କାର୍ଯ୍ୟାଳୟର ୭ମ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ବୈଜ୍ଞାନିକ, ହତ୍ୟା ନା ଆତ୍ମହତ୍ୟା ଏବେ ବି ଅସ୍ପଷ୍ଟ…

ନୂଆଦିଲ୍ଲୀ: ସପ୍ତମ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କଲେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ ଜଣେ କାର୍ଯ୍ୟରତ ବୈଜ୍ଞାନିକ । ଆଜି (ସୋମବାର) ଦିଲ୍ଲୀର ଶାସ୍ତ୍ରୀ ଭବନର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଯୋଗୁଁ ସମଗ୍ର ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୈଜ୍ଞାନିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ତେବେ ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ଶାସ୍ତ୍ରୀ ଭବନର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଜଣେ ୫୫ ବର୍ଷୀୟ ବୈଜ୍ଞାନିକ । ମୃତ ବୈଜ୍ଞାନିକ ଜଣକ ପଶ୍ଚିମ ଦିଲ୍ଲୀର ପିରାଗଢୀ ନିବାସୀ ରାକେଶ ମଲିକ ବୋଲି ଜଣାପଡିଛି । ପୋଲିସ କହିଛି ଯେ ମୃତଦେହ ଶାସ୍ତ୍ରୀ ଭବନର ଦୁଇ ନମ୍ବର ଫାଟକ ସମ୍ମୁଖରୁ ମିଳିଛି, ଯେଉଁଥିରେ କେନ୍ଦ୍ର ସରକାରଙ୍କ ଅନେକ ମନ୍ତ୍ରଣାଳୟ ରହିଛି ।
ଡେପୁଟି କମିଶନର ଅଫ୍ ପୋଲିସ୍ (ନୂଆଦିଲ୍ଲୀ) ଅମୃତା ଗୁଗୁଲୋଥ କହିଛନ୍ତି ଯେ ଶାସ୍ତ୍ରୀ ଭବନରୁ ଡେଇଁପଡିଥିବା ଜଣେ ବ୍ୟକ୍ତିଙ୍କ ବିଷୟରେ ଆଜି ସୂଚନା ମିଳିଛି । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଉକ୍ତ ବ୍ୟକ୍ତିଙ୍କ ନାମ ରାକେଶ ମଲିକ ବୋଲି ଜଣାପଡିଛି । ଏହା ହତ୍ୟା ନା ଆତ୍ମହତ୍ୟା ଏନେଇ ଅଧିକ ଅନୁସନ୍ଧାନ ଚାଲିଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।