ରାଉରକେଲା,୧୦ା୨(ବ୍ୟୁରୋ): ରାଉରକେଲାରୁ ରାଜସ୍ଥାନକୁ ଚାଲାଣ ହୋଇଥିବା ନାବାଳିକା ଘଟଣାର ତଦନ୍ତ ପାଇଁ ରାଉରକେଲା ପୁଲିସ୍ର ଏକ ଟିମ୍ ଦିଲ୍ଲୀରେ ପହଞ୍ଚିଛି । ଦିଲ୍ଲୀ ମହିଳା କମିଶନ ଓଡ଼ିଶା ପୁଲିସ୍କୁ ନାବାଳିକାଙ୍କ ସମ୍ପର୍କରେ କୌଣସି ଗୋପନୀୟ ତଥ୍ୟ ଦେବାକୁ ମନା କରି ଦେଇଥିବା ରାଉରକେଲା ଏସ୍ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ନାବାଳିକାଙ୍କୁ ସୁନ୍ଦରଗଡ଼କୁ ଆଣିବା ଲାଗି ଆଜି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ଅନନ୍ତ ପରୁଆ, ଲାଠିକଟା ଥାନା ସବ୍ଇନ୍ସପେକ୍ଟର ପ୍ରେମ୍ଜିତ ଦାସ ଓ ମହିଳା କନେଷ୍ଟବଳ ଅହଲ୍ୟା ବାରିକ ଦିଲ୍ଲୀରେ ପହଞ୍ଚିଛନ୍ତି । ଏହି ଟିମ୍ ଦିଲ୍ଲୀ ମହିଳା କମିଶନଙ୍କ କାର୍ଯ୍ୟାଳୟ ସହ ଫୋନ୍ରେ ଯୋଗାଯୋଗ କରିଥିଲେ । କମିଶନ ସେମାନଙ୍କୁ ରୋକ୍ଠୋକ୍ ଜବାବ ଦେଇଥିଲେ, ଫୋନ୍ରେ ଆମେ ନାବାଳିକା ବା ତାଙ୍କ ବାପାଙ୍କ ସମ୍ପର୍କରେ କିଛି କହିବୁ ନାହିଁ, ଅଫିସ୍କୁ ଆସ । ରାଉରକେଲା ଏସ୍ପିଙ୍କ ସୂଚନା ଅନୁଯାୟୀ ଉକ୍ତ ଟିମ୍ ପୀଡିତାଙ୍କ ସହ ସାକ୍ଷାତ କରିବାକୁ ଆସନ୍ତାକାଲି ମଧ୍ୟାହ୍ଣ ୧୨ଟାରେ ମହିଳା କମିଶନଙ୍କ କାର୍ଯ୍ୟାଳୟକୁ ଯିବେ । ବର୍ତ୍ତମାନ ନାବାଳିକା ଏବଂ ତାଙ୍କ ବାପା କେଉଁଠି ରହୁଛନ୍ତି ଓ ସେ କେଉଁ ସିଡବ୍ଲ୍ୟୁସିରେ ହାଜର ହେବେ ସେ ସମ୍ପର୍କରେ ଫୋନରେ ପଚାରିଥିଲେ । ହେଲେ ଦିଲ୍ଲୀ ମହିଳା କମିଶନ ଏ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି ।
ସୂଚନା ଯୋଗ୍ୟ , ୨୦୧୭ ଡିସେମ୍ବର ୫ ତାରିଖ । ସେ ଦିନ ସକାଳ ପ୍ରାୟ ସାଢ଼େ ୬ଟାରେ ନାବାଳିକାଙ୍କ ବାପା ଡ୍ୟୁଟି ଯାଇଥିଲେ । ଘରେ ନାବାଳିକା ଏକୁଟିଆ ଥିବା ବେଳେ ଦୁଇ ଜଣ ସମ୍ପର୍କୀୟ ତାଙ୍କୁ ଅପହରଣ କରି ନେଇଥିଲେ । ରାତି ପ୍ରାୟ ସାଢ଼େ ୧୦ଟାରେ ନାବାଳିକାଙ୍କ ବାପା ଡ୍ୟୁଟିରୁ ଫେରିବା ପରେ ଝିଅ ଘରେ ନଥିବା ଦେଖିବାକୁ ପାଇଥିଲେ । ପାଖ ପଡୋଶୀଙ୍କୁ ପଚାରିବା ସହ ସଂପର୍କୀୟମାନଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଝିଅର ସନ୍ଧାନ ପାଇ ନଥିଲେ । ଶେଷରେ ୭ ତାରିଖ ଦିନ ନାବାଳିକାଙ୍କ ବାପା ସ୍ଥାନୀୟ ଲାଠିକଟା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଲାଠିକଟା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ । ନାବାଳିକାଙ୍କୁ ଦୁଇ ସମ୍ପର୍କୀୟ ଅପହରଣ କରିବା ପରେ ୪ ଲକ୍ଷ ଟଙ୍କାରେ ରାଜସ୍ଥାନର ଜଣେ ମଧ୍ୟବୟସ୍କ ବ୍ୟକ୍ତିଙ୍କ ସହ ବିବାହ କରାଇ ଦେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣକ ନାବାଳିକାଙ୍କୁ ରାଜସ୍ଥାନ ନେଇ ଯାଇଥିଲେ । ଦୀର୍ଘ ଏକ ବର୍ଷ ଧରି ନାବାଳିକା ସମ୍ପୃକ୍ତ ବ୍ୟକ୍ତିଙ୍କ ଦ୍ୱାରା ବଳାତ୍କାରର ଶିକାର ହେବା ସହ ନିର୍ଯାତିତ ହେଉଥିଲେ । ନାବାଳିକାଙ୍କ ବାପା ଗତ ବର୍ଷକ ମଧ୍ୟରେ ରାଉରକେଲା ପୁଲିସ୍ ସମେତ ରାଜସ୍ଥାନର ଜିଲ୍ଲା ପ୍ରଶାସନ ଓ ପୁଲିସ୍ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ମଧ୍ୟ ନିରାଶ ହୋଇଥିଲେ । ଶେଷରେ କିଛି ଦିନ ପୂର୍ବେ ନାବାଳିକାଙ୍କ ବାପା ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । କମିଶନ ଗତ ୫ ତାରିଖ ଦିନ ରାଜସ୍ଥାନର ଝୁନଝୁନ୍ରୁ ୯ ମାସର ଗର୍ଭବତୀ ଥିବା ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...