ରାଞ୍ଚି: ଝାଡ଼ଖଣ୍ଡ ଲୋକ ସେବା ଆୟୋଗ(JPSC) ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ମୋଟ ୩୪୨ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି । ଏହି ତାଲିକାରେ ଏମିତି ଜଣେ ପ୍ରାର୍ଥୀଙ୍କ ନାଁ ମଧ୍ୟ ଅଛି, ଯିଏ ଦିନେ ଡେଲିଭରି ବୟ ଭାବରେ କାମ କରୁଥିଲେ । ଏହି ପ୍ରାର୍ଥୀଙ୍କ ନାମ ରାଜେଶ ରଜକ । ଏବେ ସେ ଝାଡ଼ଖଣ୍ଡରେ ଜଣେ ଅଧିକାରୀ ହୋଇ ଲୋକଙ୍କ ସମସ୍ୟାର ସମାଧାନ କରିବେ । ରାଜେଶ ରଜକ ଜେପିଏସସି ପରୀକ୍ଷାରେ ୨୭୧ ତମ ରାଙ୍କ ହାସଲ କରିଛନ୍ତି । ରାଜେଶଙ୍କୁ ଝାଡ଼ଖଣ୍ଡ ଜେଲ୍ ସେବାରେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ପଦବୀ ପାଇଁ ଚୟନ କରାଯାଇଛି ।
ହଜାରିବାଗ ଜିଲ୍ଲାର ବରକଠା ବ୍ଲକ ଅନ୍ତର୍ଗତ କେନ୍ଦୁଆ ଗ୍ରାମର ବାସିନ୍ଦା ରାଜେଶ ରଜକ । ସେ ଏପରି ସଫଳତା ହାସଲ କରିଛନ୍ତି, ଯାହା ଲକ୍ଷ ଲକ୍ଷ ଯୁବକଙ୍କ ପାଇଁ ପ୍ରେରଣା । ଆର୍ଥିକ ପ୍ରତିବନ୍ଧକ ଏବଂ ସମ୍ବଳ ଅଭାବରେ ଡେଲିଭରି ବୟ ଭାବରେ କାମ କରି ରାଜେଶ ରଜକ JPSC ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ୨୭୧ ରାଙ୍କ ପାଇଛନ୍ତି । ଏବେ ସେ ଝାଡ଼ଖଣ୍ଡ ଜେଲ୍ ସେବାର ଜଣେ ଅଧିକାରୀ ହେବାକୁ ଯାଉଛନ୍ତି । ଆଜି ରାଜେଶ ରଜକଙ୍କ ସଫଳତାରେ କେବଳ ତାଙ୍କ ପରିବାର ସଦସ୍ୟ ନୁହଁନ୍ତି ବରଂ ସମଗ୍ର ବ୍ଲକର ଲୋକମାନେ ଗର୍ବ ଅନୁଭବ କରୁଛନ୍ତି । ରାଜେଶ ରଜକଙ୍କ ପିତା ୨୦୧୭ ମସିହାରେ ମୃତ୍ୟୁବରଣ କରିଥିଲେ । ବାପା ତାଙ୍କୁ ଛାଡି ଚାଲିଯିବା ପରେ, ଘରର ଆର୍ଥିକ ଅବସ୍ଥା ଦୟନୀୟ ହୋଇପଡ଼ିଥିଲା।
ରାଜେଶଙ୍କ ବଡ଼ ଭାଇ ମୁମ୍ବାଇରେ ଶ୍ରମିକ ଭାବରେ କାମ କରିଥିଲେ । ତାଙ୍କ ମାଆ ଜାନକୀ ଦେବୀ ଗାଁର ସରକାରୀ ସ୍କୁଲରେ ରୋଷେୟା ଭାବରେ କାମ କରିଥିଲେ । ଉଭୟ ଘରର ଅବସ୍ଥା ସୁଧାରିବାକୁ ପ୍ରଚେଷ୍ଟା କରିଥିଲେ । ରାଜେଶ ତାଙ୍କର ପ୍ରାଥମିକ ଶିକ୍ଷା ଗାଁର ସରକାରୀ ସ୍କୁଲରୁ କରିଥିଲେ । ସେ ହଜାରିବାଗରୁ ଦ୍ୱାଦଶ ଶ୍ରେଣୀ ପାସ କରିଥିଲେ । ପରିବାରର ଆବଶ୍ୟକତା ପୂରଣ କରିବା ପାଇଁ ରାଜେଶ ରଜକ ରାଞ୍ଚିରେ ଡେଲିଭରି ବୟ ଭାବରେ କାମ କରିବା ଆରମ୍ଭ କରିଥିଲେ । ରାଞ୍ଚିର ଏକ ଲଜ୍ରେ ରହି ସେ ସିଭିଲ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ।
ଏହି ସମୟରେ ସେ ଅନେକ ପ୍ରତିଯୋଗୀତାମୂଳକ ପରୀକ୍ଷା ଦେଇଥିଲେ ମଧ୍ୟ ଅକୃତକାର୍ଯ୍ୟ ହୋଇଥିଲେ । ବାରମ୍ବାର ଚେଷ୍ଟା କରି ବିଫଳ ହେଉଥିଲେ, କିନ୍ତୁ ତାଙ୍କର ମନୋବଳ କେବେ ଭାଙ୍ଗିନଥିଲା । ଫଳସ୍ୱରୂପ, ଝାଡ଼ଖଣ୍ଡ ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଚୂଡ଼ାନ୍ତ ମେରିଟ୍ ଲିଷ୍ଟରେ ତାଙ୍କ ନାମ ପ୍ରକାଶ ପାଇଛି । ସେ ୨୭୧ତମ ରାଙ୍କ୍ ପାଇଛନ୍ତି ।