ନୂଆଦିଲ୍ଲୀ,୨୮/୦୫ : ଦିଲ୍ଲୀରେ ଏକ ଷ୍ଟାର୍ଟଅପ୍‌ ଏଭଳି ଏକ ସେବା ଆରମ୍ଭ କରିଛି, ଯାହାକୁ ନେଇ ଦେଶରେ ଚର୍ଚ୍ଚା । ଏଥିରେ ସ୍ଥାନୀୟ ଲୋକେ ସପିଂ ପାଇଁ ଘଣ୍ଟା ପ୍ରତି ୧୪୯ ଟଙ୍କାରେ ସହଯୋଗୀଙ୍କୁ ଭଡ଼ାରେ ନେଇପାରିବେ । ଏହି କମ୍ପାନିର ନାଁ କ୍ୟାରିମେନ୍‌ । ଏହାର ଟ୍ୟାଗ୍‌ଲାଇନ୍‌ ‘ୟୁ ସପ୍‌ । ୱି କ୍ୟାରି ।’ ଅର୍ଥାତ୍‌- ଆପଣ ସପିଂ କରନ୍ତୁ, ଆମେ ଜିନିଷ ବୋହିବୁ । କମ୍ପାନିର କର୍ମଚାରୀ ଗ୍ରାହକଙ୍କ ସହ ପୂରା ବଜାରରେ ବୁଲୁଛନ୍ତି ଏବଂ ସପିଂ ବ୍ୟାଗ୍‌ ଉଠାଇବାରେ ସାହାଯ୍ୟ କରୁଛନ୍ତି । 

ଏଥିପାଇଁ ଲୋକେ ବଜାରରେ ଥିବା କ୍ୟାରିମେନ୍‌ ବୁଥ୍‌କୁ ଯାଇ ସାହାଯ୍ୟ ନେଇପାରିବେ । ହ୍ୱାଟ୍ସଆପ୍‌ରେ ମଧ୍ୟ ସେବା ଲାଗି ବୁକ୍‌ କରିପାରିବେ । କମ୍ପାନିର ସପିଂ ସହଯୋଗୀ ଗ୍ରାହକଙ୍କ ସହ ଏ ଦୋକାନରୁ ସେ ଦୋକାନକୁ ବୁଲିବେ । ସପିଂ ବ୍ୟାଗ୍‌ ଉଠାଇବେ ଏବଂ ଭିଡ଼ରେ ସାଙ୍ଗରେ ରହିବେ । ସପିଂ ସହଯୋଗୀ ପାର୍କିଂ କିମ୍ବା ମେଟ୍ରୋ ଗେଟ୍‌ ପର୍ଯ୍ୟନ୍ତ ମଧ୍ୟ ସାମଗ୍ରୀ ପହଞ୍ଚାଉଛନ୍ତି । ଗ୍ରାହକଙ୍କ ପାଇଁ ଫୁଡ୍‌ ଷ୍ଟଲ୍‌ ଓ ଜଳଖିଆ ଦୋକାନରେ ଲମ୍ବା ଧାଡ଼ିରେ ଠିଆ ହେଉଛନ୍ତି । 

ଆହୁରି ପଢନ୍ତୁ- Karnataka CM news: ବ୍ରେକ୍‌ଫାଷ୍ଟରେ କର୍ଣ୍ଣାଟକ ନାଟକରେ ବ୍ରେକ୍; ସିଏମ୍‌ ପଦ ଛାଡିବା ନେଇ ସିଦ୍ଦରମୈୟାଙ୍କ ଘୋଷଣା, ୩ଟାରେ ଦେବେ ଇସ୍ତଫା

କମ୍ପାନି ଗ୍ରାହକଙ୍କୁ ଛତା ଧରିବା, ମୋବାଇଲ ଚାର୍ଜ, ଶିଶୁକୁ ନେବା ଏବଂ ପୋର୍ଟେବଲ ସିଟ୍‌ ଭଳି ସୁବିଧା ମଧ୍ୟ ପ୍ରଦାନ କରୁଛି । କମ୍ପାନିର ଦାବି ଯେ ଏହାର ସେବା ଦ୍ୱାରା ଲୋକେ ନ ଥକି ଚାପମୁକ୍ତ ସପିଂର ଅନୁଭବ ନେଇପାରିବେ । ଦିଲ୍ଲୀର ଲାଜପତ ନଗର ମାର୍କେଟ୍‌ରେ ଏହି ସେବା ଆରମ୍ଭ ହୋଇଛି । କମ୍ପାନି ଏହାକୁ ଚାନ୍ଦିନୀ ଚୌକ ଓ ସରୋଜିନୀ ନଗର ଭଳି ବଜାରରେ ମଧ୍ୟ ଆରମ୍ଭ କରିବ।