ଅଭିନନ୍ଦନଙ୍କୁ ପରମବୀର ଚକ୍ରରେ ସମ୍ମାନିତ କରିବାକୁ ଦାବି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୮।୩: ବାୟୁସେନାର ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ଏବେ କୌଣସି ପରିଚୟର ଆବଶ୍ୟକତା ନାହିଁ। ଅଦମ୍ୟ ସାହାସର ପ୍ରଦର୍ଶନ କରି ସେ ପାକିସ୍ତାନର ଉନ୍ନତ ବିମାନ ମଧ୍ୟରୁ ଅନ୍ୟତମ ଏଫ୍-୧୬ ଯୁଦ୍ଧ ବିମାନକୁ ମିଗ୍-୨୧ ବାଇସନରେ ଧ୍ବଂସ କରିବାରେ ସଫଳ ହୋଇଥିଲେ। ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସାହାସର ପ୍ରଶଂସା ସବୁଆଡେ ହେଉଛି। ଏସବୁ ଭିତରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ବାମୀ ତାଙ୍କୁ ପରମବୀର ଚକ୍ରରେ ସମ୍ମାନିତ କରିବାର ଦାବି କରିଛନ୍ତି।
ଏହି ପ୍ରସଙ୍ଗରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀଙ୍କ କହିବା ଅନୁସାରେ ଅଭିନନ୍ଦନ ଦେଶର ନାମରେ ଗୌରବ ଆଣିବା ସହ ତାମିଲନାଡୁର ଯୁବପୀଢିଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ତାଙ୍କୁ ସର୍ବୋଚ୍ଚ ସେନା ପଦକରେ ସମ୍ମାନିତ କରିବା ନେଇ ଯୁବପୀଢିଙ୍କ ମଧ୍ୟରେ ଜୋଶ ଆହୁରି ସଞ୍ଚାର ହେବ।