ବେଙ୍ଗାଲୁରୁ,୨୮/୦୫; କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସସପେନ୍ସ ଶେଷ ହୋଇଛି । ଚର୍ଚ୍ଚା, ଆକଳନ, ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବ୍ରେକ୍ଫାଷ୍ଟରେ କର୍ଣ୍ଣାଟକ ନାଟକରେ ବ୍ରେକ୍ ଲାଗିଛି । କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀଙ୍କ ପଦବୀକୁ ନେଇ ରହିଥିବା ସସପେନ୍ସର ଅନ୍ତ ଘଟିଛି । ସୂତ୍ର ଅନୁସାରେ, ସିଦ୍ଧରମୈୟା ଆଜି ଅପରାହ୍ନ ୩ ଟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । ସେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଇସ୍ତଫା ପ୍ରଦାନ କରିବେ । ସିଦ୍ଦରମୈୟା ତାଙ୍କ ମନ୍ତ୍ରୀମାନଙ୍କୁ ଅବଗତ କରାଇଛନ୍ତି ଯେ, କଂଗ୍ରେସ ହାଇକମାଣ୍ଡ ତାଙ୍କୁ ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ଏବଂ ପଦ ଛାଡିବାକୁ କହିଛନ୍ତି, ଯାହା କାରଣରୁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ରାଜ୍ୟପାଳଙ୍କୁ ଭେଟିବା ପାଇଁ ଏପର୍ଯ୍ୟନ୍ତ ସିଦ୍ଦରମୈୟାଙ୍କୁ 'ସମୟ ମିଳିନାହିଁ ବୋଲି ବିଶେଷ ସୁତ୍ରରୁ ସୂଚନା ମିଳିଛି । ସିଦ୍ଦରମୈୟାଙ୍କ ପରେ ଡିକେ ଶିବକୁମାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଡିକେ ଶିବକୁମାରଙ୍କ ସମର୍ଥକଙ୍କ ମଧ୍ୟରେ ମିଠା ବଣ୍ଟନ ମଧ୍ୟ ଆରମ୍ଭ ହୋଇଛି ।

ସିଦ୍ଦରମୈୟା ଏବଂ ଡିକେ ଶିବକୁମାର ବେଙ୍ଗାଲୁରୁରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ଜଳଖିଆ ବୈଠକ ସମୟରେ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ମଧ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପାଦ ଛୁଇଁଥିଲେ। ଏହି ସମୟରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସମ୍ଭାବ୍ୟ ଇସ୍ତଫାକୁ ନେଇ ବଢ଼ୁଥିବା ରାଜନୈତିକ କଳ୍ପନାଜଳ୍ପନା ମଧ୍ୟରେ ସେ ଇସ୍ତଫା ନେଇ ଘୋଷଣା କରିଛନ୍ତି । ଅପରାହ୍ନ ୩ଟାରେ ଇସ୍ତଫା ଦେବେ ସିଦ୍ଦରମୈୟା । ସେପଟେ ରାଜ୍ୟପାଳ ଥାୱରଚାନ୍ଦ ଗେହଲଟଙ୍କ ବେଙ୍ଗାଲୁରୁରେ ଅନୁପସ୍ଥିତି ରାଜ୍ୟ ରାଜନୈତିକ ଦୃଶ୍ୟପଟରେ କଳ୍ପନାଜଳ୍ପନାକୁ ଆହୁରି ଖୋରାକ ଯୋଗାଇଛି । କଂଗ୍ରେସ ସୂତ୍ର ଅନୁସାରେ ରାଜ୍ୟପାଳଙ୍କ ଅନୁପସ୍ଥିତି ଇସ୍ତଫା ପ୍ରକ୍ରିୟାକୁ ପ୍ରଭାବିତ କରିବ ନାହିଁ । ସିଦ୍ଦରମୈୟା ଆଜି ଅପରାହ୍ନ ୩ଟାରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଇସ୍ତଫା ପ୍ରଦାନ କରିବେ।

ଏହା ବି ପଢନ୍ତୁ...Karnataka CM News: ସିଦ୍ଦରମୈୟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ଡିକେ ଶିବକୁମାର; ବ୍ରେକ୍ଫାଷ୍ଟ ମିଟିଂ ଜାରି  

ଲୋକଭବନର ଅଧିକାରୀଙ୍କ ସୂଚନା ଅନୁସାରେ, ରାଜ୍ୟପାଳ ଗେହଲଟ୍ ବର୍ତ୍ତମାନ ମଧ୍ୟପ୍ରଦେଶର ତାଙ୍କ ଜନ୍ମସ୍ଥାନ ଇନ୍ଦୋରରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ସହ ସାକ୍ଷାତ ପାଇଁ ଅନୁରୋଧ କରିଛନ୍ତି କି ନାହିଁ ପଚରାଯିବାରୁ, ଲୋକଭବନର ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି, "ରାଜ୍ୟପାଳ ଏଠାରେ ନାହାନ୍ତି । ଏ ବିଷୟରେ କୌଣସି ସୂଚନା ନାହିଁ । ଏପର୍ଯ୍ୟନ୍ତ କୌଣସି ସୂଚନା ଆସିନାହିଁ।" ରାଜ୍ୟପାଳ ଫେରିବା ପରେ କେବଳ ସିଦ୍ଦରମୈୟା ତାଙ୍କ ସହ ସାକ୍ଷାତ କରିପାରିବେ । ମୁଖ୍ୟମନ୍ତ୍ରୀ ଲୋକଭବନ ସଚିବଙ୍କ ନିକଟରେ ଇସ୍ତଫାପତ୍ର ଦାଖଲ କରିପାରିବେ କି ନାହିଁ ପଚରାଯିବାରୁ, ଅଧିକାରୀ ଜଣକ କହିଥିଲେ ଯେ, ସିଦ୍ଦରମୈୟା ଚାହିଁଲେ ଏହା କରିପାରିବେ।