ନୂଆଦିଲ୍ଲୀ, ୨୧।୧୨:ରାଜଧାନୀ ଦିଲ୍ଲୀ ବାୟୁରେ ବିଷ । ଶନିବାର ସାରା ସହର ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା । ଫଳରେ ଭିଜିବିଲିଟି ୪୦୦ରୁ ୬୦୦ ମିଟରକୁ ହ୍ରାସ ପାଇଥିଲା । କୁହୁଡ଼ି ଯୋଗୁଁ ଦିଲ୍ଲୀ ବାସିନ୍ଦାଙ୍କ ଯାତାୟତରେ ଅସୁବିଧା ଉପୁଜିଥିଲା । ସପ୍ତାହାହ ଭିତରେ ଦିଲ୍ଲୀବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେଣି । ଆଗାମୀ ଦୁଇ ଦିନ ପାଇଁ ରାଜଧାନୀରେ ପରିସ୍ଥିତି ସମାନ ରହିବ ବୋଲି ଅନୁମାନ କରାଯାଉଛି ।

ଗମ୍ଭୀର ବର୍ଗରେ ରହିବ ପ୍ରଦୂଷଣ:

ଡିସେମ୍ବର ୨୨ ପର୍ଯ୍ୟନ୍ତ ପ୍ରଦୂଷଣ ସ୍ତର ଗୁରୁତର ରହିବ । ଶନିବାର ମଧ୍ୟ ଏହା ଗୁରୁତର ପାଖାପାଖି ରହିଥିଲା । ପ୍ରଦୂଷଣ ସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି । ସକାଳ ୭ଟାରେ, ରାଜଧାନୀର ଏକ୍ୟୁଆଇ ୩୭୬ ଥିଲା । ମଧ୍ୟାହ୍ନ ୧୨ଟା ସୁଦ୍ଧା ଏହା ୩୯୬ରେ ପହଞ୍ଚିଥିଲା ।

ଦିଲ୍ଲୀ-ଏନସିଆରରେ AQI:

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB)ର ଏୟାର ବୁଲେଟିନ ଅନୁଯାୟୀ, ଦିଲ୍ଲୀର ଏକ୍ୟୁଆଇ ୩୯୮ ଥିଲା । ଫରିଦାବାଦର ଏକ୍ୟୁଆଇ ୨୩୫, ଗାଜିଆବାଦର ଏକ୍ୟୁଆଇ ୩୬୧, ଗ୍ରେଟର ନୋଏଡାର ଏକ୍ୟୁଆଇ ୩୪୪, ଗୁରୁଗ୍ରାମର ଏକ୍ୟୁଆଇ ୩୬୨, ମାନେସରର ଏକ୍ୟୁଆଇ ୩୨୮ ଏବଂ ନୋଏଡାର ଏକ୍ୟୁଆଇ ୪୦୧ ଥିଲା । ସନ୍ଧ୍ୟା ୫ଟାରେ, ରାଜଧାନୀର ଏକ୍ୟୁଆଇ ଗମ୍ଭୀର ସ୍ତରକୁ ବୃଦ୍ଧି ପାଇ ୪୦୧ରେ ପହଞ୍ଚିଥିଲା । ୨୨ ଟି ସ୍ଥାନରେ ଏକ୍ୟୁଆଇ ରେଡ୍ ଜୋନରେ ରହିଛି । ୱାଜିରପୁରରେ ଏକ୍ୟୁଆଇ ୪୫୧, ରୋହିଣୀ ୪୬୦, ଜାହାଙ୍ଗୀରପୁରୀ ୪୬୨ ଏବଂ ଡିଟିୟୁ ୪୬୪ ଥିଲା । ଏହି ଅଞ୍ଚଳଗୁଡ଼ିକରେ ପ୍ରଦୂଷଣ ଜରୁରୀକାଳୀନ ସ୍ତରରେ ରହିଛି । ମଥୁରା ରୋ ଏକ୍ୟୁଆଇ ୨୬୬ ଥିଲା । ପ୍ରଦୂଷଣ ସ୍ତର ଡିସେମ୍ବର ୨୨ ପର୍ଯ୍ୟନ୍ତ ଗମ୍ଭୀର ରହିବ ଏବଂ ଡିସେମ୍ବର୨୩ରେ ଏହା ବହୁତ ଖରାପ ସ୍ତରକୁ ପହଞ୍ଚିବ । 

୬ ଦିନ ପାଇଁ ସତର୍କ:

ଆଗାମୀ ୬ ଦିନ ପର୍ଯ୍ୟନ୍ତ ଏକ୍ୟୁଆଇ ଅତ୍ୟନ୍ତ ଖରାପରୁ ଗମ୍ଭୀର ସ୍ତରରେ ରହିବ । ଶନିବାର ପବନର ବେଗ ଘଣ୍ଟାପ୍ରତି ୧୦ କିମିରେ ପହଞ୍ଚିଛି । ଡିସେମ୍ବର ୨୧ରେ ଏହା ୫ରୁ ୧୦ କିମି, ଡିସେମ୍ବର ୨୨ରେ ୫ ରୁ ୮ କିମି ଏବଂ ଡିସେମ୍ବର ୨୩ରେ ୫ରୁ ୧୫ କିମି ବେଗରେ ପହଞ୍ଚିବାର ସମ୍ଭାବନା ରହିଛି ।