏହି ସହର ମଧ୍ୟରେ ରହିଛି ଗାଜିଆବାଦ, ବୁଲନ୍ଦସହର, ନୋଏଡ଼ା ଓ ଫତେପୁର ସିକ୍ରି । ସେହିଭଳି ହରିଆଣାର ସବୁଠାରୁ ପ୍ରଦୂଷିତ ସହର ତାଲିକାରେ ରହିଛି ସୋନିପତ, ଫରିଦାବାଦ, ରୋହତକ, ଗୁରୁଗ୍ରାମ ଓ ଭିୱାନି । ରାଜଧାନୀ ଦିଲ୍ଲୀରେ ଗତ ୯ ବର୍ଷ ହେଲା ଦୀପାବଳି ପରଦିନ ହଠାତ୍‌ ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଯାଉଛି । ଚଳିତବର୍ଷ ଏହାର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଦିଲ୍ଲୀ ସରକାର ବାଣ ପ୍ରସ୍ତୁତି, ବିକ୍ରି ଓ ଫୁଟାଯିବା ଉପରେ କଟକଣା ଲଗାଇଥିଲେ । ହେଲେ କଟକଣାକୁ ନ ମାନି ଲୋକେ ଦୀପାବଳିରେ ବାଣ ଫୁଟାଇଲେ । ଦିଲ୍ଳୀର ଏକ୍ୟୁଆଇ ସ୍ତର ୨୦୦ ଅତିକ୍ରମ କରିବା ପରେ ଗତ ଅକ୍ଟୋବର ୧୪ ତାରିଖରେ ଦିଲ୍ଲୀଏନ୍‌ସିଆର ଅଞ୍ଚଳରେ ଗ୍ରାପ୍-୧ ଲାଗୁ କରାଯାଇଥିଲା । ଏହି ଆଇନ ଅନୁସାରେ ହୋଟେଲ ଓ ରେସ୍ତୋଁରାରେ କୋଇଲା କିମ୍ବା କାଠ ଜାଳେଣିକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା । ଡିଜେଲ ଓ ପେଟ୍ରୋଲ ଚାଳିତ ପୁରୁଣା ଗାଡ଼ି ଚଳାଚଳ ଉପରେ ମଧ୍ୟ କଡ଼ା ନଜର ରଖାଯାଇଥିଲା । ସେହିଭଳି ସମସ୍ତ ନିର୍ମାଣକାର୍ଯ୍ୟ ବନ୍ଦ ରଖାଯିବା ସହ ପ୍ରଦୂଷଣ ରୋକିବାକୁ ପାଣି ସିଞ୍ଚନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । 

ଲୋକାଲ ସର୍କଲ ନାମକ ଏକ ଘରୋଇ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ଅନୁସାରେ, ଦିଲ୍ଲୀ-ଏନ୍‌ସିଆରରେ ୬୯ ପ୍ରତିଶତ ଲୋକ ବାୟୁ ପ୍ରଦୂଷଣ ଯୋଗୁ ପ୍ରଭାବିତ ହୋଇଛନ୍ତି । ୬୨ ପ୍ରତିଶତ ପରିବାର ମଧ୍ୟରୁ ଅତିକମ୍‌ରେ ଜଣେ ସଦସ୍ୟଙ୍କ ଆଖି ମଧ୍ୟ ପୋଡ଼ିବା ଘଟଣା ସାମନାକୁ ଆସିଥିଲା । ସେହିଭଳି ୪୬ ପ୍ରତିଶତ ପରିବାର ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟାର ସାମ୍‌ନା କରୁଛନ୍ତି । ଅନ୍ୟପଟେ ପାକିସ୍ତାନର ଅନ୍ୟତମ ପ୍ରମୁଖ ସହର ଲାହୋରରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଛି । ଘନ ଧୂମ କୁହୁଡ଼ି ସାରା ସହରକୁ ଆଚ୍ଛାଦିତ କରିଛି । ସହରର ବାୟୁ ସୂଚକାଙ୍କ ସାଂଘାତିକ ଭାବେ ହ୍ରାସ ପାଇ ୧୦୬୭ରେ ପହଞ୍ଚିଛି । ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏକ ମାନକ ଜାରି କରିଛି । ଏହି ମାନକ ଅନୁସାରେ, ଏକ ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ପିଏମ୍‌ ୨.୫ ୧୫ ମାଇକ୍ରୋଗ୍ରାମ୍‌ରୁ ଅଧିକ ହେଲେ ବାୟୁ ପ୍ରଦୂଷିତ ବୋଲି ଗ୍ରହଣ କରାଯିବ । ଲାହୋରରେ ମାରାତ୍ମକ ପ୍ରଦୂଷକ ପିଏମ୍‌ ୨.୫ର ମାତ୍ରା ୬୧୦ରେ ପହଞ୍ଚିଛି । ଏହି କାରଣରୁ ସମଗ୍ର ସହରେ ଘନ ଧୂମ କୁହୁଡ଼ି ସୃଷ୍ଟି ହୋଇଛି । ବାୟୁର ମାନ ଅତି ସାଂଘାତିକ ସ୍ତରରେ ପହଞ୍ଚିବାରୁ ଲୋକଙ୍କୁ ନିଶ୍ୱାସ ନେବାରେ କଷ୍ଟ ହେଉଛି ।